ରଥଯାତ୍ରା ପାଇଁ ପୁଣି ଦେଖାଗଲା ଆଶା । ଛତିଶାନିଯୋଗ ଓ ପରିଚାଳନା କମିଟି ବୈଠକ ପରେ ଗଜପତିଙ୍କ ସୂଚନା : କହିଲେ, ସୁପ୍ରିମକୋର୍ଟରେ ପିଟିସନର ସୋମବାର ଶୁଣାଣିକୁ ଅପେକ୍ଷା

476

କନକ ବ୍ୟୁରୋ : ରଥଯାତ୍ରା ପାଇଁ ପୁଣି ଦେଖାଗଲା ଆଶା । ଗତକାଲି ଶ୍ରୀମନ୍ଦିର ପରିଚାଳନା କମିଟି ଏବଂ ଛତିଶା ନିଯୋଗ ମଧ୍ୟରେ ପ୍ରାୟ ସାଢେ ତିନି ଘଂଟା ଧରି ବୈଠକ ଚାଲିଥିଲା । ସୁପ୍ରିମକୋର୍ଟଙ୍କ ରଥଯାତ୍ରା ବନ୍ଦ ନେଇ ଦେଇଥିବା ମଧ୍ୟବର୍ତୀକାଳୀନ ରାୟ ପରେ ଏହାକୁ ନେଇ ଆଲୋଚନା ହୋଇଥିଲା । ଶ୍ରୀଜିଉଙ୍କ ନୀତି କିଭଳି ସଂପାଦନ ହେବ ସେନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା । ତେବେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟକୁ ବିରୋଧ କରି ପିଟିସନ୍ ମଧ୍ୟ ଦାଖଲ ହୋଇଛି । ଫଳରେ ଏହା ଏକ କୋର୍ଟଙ୍କ ବିଚାରାଧିନ ପ୍ରସଙ୍ଗ ହୋଇଥିବାରୁ ଏହାକୁ ନେଇ ସାର୍ବଜନୀନ ଭାବେ ଆଲୋଚନା କରିବାକୁ ମନା କରିଦେଇଥିଲେ ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ଦିବ୍ୟସିଂ ଦେବ । ତେବେ ବିକଳ୍ପ ପୂଜା ନୀତି ପାଇଁ କିଛି ଆଲୋଚନା ହୋଇଥିଲେ ମଧ୍ୟ କିଭଳି କଟକଣା ଭିତରେ ରଥଯାତ୍ରା ହୁଅନ୍ତା, ଏହା ସମସ୍ତଙ୍କ ମତ ଥିବା ନେଇ ଗଜପତି ସୂଚନା ଦେଇଛନ୍ତି ।

ତେବେ ଏହି ବୈଠକରେ ୨ଟି ପ୍ରସଙ୍ଗ ରହିଥିଲା । ପ୍ରଥମତଃ ସୁପ୍ରିମକୋର୍ଟଙ୍କ ରାୟ ଉପରେ ପିଟିସନ୍ ଦାୟର କରି ଉଚିତ ଢଙ୍ଗରେ ପ୍ରସଙ୍ଗ ରଖିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି । ଅନ୍ୟପଟେ ଏକାଧିକ ପିଟିସନ୍ ଦାୟର ହୋଇଥିବାରୁ ଏହାର ଶୁଣାଣି ସୋମବାର ହେବାର ସମ୍ଭାବନା ରହିଛି । ତେଣୁ ସୁପ୍ରିମକୋର୍ଟଙ୍କ ନିଷ୍ପତି ଆସିବା ପରେ ହିଁ ପରବର୍ତୀ ବିକଳ୍ପ ନେଇ ଆଲୋଚନା କରାଯିବ । ତେବେ ଏହି ଦୁଇ ଦିନ ଭିତରେ ବିକଳ୍ପ ନେଇ ଆଭ୍ୟନ୍ତରୀଣ ଆଲୋଚନା ହେବ ବୋଲି ମଧ୍ୟ ପୁରୀ ଗଜପତି ମହାରାଜ ସୂଚନା ଦେଇଛନ୍ତି ।

ସୁପ୍ରିମକୋର୍ଟ ଦେଇଥିବା ମଧ୍ୟବର୍ତୀ କାଳୀନ ରାୟ ଏକ ଭୁଲ ତଥ୍ୟ ଉପରେ ଆଧାରିତ । ମନ୍ଦିର ପରିଚାଳନା କମିଟି ବିନା ଭକ୍ତରେ ରଥଯାତ୍ରା କରିବା ପାଇଁ ପ୍ରସ୍ତାବ ଦେଇ ଥିବା ବେଳେ ଏହାକୁ ରାଜ୍ୟ ସରକାର କୋର୍ଟରେ ଉପସ୍ଥାପନ କରି ନାହାନ୍ତି । ତେବେ କାହିଁକି ସରକାର ଏହାକୁ ଗ୍ରହଣ କଲେ ନାହିଁ ତାହାକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ଗଜପତି । ତେବେ ପରିଚାଳନା କମିଟି ରାଜ୍ୟ ସରକାରଙ୍କ ଅଧିନରେ ରହିଛି, ତେଣୁ ତାଙ୍କ ନିର୍ଦ୍ଦେଶ ପାଳନ କରିବା କମିଟିର ଦାୟିତ୍ୱ ବୋଲି ମଧ୍ୟ ସେ କହିଛନ୍ତି ।