ବିଶିଷ୍ଟ ସଂଳାପ ଲେଖକ ରଣଜିତ ପଟ୍ଟନାୟକଙ୍କ ପରଲୋକ । ଓଡ଼ିଆ ସିନେ ଜଗତରେ ଶୋକର ଛାୟା

115

କନକ ବ୍ୟୁରୋ : ଆଉ ନାହାନ୍ତି ଓଡ଼ିଆ ଚଳଚ୍ଚିତ୍ର ସଂଳାପ ଲେଖକ ରଣଜିତ୍ ପଟ୍ଟନାୟକ । କଟକ ସ୍ଥିିତ ସିଡ଼ିଏ-୯ ନମ୍ବର ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି । କିଛି ଦିନ ହେଲା ସେ ଲିଭର ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ତେବେ ଗତକାଲି ମଙ୍ଗଳବାର ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଛି । ରଣଜିତ ଏକାଧାରରେ ଜଣ ଅଭିନେତା, ନିର୍ଦ୍ଦେଶକ, ନାଟ୍ୟକାର ଓ ସଙ୍ଗୀତକାର ମଧ୍ୟ । ବହୁ ଓଡ଼ିଆ ଫିଲ୍ମରେ ସେ ସଂଳାପ ଲେଖିଥିବା ବେଳେ ବହୁ ଓଡ଼ିଆ ନାଟକ ସହ ଟେଲି ସିରିଏଲରେ ମଧ୍ୟ ସଂଳାପ ରଚନା ଜାରି ରଖିଥିଲେ ।

ତାଙ୍କର ପ୍ରଥମ ଚଳଚ୍ଚିତ୍ର ହେଉଛି ‘ଗୋପରେ ବଢୁଛି କଳା କହ୍ନେଇ’ । ତା ସହିତ ସେ ସଂଳାପ ଦେଇଥିବା ଲୋକପ୍ରିୟ ଫିଲ୍ମ ଗୁଡିକ ହେଉଛି ପ୍ରେମୀ ନମ୍ବର ୱାନ୍ , ବର୍ଷା ମାଇଁ ଡାର୍ଲିଂ, ପ୍ରେମ ଋତୁ ଆସିଲାରେ ଓ ଡନ୍ ଇତ୍ୟାଦି । ପ୍ରାୟ ୭୦ଟି ଓଡ଼ିଆ ଫିଲ୍ମରେ ସେ ସଂଳାପ ଲେଖିଥିବା ବେଳେ ତାଙ୍କର ବହୁ ଫିଲ୍ମ ସୁପରହିଟ୍ ହୋଇପାରିଛି । ରଣଜିତଙ୍କ ମୃତ୍ୟୁରେ ଓଡ଼ିଆ ସିନେ ଜଗତରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ଶେଷ ଦର୍ଶନ ପାଇଁ ତାଙ୍କ ବାସଭବନରେ ଭିଡ଼ ଲାଗିଛି ।