ଚଳିତ ବର୍ଷ ସଂଗ୍ରହ ହୋଇଛି ରେକର୍ଡ ସଂଖ୍ୟକ ଧାନ । ବିରୋଧ ଭିତରେ ଗୃହରେ ଉତ୍ତର ରଖିଲେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

86

କନକ ବ୍ୟୁରୋ :  ମଣ୍ଡି ଅବ୍ୟବସ୍ଥା ନେଇ ଗୃହରେ ଉତ୍ତର ରଖିଲେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଗୃହରେ ବିରୋଧୀଙ୍କ ଜୋରଦାର ବିରୋଧ ଭିତରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ । ଚଳିତବର୍ଷ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ ହୋଇଥିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ । ଚଳିତବର୍ଷ ୫୫.୦୩ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଛି । ଗତବର୍ଷ ୪୫.୬୧ ଲକ୍ଷ ଟନ୍ ମେଟ୍ରିକ ଟନ୍ ସଂଗ୍ରହ ହୋଇଛି । ଗତବର୍ଷ ଅପେକ୍ଷା ଏଯାଏଁ ୨୧ ପ୍ରତିଶତ ଅଧିକ ଧାନ ସଂଗ୍ରହ କରାଯାଇଛି । ମାର୍ଚ୍ଚ ୩୧ ଧାନ କିଣାର ଶେଷ ତାରିଖ ରହିଥିବା ବେଳେ ଆଗକୁ ଆହୁରି ଧାନ କିଣାଯିବ ବୋଲି କହିଛନ୍ତି ମନ୍ତ୍ରୀ ।

ତେବେ ଗୃହରେ ମନ୍ତ୍ରୀ ଉତ୍ତର ରଖୁଥିବା ବେଳେ ମଧ୍ୟ ବିରୋଧୀ ହୋ ହାଲ୍ଲା ସହ ହଟ୍ଟଗୋଳ ବନ୍ଦ କରିନଥିଲେ । ବାଚସ୍ପତିଙ୍କ ପୋଡିୟମ ପାଖରେ ଲଗାତାର ନାରାବାଜି କରିବାରୁ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଏହାପୂର୍ବରୁ ବଜେଟ ଅଧିବେଶନର ତୃତୀୟ ଦିନ ଆରମ୍ଭରୁ ମଧ୍ୟ ଧାନ କିଣା ପ୍ରସଙ୍ଗକୁ ନେଇ ଗୃହରେ ନାରାବାଜି କରିଥିଲେ ବିରୋଧୀ । ଯେଉଁଥିପାଇଁ ପ୍ରଥମେ ଦିନ ୧୧.୩୦ ଯାଏଁ ଗୃହ ମୁଲତବୀ ରଖିଥିଲେ ବାଚସ୍ପତି ।

ଧାନ କ୍ରୟ ଦିବସର ୭ ଦିନ ପୂର୍ବରୁ ଚାଷୀଙ୍କୁ କ୍ରୟ ତାରିଖ ଓ ପରିମାଣ ସମ୍ପର୍କରେ ଜଣାଇଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ୯.୯୩ ଲକ୍ଷ ଚାଷୀ ସରକାରଙ୍କୁ ଧାନ ବିକ୍ରି କରିଛନ୍ତି। ଏ ବାବଦକୁ ୧୦ ହଜାର ୨୮୧ କୋଟି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଯାଇଛି। ଧାନ ସଂଗ୍ରହ କାର୍ଯ୍ୟ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ବିରୋଧୀ ମାନଙ୍କର ବ୍ୟକ୍ତିଗତ ଏଜେଣ୍ଡା ପାଇଁ ସେମାନେ ହୋହଲ୍ଲା କରୁଛନ୍ତି। ଆମେ ବାହାର ରାଜ୍ୟର ବ୍ୟବସାୟୀ ମାନଙ୍କର ଧାନ କିଣିବୁ ନାହିଁ। କେବଳ ପଞ୍ଜିକୃତ ଚାଷୀଙ୍କ ଧାନ କିଣିବୁ ବୋଲି କହିଛନ୍ତି ମନ୍ତ୍ରୀ ।