ରଙ୍ଗର ଉତ୍ସବରେ ରଂଗୀନ ପୁରପଲ୍ଲୀ ! ଫଗୁର ରଙ୍ଗରେ ରଙ୍ଗେଇ ହେଲା ସାରା ରାଜ୍ୟ

51

କନକ ବ୍ୟୁରୋ : ରଙ୍ଗର ପର୍ବ ହୋଲି । ଫଗୁର ରଙ୍ଗରେ ମସଗୁଲ ହୋଇଛନ୍ତି ଛୋଟଠାରୁ ବଡ ପର୍ଯ୍ୟନ୍ତ । ଫଗୁର ରଙ୍ଗରେ ରଙ୍ଗେଇ ହୋଇଛି ସାରା ରାଜ୍ୟ । ଖୁବ ଉତ୍ସାହର ସହ ହୋଲି ପାଳିଛନ୍ତି ଆବାଳ ବୃଦ୍ଧ ବନିତା । ହିଂସା ଦ୍ୱେଷ ଭୁଲି ଭାଇଚାରା ଓ ସଦଭାବନାର ବାର୍ତ୍ତା ଦେଇଛି ରଙ୍ଗର ଏହି ମହାପର୍ବ ।

ରଙ୍ଗର ଉତ୍ସବରେ ରଂଗୀନ ହୋଇଛି ପୁରପଲ୍ଲୀ । ସମସ୍ତେ ଏକାକାର ହୋଇ ପାଳିଛନ୍ତି ଭାଇଚାରା ଓ ସଦଭାବନାର ପର୍ବକୁ । ପରସ୍ପର ମଧ୍ୟରେ ଖୁସି ବାଂଟିବାର ସୁଯୋଗକୁ ହାତଛଡ଼ା ନକରି ସାମିଲ ହୋଇଛନ୍ତି ରଙ୍ଗର ମହାଉତ୍ସବରେ । କିଏ ଅବିର, କିଏ ପିଚକାରୀ ତ କିଏ ସୁରକ୍ଷା ଦୃଷ୍ଟିରୁ ହର୍ବାଲ ହୋଲିର ମଜା ନେଇଛନ୍ତି । ପୂର୍ବରୁ ପଶ୍ଚିମ, ଉତରରୁ ଦକ୍ଷିଣ, ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ପଗୁର ରଙ୍ଗରେ ହୋଇଛନ୍ତି ରଙ୍ଗୀନ ।

ଗୋଟିଏ ପଟେ ହୋଲି ଖେଳରେ ମସଗୁଲ ହୋଇଛନ୍ତି ବିଦେଶୀ ପର୍ଯ୍ୟଟକ । କୋଣାର୍କ-ପୁରୀ ବେଳାଭୂମିରେ ଧୁମଧାମରେ ହୋଲି ଖେଳିଛନ୍ତି ବିଦେଶୀ । ପୁରୀରେ ଜାପାନୀମାନେ ହୋଲି ଉତ୍ସବ ମନାଇଛନ୍ତି । ତେବେ ରାସାୟନିକ ରଂଗରୁ ଦୂରରେ ରହି ହର୍ବଲ ରଂଗରେ ହୋଲି ଖେଳି ଭାଇଚାରା ଓ ସାଂସ୍କୃତିକ ଭାବର ଆଦାନ ପ୍ରଦାନ କରିଛନ୍ତି । ଅନ୍ୟପଟେ ରାଜଧାନୀ ଭୁବନେଶ୍ୱରରେ ହୋଲି ପାଳିଛନ୍ତି କିନ୍ନର ସମୁଦାୟ । ପରସ୍ପରକୁ ରଙ୍ଗ ଓ ଅବିର ବୋଳି ହୋଲିର ଶୁଭେଚ୍ଛା ଜଣାଇଛନ୍ତି ।

ପୁରୀରେ ଭିନ୍ନକ୍ଷମଙ୍କ ସହ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ମନାଇଛନ୍ତି ହୋଲି । ନାଚଗୀତରେ ସାମିଲ ହୋଇ ସ୍କୁଲ ଛାତ୍ରଛାତ୍ରୀଙ୍କ ଗହଣରେ ରଙ୍ଗ ଖେଳିଛନ୍ତି ଜିଲ୍ଲାପାଳ । ସେପଟେ ସୀମାରେ ଦେଶର ସୁରକ୍ଷା ଯୋଗାଉଥିବା ଯବାନ ମଧ୍ୟ ରଙ୍ଗର ପର୍ବକୁ ଆନନ୍ଦ ଉତ୍ସାହର ସହ ପାଳନ କରିଛନ୍ତି । ପରସ୍ପରକୁ ରଙ୍ଗ ଲଗାଇ ଏକକାର ହୋଇଯାଇଛନ୍ତି ସମସ୍ତେ । ସେହିପରି ରାଜ୍ୟର ବିଭିନ୍ନ ଅଂଚଳରେ ଆଜି ଦହିହାଣ୍ଡି ଭଙ୍ଗା ଉତ୍ସବ ମଧ୍ୟ ପାଳନ କରାଯାଇଛି ।