କମ୍ପିଲା କଳିଙ୍ଗ ଷ୍ଟାଡିୟମ୍ ! ଧୁମଧାମରେ ଶେଷ ହେଲା ହକି ବିଶ୍ୱକପ୍ ୨୦୧୮, ବିଶ୍ୱବିଜୟୀ ବନିଲା ବେଲଜିୟମ୍ ।

265

କନକ ବ୍ୟୁରୋ : ଧୁମଧାମରେ ଶେଷ ହୋଇଛି ଓଡିଶା ପୁରୁଷ ହକି ବିଶ୍ୱକପ୍ ୨୦୧୮ । ୧୬ଟି ଦଳକୁ ପଛରେ ପକାଇ ବିଶ୍ୱବିଜେତା ବନିଛି ବେଲଜିୟମ୍ । ସେହିପରି ରନର୍ସ ଅପ୍ ଟ୍ରଫି ହାସଲ କରିଛି ନେଦରଲାଣ୍ଡ । ତୃତୀୟ ସ୍ଥାନରେ ରହିବା ସହ ବ୍ରୋଞ୍ଜ ହାତେଇଛି ଟିମ୍ ଅଷ୍ଟ୍ରେଲିଆ । ଫାଇନାଲ ଫାଇଟରେ ହେଲା ରୋମାଞ୍ଚଭରା ଜବରଦସ୍ତ ଟକ୍କର । ଦୁଇ ଶକ୍ତିଶାଳୀ ଦଳ ନେଦରଲାଣ୍ଡ ଏବଂ ବେଲଜିୟମ୍ ମଧ୍ୟରେ ଫାଇନାଲରେ ମୁକାବିଲାରେ ଦେଖିବାକୁ ମିଳିଛି କଡା ଟକ୍କର । ସଡନ୍ ଡେଥରେ ନେଦରଲାଣ୍ଡକୁ ହରାଇ ବିଶ୍ୱକପ ଟାଇଟଲ୍ ହାସଲ କରିଛି ବେଲଜିୟମ୍ । ପ୍ରଥମ ଥର ପାଇଁ ବିଶ୍ୱକପ ଜିତିବା ସହ କଳିଙ୍ଗରେ ଇତିହାସ ରଚିଛି ବେଲଜିୟମ୍ ।

ଗତ ନଭେମ୍ବର ୨୭ ତାରିଖରୁ ଆରମ୍ଭ ହୋଇଥିଲା ହକି ବିଶ୍ୱକପ ୨୦୧୮ ମହାଲଢେଇ । ୧୬ଟି ଦେଶକୁ ନେଇ ଏହି ବଡ ପ୍ରତିଯୋଗିତା ଆୟୋଜନ କରିଥିଲା ଓଡିଶା । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଏବଂ ବଡ ବଡ ତାରକାଙ୍କୁ ନେଇ ନଭେମ୍ବର ୨୬ ତାରିଖରେ ଉଦଘାଟିତ ହୋଇଥିଲା ଓଡିଶା ପୁରୁଷ ହକି ବିଶ୍ୱକପ୍ ୨୦୧୮ । ନଭେମ୍ବର ୨୭ ତାରିଖରୁ ଡିସେମ୍ବର ୧୬ ତାରିଖ, ଦୀର୍ଘ ୨୦ ଦିନ ଧରି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଜମିଥିଲା ହକି ମାହୋଲ । କିଏ ହେବ ହକି ବିଶ୍ୱକପ ୨୦୧୮ର ବିଶ୍ୱବିଜେତା ଆଉ କଳିଙ୍ଗ ଷ୍ଟାଡିୟମରେ ରଚିବ ନୂଆ ଇତିହାସ, ସେନେଇ ଚାଲିଥିଲା ମହାଲଢେଇ । ଶେଷରେ ୧୬ଟି ଦଳକୁ ପଛରେ ପକାଇ ବିଶ୍ୱକପ ଟାଇଟଲ୍ ହାସଲ କରିଛି ବେଲଜିୟମ୍ ।

ଉଦଯାପନୀ ସମାରୋହରେ କମ୍ପି ଉଠିଥିଲା କଳିଙ୍ଗ ଷ୍ଟାଡିୟମ୍ । ଫାଇନାଲ ଫାଇଟେ ସହ ହକି ବିଶ୍ୱକପ୍ ୨୦୧୮ର ଶେଷ ଦିନରେ ଯୋଗ ଦେଇଥିଲେ କ୍ରିକେଟ ଜଗତର ଭଗବାନ ସଚିନ୍ ତେନ୍ଦୁଲକର । ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ । ଉଦଯାପନୀ ସମାରୋହରେ ଶ୍ରେଷ୍ଠ ଖେଳାଳୀ ଏବଂ ଶ୍ରେଷ୍ଠ ଦଳମାନଙ୍କୁ ପୁରଷ୍କୃତ କରାଯାଇଥିଲା । ବିଶ୍ୱବିଜେତା ହେବା ପରେ କଳିଙ୍ଗ ଷ୍ଟାଡିୟମରେ ନାଚି ଉଠିଥିଲେ ଟିମ୍ ବେଲଜିୟମର ଖେଳାଳୀ । ସେପଟେ ନେଦରଲାଣ୍ଡ ଖେଳାଳୀଙ୍କ ମଧ୍ୟରେ ଖେଳିଯାଇଥିଲା ଦୁଃଖର ଲହରୀ । ନେଦରଲାଣ୍ଡ ଖେଳାଳୀଙ୍କ ଆଖିରେ ଲୁହ ଆସିଯାଇଥିଲା । ତେବେ ବଡ ଧୁମଧାମ ସହ ଶେଷ ହୋଇଛି ହକି ବିଶ୍ୱକପ୍ ୨୦୧୮ ।