ଦଣ୍ଡ ଦେଇ ଫସିଲେ ରିଜର୍ଭ ଇନ୍ସପେକ୍ଟର୍ ! ୪ ହୋମଗାର୍ଡଙ୍କୁ ଆଣ୍ଠେଇବା ଘଟଣାରେ ଜବାବ ଦେବାକୁ ନିର୍ଦ୍ଦେଶ

41

କନକ ବ୍ୟୁରୋ : ଦଣ୍ଡ ଦେଇ ଫସିଲେ ରିଜର୍ଭ ଇନସ୍ପେକ୍ଟର ଅଶୋକ ସେଠୀ । ମୟୁରଭଞ୍ଜ ବାରିପଦାରେ ୪ ହୋମଗାର୍ଡଙ୍କୁ ଆଣ୍ଠେଇବା ଘଟଣାରେ ରିଜର୍ଭ ଇନ୍ସପେକ୍ଟର ଅଶୋକ ସେଠୀଙ୍କୁ ଲିଖିତ ଭାବେ ପକ୍ଷ ରଖିବାକୁ ରାଜ୍ୟ ମାନବିକ ଅଧିକାର କମିଶନ ୩ ସପ୍ତାହ ସମୟ ଦେଇଛି । ରାଜ୍ୟ ମାନବାଧିକାର କମିଶନରେ ଏହାର ଆଜି ଦ୍ୱିତୀୟ ଶୁଣାଣି ଥିଲା ।

ହୋମଗାର୍ଡ ଆଇଜି ସନ୍ତୋଷ ବାଳା.ମୟୁରଭଂଜ ଏସପି ଅନିରୁଦ୍ଧ ସିଂ, ଦଣ୍ଡ ଦେଇଥିବା ରିଜର୍ଭ ଇନ୍ସପେକ୍ଟର ଅଶୋକ ସେଠୀ ଆଜି ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ହାଜର ହୋଇଥିଲେ । ମାମଲାର ପରବର୍ତ୍ତୀ ଶୁଣାଣି ସେପେଟମ୍ବର ୧୫ରେ ହେବ । ସେପଟେ ଆର. ଆଇଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଓ ଆଣ୍ଠେଇଥିବା ହୋମଗାର୍ଡଙ୍କୁ କ୍ଷତିପୂରଣ ପାଇଁ ହୋମଗାର୍ଡ ସଂଘ ଦାବି କରିଛି ।

ଗତ ୨୫ ଜୁନରେ ବାରିପଦା ହୋମଗାର୍ଡ ଅଫିସ ସାମ୍ନାରେ ରିଜର୍ଭ ଇନସ୍ପପେକ୍ଟର ଅଶୋକ ସେଠୀ ୪ ଜଣ ହୋମଗାର୍ଡଙ୍କୁ ଆଣ୍ଠେଇଦେଇଥିଲେ । ଉପଯୁକ୍ତ ଡ୍ରେସ କୋଡରେ ନଥିବାରୁ ହୋମଗାର୍ଡଙ୍କ ଆଣ୍ଠେଇଦେଇଥିଲେ । ସେମାନଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଥିଲେ । ଫଟୋ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା । ଏହାପରେ ହୋମଗାର୍ଡ ଡିଜି ରିପୋର୍ଟ ମାଗିଥିଲେ । କେବଳ ୟୁନିଫର୍ମ ପିନ୍ଧିନଥିବାରୁ ରଥ ଡ୍ୟୁଟିରେ ଆସିଥିବା କର୍ମଚାରୀଙ୍କ ଉପରେ ଶୃଙ୍ଖଳା ଆଳରେ କଡା କାର୍ଯ୍ୟାନୁଷ୍ଠାନ ନେଇଥିଲେ ଆରଆଇ ।