ଗୋଟିଏ ଦେଶ ଗୋଟିଏ କାର୍ଡ ପାଇଁ ଅମିତ ଶାହାଙ୍କ ଆହ୍ୱାନ : ଗୋଟିଏ କାର୍ଡରେ ରହିବ ଆଧାର, ପାସପୋର୍ଟ ଓ ଡ୍ରାଇଭିଂ ଲାଇସେନ୍ସ 

933

କନକ ବ୍ୟୁରୋ : ଗୋଟିଏ ଦେଶ ଗୋଟିଏ କାର୍ଡ । ଗୋଟିଏ ଲୋକ ପାଇଁ ଗୋଟିଏ କାର୍ଡ ପାଇଁ ପ୍ରସ୍ତାବ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ସେଥିରେ ଆଧାର କାର୍ଡ ସହ ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ ଓ ବ୍ୟାଙ୍କ୍ ଆକାଉଂଟ ବି ରହିବ । ଏ ନେଇ ବିଚାରବିମର୍ଷ ଆରମ୍ଭ ହେବା ଉଚିତ ବୋଲି ଗୃହ ମନ୍ତ୍ରୀ ଅମିତ ଶାହା କହିଛନ୍ତି । ଗୋଟିଏ କାର୍ଡରେ ଲୋକଙ୍କୁ ବହୁ ପ୍ରକାର ସୁବିଧା ମିଳିପାରିବ । ସୋମବାର ଦିଲ୍ଲୀରେ ନୂଆ ଜନଗଣନା ଭବନର ଶିଳାନ୍ୟାସ ଅବସରରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଦେଇଛନ୍ତି ଏଭଳି ଆହ୍ୱାନ । ଏତଦ୍ ବ୍ୟତୀତ ଏଭଳି ଏକ ସିଷ୍ଟମ ରହିବା ଉଚିତ୍, ଯଦି କୌଣସୀ ବ୍ୟକ୍ତି ମୃତ୍ୟୁବରଣ କରେ, ତେବେ ଅଟୋମେଟିକ ତାହାର ତଥ୍ୟ ପପୁଲେସନ ଡାଟାରେ ଅପଡେଟ୍ ହୋଇଯିବ ।

ବର୍ଷେ ତଳେ ସୁପ୍ରିମକୋର୍ଟଙ୍କ ୫-ଜଣିଆ ଖଣ୍ଡପୀଠ ଆଧାର କାର୍ଡ କେଉଁଥିରେ ଲିଙ୍କ୍ କରାଯିବା ବାଧ୍ୟତାମୂଳକ ହେବା ଉଚିତ ସେନେଇ ସ୍ପଷ୍ଟ ରାୟ ଦେଇଥିଲେ । ବ୍ୟକ୍ତି ଗୋପନୀୟତା ଦୃଷ୍ଟିରୁ ଆଧାର କାର୍ଡକୁ ବ୍ୟାଙ୍କ୍ ଆକାଉଂଟ ସହ ଯୋଡ଼ିବା ବାଧ୍ୟତାମୂଳକ ନୁହେଁ ବୋଲି କୋର୍ଟ କହିଥିଲେ । ତେବେ ସରକାରୀ ଯୋଜନାର ଲାଭ ପାଇବା ପାଇଁ, ପାନ୍ କାର୍ଡ କିମ୍ବା ପାସପୋର୍ଟ ତିଆରି ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ବୋଲି ସୁପ୍ରିମକୋର୍ଟ କହିଥିଲେ । ୱାନ ନେସନ୍-ୱାନ୍ ଲାଙ୍ଗୁଏଜ୍ ଭଳି ଶାହାଙ୍କ ୱାନ ନେସନ୍-ୱାନ୍ କାର୍ଡ ବିବାଦ ସୃଷ୍ଟି କରିବ ନାହିଁ ତ ବୋଲି ଏବେ ପ୍ରଶ୍ନ ଉଠିଛି ।