ବିରୋଧୀ ବଜାଇଲେ ଘଣ୍ଟ, ଶାସକ ଦଳ ପକାଇଲା ଗଙ୍ଗାଜଳ । ପ୍ରବଳ ହଟ୍ଟଗୋଳ କାରଣରୁ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ।

290

କନକ ବ୍ୟୁରୋ : ଷଷ୍ଠ ଦିନରେ ବି ଆଜି ବିଧାନସଭା ଅଚଳ । ମମିତା ମୃତ୍ୟୁ ପ୍ରସଙ୍ଗରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ, ନାରାବାଜି ଫଳରେ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଗୃହର ମଧ୍ୟଭାଗକୁ ୩ ଦଳର ନେତା ଆସି ହୋ-ହଲ୍ଲା କରିବା ଫଳରେ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି । ମମିତା ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି କରି ବିରୋଧୀ ଘଣ୍ଟ ବଜାଇ ପ୍ରତିବାଦ କରିଥିବା ବେଳେ କଂଗ୍ରେସ ସଦସ୍ୟ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ ।
ଅନ୍ୟପଟେ ଶାସକ ବିଜେଡି ମଧ୍ୟ ଆଜି ଗୃହର ମଧ୍ୟଭାଗକୁ ଆସି ପ୍ରତିବାଦ କରିଛି । ବିରୋଧୀଙ୍କୁ ଭଗବାନ ସଦବୁଦ୍ଧି ଦିଅନ୍ତୁ ବୋଲି ନାରାବାଜି କରିଥିଲେ । ଏପରିକି କିଛି ବିଜେଡି ସଦସ୍ୟ ବିରୋଧୀଙ୍କ ଉପରେ ଗଙ୍ଗାଜଳ ଛିଞ୍ଚିଥିଲେ । ଯାହାଫଳରେ ଗୃହ ମଧ୍ୟରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ବାରମ୍ବାର ଗୃହ ମୁଲତବୀ ପରେ ବାଚସ୍ପତି ଗତକାଲି ସର୍ବଦଳୀୟ ବୈଠକ ଡାକିଥିଲେ । ଲାଗୁଥିଲା ସବୁକିଛି ସ୍ୱାଭାବିକ ହେବ, ଗୃହ କାର୍ଯ୍ୟ ଠିକରେ ଚାଲିବ । କିନ୍ତୁ ଆଜି ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା । ଗୃହ ଆରମ୍ଭରୁ ହିଁ ବିରୋଧୀଙ୍କ ହଟ୍ଟଗୋଳ ଫଳରେ ଗୃହକୁ ଅପରାହ୍ନ ୪ଟା ମୁଲତବୀ କରାଯାଇଛି । ଯାହାଦ୍ୱାରା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହୋଇପାରିନି । ତେବେ ଉଭୟ ଶାସକ-ବିରୋଧୀଙ୍କ ଏଭଳି କାର୍ଯ୍ୟଶୈଳୀକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଶାସକ ଦଳ ଗୃହ ଚଳାଇଦେଉନାହିଁ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ।