ଯେବେ ଇତିହାସ ରଚିବାକୁ ସଂସଦରେ ପଶୁଥିଲେ ଅମିତ ଶାହା…ସମସ୍ତଙ୍କ ମଧ୍ୟରେ ଥିଲା ଉତ୍କଣ୍ଠା, ହସୁଥିଲେ ଶାହା ।

260

କନକ ବ୍ୟୁରୋ : ଅମରନାଥ ଯାତ୍ରୀଙ୍କୁ ଫେରିବାକୁ ନିର୍ଦ୍ଦେଶ, ସୀମାରେ ହଜାର ହଜାର ସୈନ୍ୟ ଠୁଳ ଏବଂ ପ୍ରମୁଖ ନେତାଙ୍କୁ ନଜରବନ୍ଦୀ କରି ରଖିବା ଭଳି ତମାମ୍ ଘଟଣା, କାଶ୍ମୀରକୁ ନେଇ ମୋଦି ସରକାରଙ୍କ ବଡ ନିଷ୍ପତିକୁ ସୂଚାଉଥିଲା । ଆଉ, ସମସ୍ତଙ୍କ ନଜର ଅଟକିଯାଇଥିଲା ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ ।

ମନରେ ଗଭୀର ଆତ୍ମବିଶ୍ୱାସ ଆଉ ହାତରେ ଥିଲା ସେହି ଫାଇଲ, ଯେଉଁଥିରେ ଥିଲା କୋଟି କୋଟି ଭାରତୀୟଙ୍କ ଉତ୍କଣ୍ଠାର ଉତ୍ତର । ୭୦ ବର୍ଷର ଇତିହାସ ବଦଳାଇବାର ବଡ ଘୋଷଣା । କାଶ୍ମୀରକୁ ନେଇ ଆଶା, ଆଶଙ୍କା ଓ ରହସ୍ୟ ଚରମସୀମାରେ ପହଁଚିଥିବା ବେଳେ ସଂସଦରେ ପହଁଚିଥିଲେ ମୋଦି ସରକାରର ନମ୍ବର ଟୁ ନେତା ଅମିତ ଶାହା । କାରରୁ ଓହ୍ଲାଇ ସିଧାସଳଖ ସଂସଦ ଭିତରକୁ ଯିବା ବେଳେ ଗୃହମନ୍ତ୍ରୀଙ୍କ ମଧ୍ୟରେ ଗଭୀର ଆତ୍ମବିଶ୍ୱାସ ବାରି ହେଉଥିଲା । ଦେଶ ପାଇଁ ବଡ ପରିବର୍ତ୍ତନ ଆଣିବାର ଏକ ବଡ ଘୋଷଣା ଯେମିତି ଅପେକ୍ଷା କରିଥିଲା ।

ଅମରନାଥ ଯାତ୍ରୀଙ୍କୁ ଫେରିବାକୁ ନିର୍ଦ୍ଦେଶ, ଘାଟିରେ ହଜାର ହଜାର ଯବାନ ଠୁଳ କରିବା ଏବଂ ସୀମା ନିକଟରେ ନେତାଙ୍କୁ ନଜରବନ୍ଦୀ ରଖିବା, ଏଭଳି ତମାମ୍ ଘଟଣା ମୋଦି ସରକାରଙ୍କ ଏକ ବଡ ଘୋଷଣା ଆଡକୁ ଇଙ୍ଗିତ କରୁଥିବା ବେଳେ, ଶାହାଙ୍କ ଉପରେ ରହିଥିଲା ସମସ୍ତଙ୍କ ନଜର । କେଉଁ ଇତିହାସ ବଦଳାଇବାକୁ ଯାଉଛନ୍ତି ସରକାର ? ଦେଶର ରାଜନୀତିରେ କ’ଣ ଆସିବ ପରିବର୍ତନ ? କାଶ୍ମୀର ପାଇଁ କେଉଁ ନୂଆ କାହାଣୀ ଲେଖିବାକୁ ଯାଉଛନ୍ତି ମୋଦି ସରକାର ? କୋଟି କୋଟି ଲୋକଙ୍କ ଏଭଳି ପ୍ରଶ୍ନ ଭିତରେ, ସଂସଦରେ ଐତିହାସିକ ନିଷ୍ପତି ନିଆଯାଇଛି ।