୪୫ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା : ହୋଟେଲ ଶିଳ୍ପ ପୁନରୁଦ୍ଧାର ପାଇଁ ବିଜୁଳି କଣ୍ଟା, ଭକ୍ତଙ୍କ ରହିବା ପାଇଁ ଆବଶ୍ୟକ ହୋଟେଲ ନାହିଁ

121

କନକ ବ୍ୟୁରୋ : ଆଉ ମାତ୍ର ୪୫ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ।  ହେଲେ ପ୍ରସ୍ତୁତ ହୋଇପାରୁନି ଭିତ୍ତିଭୂମି । ରଥଯାତ୍ରାରେ ଭକ୍ତଙ୍କ ରହିବା ପାଇଁ ଆବଶ୍ୟକ ହୋଟେଲ ନାହିଁ। ପ୍ରଳୟଙ୍କରୀ ବାତ୍ୟା ‘ଫନି’ ମାଡ଼ରେ ପୁରୀର ଉଜୁଡ଼ା ହୋଟେଲ ଶିଳ୍ପର ପୁନଃନିର୍ମାଣ କାର୍ଯ୍ୟ ବିଜୁଳି ବିନା ଅଟକି ରହିଛି। ବାତ୍ୟାର ୧୭ ଦିନ ପରେ ବି ମିଳିପାରିନି ବିଜୁଳି। ଫଳସ୍ବରୂପ କ୍ଷତିଗ୍ରସ୍ତ ହୋଟେଲଗୁଡ଼ିକର ପୁନଃନିର୍ମାଣ, ମରାମତି କାମ ଏଯାବତ ଆରମ୍ଭ ହୋଇ ପାରିନାହିଁ। ତେଣୁ ଏଥର ରଥଯାତ୍ରା ଦେଖିବାକୁ ଆସୁଥିବା ଭକ୍ତଙ୍କୁ ରହିବା ପାଇଁ ହୋଟେଲ ନ ମିଳିପାରେ।

୧୫ ଦିନ ବ୍ୟାପୀ ମହାପ୍ରଭୁଙ୍କ ଘୋଷଯାତ୍ରା ଦେଖିବାକୁ ଜଗନ୍ନାଥଧାମରେ ପ୍ରାୟ ୧୫ରୁ ୨୦ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ । ରଥଯାତ୍ରା, ହେରାପଞ୍ଚମୀ, ସଂଧ୍ୟା ଦର୍ଶନ, ବାହୁଡ଼ା, ସୁନାବେଶ ଓ ନୀଳାଦ୍ରି ବିଜେ ଭଳି ଠାକୁରଙ୍କ ଯାତ୍ରା ଦେଖିବାକୁ ଲକ୍ଷଲକ୍ଷ ଭକ୍ତ ପୁରୀ ଆସିଥାନ୍ତି । ସରକାରୀ ହିସାବ ଅନୁଯାୟୀ ପ୍ରାୟ ୮ ଶହ ହୋଟେଲରେ ଏମାନେ ରହି ଯାତ୍ରା ଦେଖନ୍ତି । ଭକ୍ତଙ୍କ ରହିବା ପାଇଁ ହୋଟେଲ ଅଭାବ ପଡ଼ୁଥିବାରୁ ନବକଳେବରଠାରୁ ପର୍ଯ୍ୟଟନ ବିଭାଗ ହୋମ୍‌ ଷ୍ଟେ ବ୍ୟବସ୍ଥା ଆରମ୍ଭ କରିଛି । ଏହି ମାଧ୍ୟମରେ ପ୍ରାୟ ୫ ଶହରୁ ୧ ହଜାର ପରିବାରଙ୍କୁ ରଖିବାର ବ୍ୟବସ୍ଥା ଅଛି । ହେଲେ ମେ ୩ ତାରିଖରେ ବାତ୍ୟା ‘ଫନି’ ପୁରୀର ହୋଟେଲ ଶିଳ୍ପକୁ ଛାରଖାର୍‌ କରିଦେଇଛି । ବାତ୍ୟାରେ କ୍ଷତିଗ୍ରସ୍ତ ହୋଟେଲଗୁଡ଼ିକୁ ସଜାଡ଼ିବା ପାଇଁ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ହୋଟେଲ ମାଲିକ ସଂଘକୁ ଅନୁରୋଧ କରିଥିଲେ। ତଦନୁଯାୟୀ ସେମାନେ ପ୍ରସ୍ତୁତ ମଧ୍ୟ ହେଉଛନ୍ତି । ହେଲେ ପୁନଃନିର୍ମାଣରେ ବାଧକ ସାଜିଛି ବିଜୁଳି ।

ବାତ୍ୟାର ୧୭ ଦିନ ପରେ ମଧ୍ୟ ସମୁଦ୍ରକୂଳ ହୋଟେଲଗୁଡ଼ିକୁ ବିଜୁଳି ଯୋଗାଣ ସମ୍ଭବ ହୋଇ ପାରିନାହିଁ। ବିଜୁଳି ଅଭାବରୁ ପୁନଃନିର୍ମାଣ କାମ ହୋଇ ପାରୁନଥିବା ବେଳେ ହୋଟେଲ ମାଲିକମାନେ କେବଳ ଆବର୍ଜନା ସଫା କରି ବସିଛନ୍ତି । ବିଜୁଳି ଆସିଲେ ମରାମତି କାମ କରାଯିବ ବୋଲି କହିଛନ୍ତି ହୋଟେଲ ସଂଘ ସମ୍ପାଦକ ରାଜକିଶୋର ପାତ୍ର । ସେ କହିଛନ୍ତି ଆମେ ପ୍ରସ୍ତୁତ ‌ହେଉଛୁ, ମାତ୍ର ବିଜୁଳି ନାହିଁ । ବିଜୁଳି ଆସିବା ପରେ ସବୁଠୁ ବଡ଼ ସମସ୍ୟା ହେବ ଶ୍ରମିକ। ସବୁ ହୋଟେଲ ମରାମତି ଓ ପୁନଃନିର୍ମାଣ ପାଇଁ ଅନ୍ୟୂନ ୩ରୁ ୪ ହଜାର କୁଶଳୀ ଏବଂ ଅର୍ଦ୍ଧକୁଶଳୀ ଶ୍ରମିକଙ୍କର ଆବଶ୍ୟକତା ରହିଛି । ଏତେ ଶ୍ରମିକ ଆସିବେ କେଉଁଠୁ ବୋଲି ସେ ପ୍ରଶ୍ନ କରିଛନ୍ତି ।

 

ହୋଟେଲ ସଂଘର ଅଧ୍ୟକ୍ଷ ବିଜୟକୃଷ୍ଣ ଦାସ କହିଛନ୍ତି, ପୁରୀରେ କେତେ ସଂଖ୍ୟାରେ ହୋଟେଲ ଭାଙ୍ଗିଛି ତାର ରିପୋର୍ଟ ସରକାର ପାଇଛନ୍ତି । ଏବେ ରଥଯାତ୍ରା ପାଇଁ ହାତରେ ମାତ୍ର ୪୫ ଦିନ ରହିଛି। ବିଜୁଳି କେବେ ଆସିବ ତାର କିଛି ଠିକଣା ନାହିଁ । ଆସିବା ପରେ ଯୁଦ୍ଧକାଳିନୀ ଭିତ୍ତିରେ କାମ କଲେ ବି ନିର୍ଦ୍ଧାରିତ ସମୟରେ କାମ ସରିବା ସହଜସାଧ୍ୟ ହେବନି । ଯଦି ନସରିବ, ତେବେ ଭକ୍ତ ଓ ରଥଯାତ୍ରା ପରିଚାଳନା ପାଇଁ ଆସୁଥିବା କର୍ମଚାରୀମାନଙ୍କୁ ରୁମ୍‌ ଦେବା କଷ୍ଟକର ହୋଇଯିବ । ଗୋଟିଏ ପଟେ ଘରୋଇ ହୋଟେଲ ରୁମ୍‌ ପ୍ରସ୍ତୁତ କରିବାକୁ ସରକାର ଜୋର୍‌ ଦେଉଥିବା ବେଳେ ସେପଟେ ଏକମାତ୍ର ସରକାରୀ ଧର୍ମଶାଳା (ବଗଲା ଧର୍ମଶାଳା) ବାତ୍ୟାରେ ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି । ତେଣୁ ଏବେ ସରକାରୀ ଧର୍ମଶାଳା ବି ଭକ୍ତଙ୍କୁ ମିଳିବନି । ଏଭଳି ପରିସ୍ଥିତିରେ ରଥଯାତ୍ରାରେ ଭକ୍ତଙ୍କ ରହିବା  ସବୁଠୁ ବଡ଼ ପ୍ରଶ୍ନବାଚୀ ବୋଲି ହୋଟେଲ ମାଲିକମାନେ କହିଛନ୍ତି ।