ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଗଛରେ ପିଟି ହୋଇ ଜଳିଗଲା କାର; ଜଣେ ଜୀବନ୍ତ ଦଗ୍ଧ, ୩ ଆହତ

163

କନକ ବ୍ୟୁରୋ : ରାସ୍ତା ମଝିରେ ଜଳିଗଲା କାର୍ । ସମ୍ବଲପୁର କର୍ଡଖମନ ଡୁମେରୁମଣ୍ଡା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ବୋଲେରୁ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା । ଏହାପରେ କାରରେ ନିଆଁ ଲାଗିଯାଇଥିଲା, ଆଉ ହୁତୁ ହୁତୁ ହୋଇ ଜଳିଥିଲା । ଏହି ନିଆଁରେ ଜଣେ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ୩ ଆହତ ହୋଇଛନ୍ତି । ୩ ଆହତଙ୍କୁ ଗଡ଼ପୋଷ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ବୋଲେରୁ ଗାଡ଼ିରେ ୪ ଜଣ ସିମଡେଗାରୁ ଏକ ପାରିବାରିକ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିଲେ ।

ସୂଚନା ଅନୁସାରେ, ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇଥିବା ସିମଡେଗାରୁ ସୋମବାର ରାତି ପ୍ରାୟ ୯ ଟାରେ ପିଣ୍ଡାପଥର ପଞ୍ଚାୟତ ପରମାଣପୁର ଢେଟୋପଡ଼ାକୁ ଏକ ବୋଲେରୋ ଯୋଗେ ଫେରୁଥିବା ସମୟରେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ପରେ ଗାଡ଼ିରେ ନିଆଁ ଲାଗି ଯାଇଥିଲା । ଏହି ଅଗ୍ନିକାଣ୍ଡରେ ଗାଡ଼ିଟି ସମ୍ପୂର୍ଣ୍ଣ ପୋଡ଼ି ଯାଇଛି । ଦୁର୍ଘଟଣା ସମୟରେ ଗାଡ଼ିରେ ଚାଳକଙ୍କ ସମେତ ଚାରିଜଣ ଯାତ୍ରୀ ଥିଲେ। ଦୁର୍ଘଟଣା ପରେ ଗାଡ଼ିରେ ନିଆଁ ଲାଗିଯିବାରୁ ପଛପଟେ ବସିଥିବା ସୁରେଶ ଲୁଗୁନ୍‌ ବାହାରି ପାରି ନଥିଲେ ।

ତାଙ୍କୁ ବାହାର କରିବାକୁ ତାଙ୍କ ଦୁଇ ଭାଇ ସୁଲେ ଲୁଗୁନ, ନବୀନ ଲୁଗୁନ ଓ ପ୍ରମୋଦ ଏକ୍କା ଉଦ୍ୟମ କରିଥି‌ଲେ। ସେମାନେ ଗୁରୁତର ଆହତ ହୋଇଥିବା ସତ୍ତ୍ବେ ଭାଇକୁ ବଞ୍ଚାଇବା ପାଇଁ ପୂର୍ଣ୍ଣ ପ୍ରୟାସ କରିଥିଲେ । ମାତ୍ର ନିଆଁ ତୀବ୍ର ହେବାରୁ ସେମାନେ ବିଫଳ ହୋଇଥିଲେ । ସୁରେଶ ନିଆଁରେ ପୋଡ଼ି ମୃତ୍ୟୁବରଣ କରିଥିଲେ । ଖବର ପାଇ ଗଡ଼ପୋଷ ଫାଣ୍ଡି ଅଧିକାରୀ ଦେବରାଜ ସାହୁ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ଗୁରୁତର ଆହତ ତିନିଜଣଙ୍କୁ ଗଡ଼ପୋଷ ମେଡିକାଲକୁ ନେଇଥିଲେ । ଅବସ୍ଥା ଉଦ୍‌ବେଗଜନକ ହେବାରୁ ତିନି ଜଣଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।