ନେପାଳରେ ନୁହେଁ ଦିଲ୍ଲୀରେ ଲୁଚିଛନ୍ତି ହନିପ୍ରୀତ ! ସିସିଟିଭି ଫୁଟେଜ୍ ପରେ ବଢିଲା ସଂଦେହ

28

କନକ ବ୍ୟୁରୋ : ସିଟିଟିଭି ଫୁଟେଜକୁ ଦେଖି ସନ୍ଦେହ ବଢିଯାଇଛି । ବୁର୍କା ପିନ୍ଧି ଯାଉଥିବା ଏହି ମହିଳା ଜଣକ ହରିୟାଣା ପୁଲିସର ମୋଷ୍ଟ ୱାଂଟେଡ୍ ହନିପ୍ରୀତ ବୋଲି ଚର୍ଚ୍ଚା ହେଉଛି । ସିସିଟିଭି ଭିଜୁଆଲ ହେଉଛି ଦକ୍ଷିଣ ଦିଲ୍ଲୀସ୍ଥିତ ଆଇନଜୀବୀ ପ୍ରଦୀପ ଆର୍ଯ୍ୟଙ୍କ ଘର ଆଗରCCTV ଦୃଶ୍ୟ । କୁହାଯାଉଛି, ହନିପ୍ରୀତ ବୁର୍କା ପିନ୍ଧି ଜଣେ ସହଯୋଗୀଙ୍କ ସହ ପ୍ରଦୀପ ଆର୍ଯ୍ୟଙ୍କ ଘରକୁ ଆସିଥିଲେ । ଦିଲ୍ଲୀ ହାଇକୋର୍ଟରେ ହନିପ୍ରୀତଙ୍କ ଆଗୁଆ ଜାମିନ ଆବେଦନ କରିଥିବା ପ୍ରଦୀପ ଆର୍ଯ ମଧ୍ୟ କହିଛନ୍ତି, ସୋମବାର ଦିନ ହନିପ୍ରୀତ ତାଙ୍କ ଘରକୁ ବେଲ ଆବେଦନ ପାଇଁ ଦରକାରୀ କାଗଜପତ୍ର ଧରି ଆସିଥିଲେ । ତେବେ ସିସିଟିଭିରେ ଦେଖାଯାଉଥିବା ମହିଳା ବୁର୍କାରେ ମୁହଁ ଘୋଡାଇଥିବାରୁ ଏ ନେଇ କିଛି ସ୍ପଷ୍ଟ ହୋଇପାଇନାହିଁ । ସିସିଟିଭି କେତେ ସତ କେତେ ମିଛ ଛାନଭିନ କରୁଛି ପୁଲିସ ।

honeypreet-2-for-video-647_091817054604ଦିଲ୍ଲୀର ବିଭିନ୍ନ ସ୍ଥାନରେ ରେଡ୍ କରିଛି ପୁଲିସ । ଦକ୍ଷିଣ ଦିଲ୍ଲୀରେ ଥିବା ହନିପ୍ରୀତଙ୍କ ଘର ଉପରେ ବି ଚଢାଉ କରାଯାଇଛି । ହେଲେ ହନିପ୍ରୀତଙ୍କ କୌଣସି ପତ୍ତା ମିଳିନାହିଁ । ସେପଟେ ଦିଲ୍ଲୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରି ହନିପ୍ରୀତଙ୍କ ଓକିଲ କହିଛନ୍ତି, ଡ୍ରଗ୍ସ ମାଫିଆ ପକ୍ଷରୁ ରହିଛି ତାଙ୍କ ଜୀବନ ପ୍ରତି ବିପଦ । ଜାମିନ ଆବେଦନରେ ହନିପ୍ରୀତ ଉଲ୍ଲେଖ କରିଛନ୍ତି ମିଛ କେସରେ ତାଙ୍କ ବାପା ରାମ ରହିମଙ୍କୁ ଫସାଇ ଦିଆଯାଇଛି । ଏହି ଆବେଦନକୁ ହରିୟାଣା ଓ ଦିଲ୍ଲୀ ପୁଲିସ ପକ୍ଷରୁ ବିରୋଧ କରାଯାଇଛି । ତେବେ ହନିପ୍ରୀତଙ୍କୁ କୋର୍ଟରେ ସରେଣ୍ଡର କରିବାକୁ କହିଛନ୍ତି ଦିଲ୍ଲୀ ହାଇକୋର୍ଟ ।

ଗତ ଅଗଷ୍ଟ ୨୫ ତାରିଖରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ଦୁଇ ସାଧ୍ୱୀଙ୍କ ବଳାତ୍କାର ମାମଲାରେ ରାମ ରହିମ ଦୋଷୀ ସାବ୍ୟସ୍ତ କରିବା ପରେ ରାମରହିମଙ୍କ ସହ ରୋହତକ ଜେଲ ପର୍ଯ୍ୟନ୍ତ ଯାଇଥିଲେ ହନିପ୍ରୀତ । ଏହା ପରେ ତାଙ୍କର କୌଣସି ପତ୍ତା ମିଳିନଥିଲା । ହିଂସା ପାଇଁ ଉସୁକାଇବା ଏବଂ ରାମରହିମଙ୍କୁ ପୁଲିସ ହାତରୁ ଛଡାଇନେବା ପାଇଁ ଷଡଯନ୍ତ୍ର କରିବା ଅଭିଯୋଗରେ ହନିପ୍ରୀତକୁ ଖୋଜୁଛି ପୁଲିସ ।