ମାଷ୍ଟରକ୍ୟାଣ୍ଟିନରୁ ହଟିବନି ଘୋଡା ! ସ୍ମାର୍ଟସିଟି ପ୍ରକଳ୍ପର ଡିଜାଇନରେ ପରିବର୍ତ୍ତନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ସୂଚନା ।

362

କନକ ବ୍ୟୁରୋ : ମାଷ୍ଟରକ୍ୟାଣ୍ଟିନରୁ ହଟିବନି ଘୋଡା । ମାଷ୍ଟରକ୍ୟାଣ୍ଟିନରୁ ଘୋଡା ସ୍ଥାନାନ୍ତର ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଥିବା ସୂଚନା । ସ୍ୱାର୍ଟସିଟି ପ୍ରକଳ୍ପ ପାଇଁ ଘୋଡା ସ୍ଥାନାନ୍ତରଣ ଜରୁରୀ ଥିବା ବେଳେ ପ୍ରକଳ୍ପର ଡିଜାଇନ ପରିବର୍ତ୍ତନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ଆଉ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏକ ଉଚ୍ଚସ୍ତରୀୟ ବୈଠକରେ ଘୋଡାକୁ ସ୍ଥାନାନ୍ତରିତ ନ କରିବାକୁ ନିଷ୍ପତି ନିଆଯାଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।

ଗତ କିଛି ଦିନ ହେବ ମାଷ୍ଟରକ୍ୟାଣ୍ଟିନରୁ ଘୋଡା ସ୍ଥାନାନ୍ତରଣକୁ ନେଇ ବିବାଦ ଦେଖିବାକୁ ମିଳିଥିଲା । ଓଡ଼ିଶାର ଐତିହ୍ୟ ବହନ କରୁଥିବା ଏହି ଘୋଡା ଅନ୍ୟ କେଉଁଠିକୁ ସ୍ଥାନାନ୍ତରଣ କରାନଯାଉ ବୋଲି ଘୋଡା ମୂର୍ତ୍ତି ତଳେ ବସି କଂଗ୍ରେସ ନେତା ଧାରଣା ଦେଇଥିଲେ । ଏପରିକି ସ୍ଥାପନ ହେବାର ୪୩ ବର୍ଷ ପରେ ଓଡିଆ ଜାତିର ବୀରତ୍ୱର କାହାଣୀ କହୁଥିବା ଘୋଡା ସ୍ଥାନାନ୍ତରଣକୁ ନେଇ ବିରୋଧ କରିଥିଲା କଂଗ୍ରେସ । ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଓଡ଼ିଶା ଐତିହ୍ୟର ପରିଚୟ ବହନ କରୁଥିବା ଏହି ଘୋଡାକୁ ସ୍ଥାନାନ୍ତରଣ ନକରି ମାଷ୍ଟରକ୍ୟାଣ୍ଟିନର ସୌନ୍ଦର୍ଯ୍ୟକରଣ ବାବଦରେ ସରକାର ବିଚାର କରନ୍ତୁ ବୋଲି କହିଥିଲେ ।

ତେବେ ଘୋଡା ସ୍ଥାନାନ୍ତରଣକୁ ନେଇ ପ୍ରଥମରୁ ହିଁ ସବୁଜ ସଂକେତ ଦେଇଥିଲା ସଂସ୍କୃତି ବିଭାଗ । ସ୍ମାଟ ସିଟି ତରଫରୁ ରାଜଧାନୀର ମାଷ୍ଟର କ୍ୟାଣ୍ଟିନର ରାସ୍ତାକୁ ପ୍ରଶସ୍ତିକରଣ କରିବା ପାଇଁ ଏନେଇ ସଂସ୍କୃତି ବିଭାଗକୁ ଚିଠି ଲେଖିଥିଲା ସ୍ମାଟ ସିଟି । ଆଉ ଏଥିରେ ମୋହର ମାରିଥିଲା ସଂସ୍କୃତି ବିଭାଗ । ପରେ ଘୋଡା ସ୍ଥାନାନ୍ତରଣକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଆଉ ଏହି ବିବାଦରେ ଏବେ ମୁଖ୍ୟମନ୍ତ୍ରୀ ପୂର୍ଣ୍ଣଚ୍ଛେଦ ଟାଣିଥିବା ସୂଚନା ମିଳିଛି । ଘୋଡା ସ୍ଥାନାନ୍ତରଣ ବଦଳରେ ସ୍ମାର୍ଟସିଟି ପ୍ରକଳ୍ପର ଡିଜାଇନରେ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେଇଥିବା ନେଇ ସୂଚନା ମିଳିଛି ।