ଭୂତାଣୁ ମାଡରେ ଜୀବନ ଯାଉଛି ଉଜୁଡି ଯାଉଛି ଜୀବିକା । ଓଡିଶାରେ ରେଷ୍ଟୁରାଂଟ ଶିଳ୍ପ ଉପରେ ମାଡିଆସୁଛି ବିପଦ ।

183

କନକ ବ୍ୟୁରୋ: କରୋନା ମାଡରେ ହୋଟେଲ ରେଷ୍ଟୁରାଂଟ ବେପାର ପ୍ରଭାବିତ ହୋଇଛି । ରାଜଧାନୀ ଭୁବନେଶ୍ୱର ଓ କଟକର ବହୁ ହୋଟେଲ ଗ୍ରାହକ ଆସୁନଥିବାରୁ ବନ୍ଦ କରିଦେଇଛନ୍ତି । ସେପଟେ ରେଷ୍ଟୁରାଂଟରୁ କେବଳ ପାର୍ସଲ ନେବା ପାଇଁ ଅନୁମତି ଥିବାରୁ ବ୍ୟବସାୟ ମାନ୍ଦା ପଡିଯାଇଛି । ଗତବର୍ଷ ଲକଡାଉନରେ ଯେମିତି କ୍ଷତି ସହିଥିଲେ ହୋଟେଲ ରେଷ୍ଟୁରାଂଟ ବ୍ୟବସାୟୀ, ଏବେ ମଧ୍ୟ ସେଭଳି କ୍ଷତି ସହିବାର ଆଶଙ୍କା ଦେଖା ଦେଇଛି ।

କଟକଣା ପରେ ଖାଁ ଖାଁ ପଡିଛି, କଟକ-ଭୁବନେଶ୍ୱରର ହୋଟେଲ, ରେଷ୍ଟୁରାଂଟ । ଗତବର୍ଷ ଭଳି ଲକଡାଉନ୍, ସଟଡାଉନ୍ ଲାଗୁ ହୋଇନାହିଁ ସତ, ହେଲେ ଏଥର କୋଭିଡର ପ୍ରଥମ ଲହରଠାରୁ କ୍ଷତିରେ ଚାଲୁଛି । କମ ସଂଖ୍ୟକ କର୍ମଚାରୀଙ୍କୁ ନେଇ ହୋଟେଲ ଚାଲିଥିଲେ, ମଧ୍ୟ ଗ୍ରାହକ ଆସୁନଥିବାରୁ କାମ କରୁଥିବା କର୍ମଚାରୀଙ୍କ ଦରମା ବାହାରିବ ନାହିଁ ବୋଲି କହିଛନ୍ତି ହୋଟେଲ ମାଲିକ । ରାଜ୍ୟ ସରକାରଙ୍କ କୋଭିଡ ନିୟମ ଅନୁସାରେ ହୋଟେଲ ଓ ରେଷ୍ଟୁରାଂଟରୁ କେହି ବସି ଖାଇ ପାରିବେ ନାହିଁ , କେବଳ ପାର୍ସଲ ନେଇପାରିବେ । ତଥାପି ମାନ୍ଦା ରହିଛି ବେପାର ।

ସେହିପରି ରେଷ୍ଟୁରାଂଟ ବନ୍ଦ ଥିବା ବେଳେ ବାର ଖୋଲିବାକୁ ଅନୁମତି ରହିଛି । କରୋନା ସଂକ୍ରମଣ ଓ କୋଭିଡ ନିୟମ ଯୋଗୁଁ ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୁର, ହାଇଦ୍ରାବାଦରୁ ଆସୁଥିବା ଫ୍ଲାଇଟରେ ଗେଷ୍ଟ ଆସୁ ନାହାନ୍ତି । ଅନ୍ୟପଟେ ସଂକ୍ରମଣ ସମ୍ଭାବନାକୁ ଏଡାଇବା ପାଇଁ ହୋଟେଲର ଅଧାରୁ ଅଧିକ କର୍ମଚାରୀଙ୍କୁ ଛୁଟି ଦିଆଯାଇଛି । ପୁଣି କେତେକ ହୋଟେଲ ବନ୍ଦ ମଧ୍ୟ କରିଦେଲେଣି । ଏହି ସ୍ଥିତି ଜାରି ରହିଲେ ହୋଟେଲ ଓ ଟୁରିଜମ ଶିଳ୍ପ ଅଧିକ କ୍ଷତିଗ୍ରସ୍ତ ହେବା ଆଶଙ୍କା ଦେଖା ଦେଇଛି ।

ସେପଟେ କୋଭିଡ ମାଡରେ ହୋଟେଲ ଓ ରେଷ୍ଟୁରାଂଟ କ୍ଷତିରେ ଚାଲୁଥିଲେ ମଧ୍ୟ ସରକାର କୌଣସି ରିଲିଫ ଦେବା କଥା ଚିନ୍ତା କରୁନାହାନ୍ତି । ହୋଟେଲ ଚାଲୁନି ତଥାପି ସର୍ବନିମ୍ନ ବିଜୁଳି ଦେୟ, ବାର ଚାଲୁନି, କିନ୍ତୁ ବାର ଲାଇସେନ୍ସ ଫିସ୍ ଦେବାକୁ ପଡିବ । ସେହିପରି ହୋଲଡିଂ ଟ୍ୟାକ୍ସ ଆଦିରେ ସରକାର ରିଲିଫ ଦେବା ନେଇ କୌଣସି ଚିନ୍ତା କରୁନାହାନ୍ତି ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ହୋଟେଲ ଆଣ୍ଡ ରେଷ୍ଟୁରାଂଟ ଆସୋସିଏସନ ଅଫ ଓଡିଶାର ସଭାପତି ।