ଗରୀବଙ୍କ ଦେବଦୂତ , ବେସାହାରାଙ୍କ ପାଇଁ ସାହାରା ‘ହୋପ୍ ଅଫ୍ ଲାଇଫ୍’ ।

146

କନକ ବ୍ୟୁରୋ: ଆଜିର ସ୍ୱାର୍ଥପର ଦୁନିଆଁରେ କାହା ପାଇଁ କାହାରି ପାଖରେ ସମୟ ନାହିଁ । ଏପରି ସ୍ଥଳେ ଅସହାୟ ଗରିବ ଓ ରାସ୍ତା କଡରେ ପଡି ରହିଥିବା ବେସାହାରାଙ୍କ କଥା ପଚାରେ କିଏ? ତଥାପି କେଉଁଠି ନା କେଉଁଠି ବଞ୍ଚିଛି ମାନବିକତା । ପରଶ୍ରୀକାତର ସମାଜରେ ଏବେବି କିଛି ସହୃଦୟ ବ୍ୟକ୍ତି ଅଛନ୍ତି ଯିଏ ଅନ୍ୟ ପାଇଁ ବଞ୍ଚିଛନ୍ତି । ସେବାକୁ ଜୀବନର ବ୍ରତ ବୋଲି ଧରିନେଇଛନ୍ତି । ରାଉରକେଲାର ଏପରି କିଛି ବଦାନ୍ୟ ବ୍ୟକ୍ତି, ଯିଏ ‘ହୋପ ଅଫ୍ ଲାଇଫ୍’ ନାମରେ ସଙ୍ଗଠନ ଗଢି ଗରିବ ଅସହାୟଙ୍କ ପାଇଁ ସାହାରା ପାଲଟିଛନ୍ତି ।

 

 କୁହାଯାଏ ସେବାର ସୁବାସ ଚାରିଆଡକୁ ଚହଟିଯାଏ । ଏହାକୁ ସତ କରି ଦେଖାଇଛନ୍ତି ରାଉରକେଲାର ‘ହୋପ୍ ଅଫ୍ ଲାଇଫ୍’ର ସଦସ୍ୟ । ରାସ୍ତା କଡର ଅସହାୟଙ୍କୁ ବଢାଉଛନ୍ତି ସହାୟତାର ହାତ, ଦେଉଛନ୍ତି ନୂଆ ଜୀବନ । ଏମିତି ଜଣେ ଅସହାୟ ହେଉଛନ୍ତି ଶ୍ୟାମସୁନ୍ଦର ଗିରି ,ଉତ୍ତରପ୍ରଦେଶ ଗୋରଖପୁରର ବାସିନ୍ଦା । ଯିଏ ନିଜ ପାରିବାରିକ ଅସ୍ଥିରତା ଓ ଦାରିଦ୍ର୍ୟ ଯୋଗୁଁ କାମ ପାଇଁ ୫ ବର୍ଷ ପୂର୍ବେ ରାଉରକେଲା ଚାଲିଆସିଥିଲେ । ପ୍ରଥମେ ଦିନ ମଜୁରିଆ କାମ କରି ପେଟ ପୋଷୁଥିଲେ । ହେଲେ ଏକ ଦୁର୍ଘଟଣାର ଶିକାର ହୋଇ ତାଙ୍କ ଗୋଡ ଅଚଳ ହୋଇଗଲା । ଫଳରେ ଦିନ ମଜୁରିଆରୁ ପାଲଟିଗଲେ ରାସ୍ତାକଡ ଭିକାରୀ । ଏପରି ସ୍ଥିତିରେ ତାଙ୍କ ଉପରେ ପଡିଥିଲା ‘ ହୋପ ଅଫ୍ ଲାଇଫ୍’ ସଦସ୍ୟଙ୍କ ଦୃଷ୍ଟି । ତାଙ୍କୁ ଉଦ୍ଧାର କରିବା ପରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି ସଙ୍ଗଠନର ସଦସ୍ୟ । ସେଠାରେ ତାଙ୍କର ଗୋଡ ଅପରେସନ୍ କରାଇବା ସହ ତାଙ୍କର ଯଥାସାଧ୍ୟ ସେବା ସୁଶ୍ରୁସା କରୁଛନ୍ତି । ଯଦ୍ୱାରା ତାଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିପାରିବେ ।

ଏହି ସ୍ୱେଚ୍ଛାସେବୀ ଅନୁଷ୍ଠାନରେ ଅଛନ୍ତି ୨ଶହରୁ ଉଦ୍ଧ୍ୱର୍ ସଦସ୍ୟ । ଯେଉଁମାନେ ସମାଜ ସେବା ପାଇଁ ନିଜ ହାତରୁ ଅର୍ଥ ଆଦାୟ କରି ଅସହାୟଙ୍କ ସେବାରେ ଖର୍ଚ୍ଚ କରୁଛନ୍ତି । ତାଙ୍କର ଏଭଳି ନିଃସର୍ତ୍ତ ସେବାକୁ ଆହୁରି ଆଗେଇ ନେଇଛି ରାଉରକେଲାର ରାଜସ୍ଥାନ ହସ୍ପିଟାଲ ।

କରୋନା କାଳରେ ଲୋକଙ୍କୁ ସାହାଯ୍ୟ କରି ଚର୍ଚ୍ଚାକୁ ଆସିଥିବା ‘ହୋପ୍ ଅଫ୍ ଲାଇଫ୍’ଙ୍କ ନିରବଚ୍ଛିନ୍ନ ସେବା ସମସ୍ତଙ୍କ ପାଇଁ ଉଦାହରଣ ନିଶ୍ଚୟ ।