ହକି ବିଶ୍ୱକପ୍ ୨୦୧୮ ! ଇଂଲଣ୍ଡ ଓ ଫ୍ରାନ୍ସ ହାସଲ କଲେ କ୍ୱାର୍ଟର ଫାଇନାଲ ଟିକେଟ୍ ।

117

କନକ ବ୍ୟୁରୋ : ଲିଗ୍ ମ୍ୟାଚ୍ ପରେ ଆଜିଠୁ ଆରମ୍ଭ ହୋଇଛି କ୍ରସଓଭର । ବିଶ୍ୱକପ ହକିର ପ୍ରଥମ କ୍ରସଓଭର ମ୍ୟାଚରେ ଇଂଲଣ୍ଡ ୨-୦ ଗୋଲରେ ନ୍ୟୁଜିଲାଣ୍ଡକୁ ହରାଇ କ୍ୱାଟର ଫାଇନାଲକୁ ପ୍ରବେଶ କରିଛି । ଅନ୍ୟ ଏକ କ୍ରସଓଭର ମ୍ୟାଚରେ ଫ୍ରାନ୍ସ ଚୀନକୁ ୧-୦ ଗୋଲରେ ହରାଇ କ୍ୱାର୍ଟର ଫାଇନାଲକୁ ପ୍ରବେଶ କରିଛି । ତେବେ କ୍ରସଓଭର ମ୍ୟାଚର ଶେଷ ସ୍ଥାନରେ ରହୁଥିବା ଦୁଇଦଳ ନ୍ୟୁଜିଲାଣ୍ଡ ଏବଂ ଚୀନ ବିଶ୍ୱକପରୁ ବାହାରି ଯାଇଛନ୍ତି । ସେହିଭଳି ଆସନ୍ତାକାଲି ଦ୍ୱିତୀୟ ଦିନ କ୍ରସଓଭର ମ୍ୟାଚ ବେଲଜିୟମ୍ ବନାମ ପାକିସ୍ଥାନ ଏବଂ ଅନ୍ୟ ଏକ ମ୍ୟାଚ୍ ନେଦରଲାଣ୍ଡ ବନାମ କାନାଡା ମଧ୍ୟରେ ଅନୁଷ୍ଠିତ ହେବ ।

ତେବେ ବିଶ୍ୱକପର ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚ ଆସନ୍ତା ୧୨ ତାରିଖରେ ଅନୁଷ୍ଠିତ ହେବ । ଏଥିରେ ଇଂଲଣ୍ଡ ବନାମ ଆର୍ଜେଟିଂନା ଏବଂ ଅନ୍ୟଏକ ମ୍ୟାଚ ଫ୍ରାନ୍ସ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେବ । ଆସନ୍ତାକାଲିର ମ୍ୟାଚ ଶେଷ ହେବା ପରେ କ୍ୱାର୍ଟର ଫାଇନାଲର ପୁରା ସୂଚୀ ସାମ୍ନାକୁ ଆସିବ । ତେବେ ସମସ୍ତଙ୍କ ମନରେ ରହିଛି ଗୋଟିଏ ପ୍ରଶ୍ନ, କ୍ୱାର୍ଟର ଫାଇନାଲରେ ଭାରତ କାହା ବିପକ୍ଷରେ ଖେଳିବ । ତେବେ ଆସନ୍ତାକାଲି ନେଦରଲାଣ୍ଡ ଏବଂ କାନାଡା ମଧ୍ୟରେ କ୍ରସଓଭର ମ୍ୟାଚ ଖେଳାଯିବ । ଏହି ଦୁଇ ଟିମ୍ ମଧ୍ୟରୁ ଯିଏ ବିଜୟ ଲାଭ କରିବ ସେହି ଦଳ କ୍ୱାର୍ଟର ଫାଇନାଲରେ ଭାରତକୁ ଭେଟିବ ।