ସାପ ପାଇଁ ଭାଙ୍ଗିଦେଲେ ଘର, ପରପିଣ୍ଡାରେ ଦିନ କାଟୁଛନ୍ତି ପରିବାର । ଶୁଣୁନି ପ୍ରଶାସନ, ମିଳୁନି ଘର । 

338

କନକ ବ୍ୟୁରୋ: ସାପ ଉଦ୍ଧାର ପାଇଁ ଝାଟିମାଟି ଘର ଭଙ୍ଗାଗଲା । ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା ପକ୍କା ଘର ଯୋଗାଇଦେବ । ହେଲେ ଏହି ପ୍ରତିଶ୍ରୁତି ପାଲଟିଗଲା ପାଣିର ଗାର । ପକ୍କା ଘର ଆଉ ମିଳିଲାନି । ଏପଟେ ନିଜ ଝାଟିମାଟି ଘରକୁ ହରାଇ ତିନି ବର୍ଷ ହେଲା ପର ବାରଣ୍ଡାରେ ବିତୁଛି ଦାଶରଥୀଙ୍କ ଜୀବନ । ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀରୁ ଆସିଛି ଏମିତି ଏକ ଅଭାବନୀୟ ଓ ଚିନ୍ତାଜନକ ଖବର ।

  • ଭାଙ୍ଗିଦେଲେ ସାପ ସାଲୁବାଲୁ ଘର
  • କଥାରେ ରହିଗଲା ପକ୍କାଘର ପ୍ରତିଶ୍ରୃତି
  • ଏବେ ପରପିଣ୍ଡାରେ ବିତୁଛି ଜୀବନ

ଭଦ୍ରକ ଭଣ୍ଡାରୀପୋଖରୀ ବ୍ଲକ ନାଆମୀ ଗାଁର ଦାଶରଥୀ ଜେନା ଓ ତାଙ୍କ ସ୍ତ୍ରୀ ଅନ୍ନପୂର୍ଣ୍ଣା । ଆର୍ଥିକ ଅବସ୍ଥା ଆଦୌ ଭଲ ନୁହେଁ । ଏକ ଝାଟିମାଟି ଘରେ ଘରେ ମୁଣ୍ଡ ଗୁଞ୍ଜୁଥିଲେ  । କିନ୍ତୁ ୨୦୧୯ରେ  ଏମିତି ଏକ ଘଟଣା ଘଟିଥିଲା, ଯାହାକୁ ହୁଏତ ସେମାନେ କେବେ ବି ଭୁଲପାରିବେ ନାହିଁ । ଘରେ ସାପ ବାହାରିବାରୁ  ବିଡିଓଙ୍କ ଅନୁମତି ପରେ ଘରକୁ ଭାଙ୍ଗିଦେଲେ । । ଘର ଭାଙ୍ଗିବାବେଳେ ନେତା ଓ ପ୍ରଶାସନ କଥା ଦେଇଥିଲେ ଆବାସ ଘର ଦେବାକୁ । ଏବେ ସେମାନଙ୍କ କଥାରେ ପଡି ପୁରା ପରିବାର ଫସିଯାଇଛନ୍ତି । ବର୍ଷେ ନୁହେଁ କି ଦୁଇବର୍ଷ ନୁହେଁ ତିନିବର୍ଷ ବିତିଗଲାଣି ଘର ତ ମିଳିଲାନି, ବରଂ ୧୨ ଦୁଆର ହେବାକୁ ପଡିଲା । ଏବେ ପରଘର ପିଣ୍ଡାରେ ଏହି ପରିବାର ଆଶ୍ରୟ ନେଇଛନ୍ତି

  • ଦାଶରଥୀଙ୍କ ଘର ପାଲଟିଥିଲା ସାପଙ୍କ ଘର
  • ବନ୍ଦ ହୋଇନଥିଲା ଉଦ୍ଧାର କାମ

ତେବେ ସାପ ପାଇଁ କାହିଁକି  ଓ କେମିତି ଭଙ୍ଗାହେଲା ଦାଶରଥୀ ଜେନାଙ୍କ ଘର ? 

୨୦୧୯ ଜୁନ୍ ମାସରେ ଦାଶରଥୀଙ୍କ ଘରୁ ବାହାରିଲା ଗୋଟିଏ ବଡ଼ ସାପ

ଏହାସହ ୨୭ଟି ସାପ ଛୁଆ ଓ ୫୨ଟି ଅଣ୍ଡା ବାହାରିଲା

ସାପ ଉଦ୍ଧାର କରିବା ଲାଗି ସ୍ନେକ ହେଲପଲାଇନ ଆସିଥିଲା

୩ ଦିନ ଧରି ସାପ ଉଦ୍ଧାର ହେବା ବନ୍ଦ ହୋଇ ନଥିଲା

ଏହାପରେ ଘର ମାଟିତଳେ ଆହୁରି ସାପ ରହିଥିବା ଆଶଙ୍କା କରି ଦାଶରଥୀଙ୍କ ଘର ଭାଙ୍ଗି ସାପ ଧରିବାକୁ କହିଥିଲେ ତକ୍ରାଳୀନ ବିଡିଓ  । ଘର ଭାଙ୍ଗିଦେଲା ପରେ ୧୦ ଦିନ ମଧ୍ୟରେ ଆବାସ ଗୃହ ଦେବାକୁ ପ୍ରତିଶ୍ରୃତି ମିଳିଥିଲା । କିନ୍ତୁ ଏହା ଏ ଯାଏଁ ପାଳନ ହୋଇନାହିଁ । ବିଡିଓ କହିଛନ୍ତି , ଖୁବଶୀଘ୍ର ଏ ବାବଦରେ ପଦକ୍ଷେପ ନିଆଯିବ ।

ପ୍ରଥମେ ବିଜୁ ପକ୍କା ଘର ଦେବାକୁ କହି ପ୍ରଶାସନ ସମୟ ଗଡ଼ାଇଲା । ଉପଯୁକ୍ତ ମାନଦଣ୍ଡ ପୂରଣ କରୁନଥିବାରୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଗାଇ ଦିଆଯିବ ବୋଲି କହିଥିଲେ । ହେଲେ ତାଲିକାରେ ନାଁ ନଥିବା ଦର୍ଶାଇ ତାଙ୍କୁ କୌଣସି ଘର ମିଳିଲାନି । ୨୦୧୪ ଆବାସ ଯୋଜନାରେ ପ୍ରଶାସନ ୨୦ ହଜାର ଟଙ୍କା ଦେଇଥିଲେ ମଧ୍ୟ ବାକି ଟଙ୍କା ଏପର୍ଯ୍ୟନ୍ତ ମିଳି ନାହିଁ । ତେଣୁ ଅଧା ନିର୍ମାଣ ହୋଇଥିବା ଘର ସେମିତି ପଡ଼ି ରହିଛି । ଏବେ ସରକାରୀ ବାବୁଙ୍କ କଥାରେ ପଡ଼ି ଏହିି ଗରିବ ପରିବାର ଫସିଯାଇଛନ୍ତି ।