ଖୋଲିବ ହୀରାକୁଦ, ବଢିବ ବନ୍ୟାର ଭୟ । ୨ଦିନ ଭିତରେ ଅବପାତର ରୂପ ନେବ ଲଘୁଚାପ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

45

କନକ ବ୍ୟୁରୋ : ପାଣିପାଗ ବିଭାଗର ପୂର୍ବାନୁମାନ ଓଡିଶା ପାଇଁ ଚିନ୍ତା ବଢାଇପାରେ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୪୮ ଘଂଟା ମଧ୍ୟରେ ଘନୀଭୂତ ହୋଇ ଅବପାତର ରୂପ ନେବ । ସେପଟେ ହୀରାକୁଦର ଜଳସ୍ତର ବଢିବାରେ ଲାଗିଛି । ଛତିଶଗଡ କଲମା ବ୍ୟାରେଜର ସମସ୍ତ ଗେଟ୍ ଖୋଲି ଦେଇଥିବାରୁ ହୀରାକୁଦକୁ ପ୍ରବଳ ପରିମାଣରେ ଜଳ ପ୍ରବାହ ବଢିଯାଇଛି । ଆସନ୍ତା ୨୪ ତାରିଖରେ ହୀରାକୁଦରୁ ବନ୍ୟାଜଳ ନିଷ୍କାସନ କରିବା ପାଇଁ ପ୍ରଶାସନ ନିଷ୍ପତି ନେଇଛି ।

ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ସ୍ଥିତି ବେହାଲ । ଯୁଆଡେ ଚାହିଁବ ପାଣି ହିଁ ପାଣି । ଗୋଟିଏ ଟାପୁରେ ପରିଣତ ହୋଇଯାଇଛି ସଦର ମହକୁମା । ଏମ.ଭି-୧୧, କୋରୁକୋଣ୍ଡା ଓ ତାର୍ଲାକୋଟା ଠାରେ ପୋଲ ଉପରେ ତିନି ଫୁଟ ଉପରେ ପାଣି ପ୍ରବାହିତ ହୋଇଛି । ଫଳରେ ମାଲକାନଗିରି ଓ ବାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଜାତୀୟ ରାଜପଥରେ ଗୋବିନ୍ଦପାଲିଠାରେ ରାସ୍ତା ଧୋଇଯାଇଛି । ପାଙ୍ଗାମ, ପୋଟେରୁ, ଗାମ୍ପାକୋଣ୍ଡା, ଏମ.ଭି -୯୦ ଆଦି ସ୍ଥାନରେ ପୋଲ ଉପରେ ୬ ରୁ ୭ ଫୁଟ ପାଣି ପ୍ରବାହିତ ହେଉଥିବାରୁ ମାଲକାନଗିରି ଜିଲ୍ଲାରେ ଯାନବାହନ ଚଳାଚଳ ସଂପୂର୍ଣ ଠପ ହୋଇପଡିଛି । ମାଲକାନଗିରି-ଜୟପୁର ମଧ୍ୟରେ ଯାତାୟାତ ସଂପୂର୍ଣ୍ଣ ବନ୍ଦ ରହିଛି । ଜିଲ୍ଲାରେ ହାରାହାରି ୭୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଆସନ୍ତା ୨୪ ତାରିଖରେ ହୀରାକୁଦରୁ ଛଡ଼ାଯିବ ପ୍ରଥମ ବନ୍ୟା ଜଳ । ଏଥିପାଇଁ ମହାନଦୀ ଅବବାହିକାର ଜିଲ୍ଲାଗୁଡ଼ିକୁ ସତର୍କ ସୂଚନା ଜାରି କରିଛନ୍ତି ହୀରାକୁଦ ଡ୍ୟାମ କର୍ତୃପକ୍ଷ । ଆଜି ଦିନ ୧୨ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୦୭. ୮୭ ଫୁଟ୍ ରହିଥିଲା । ପ୍ରତି ସେକେଣ୍ଡରେ ୧ ଲକ୍ଷ ୧୧ ହଜାର ୬ ଶହ କ୍ୟୁସେକ୍ ବନ୍ୟା ଜଳ ଡ୍ୟାମ୍ ମଧ୍ୟକୁ ପ୍ରବେଶ କରୁଛି । ଉପରମୁଣ୍ଡରେ ଥିବା କଲମା ବ୍ୟାରେଜର ସମସ୍ତ ୬୬ ଯାକ ଗେଟ୍ ଖୋଲି ଦିଆଯିବାରୁ ହୀରାକୁଦ ଜଳସ୍ତର ବଢ଼ିବାରେ ଲାଗିଛି । ହୀରାକୁଦ ଡ୍ୟାମର ତଳମୁଣ୍ଡ ଓ ଉପରମୁଣ୍ଡରେ ହେଉଥିବା ବର୍ଷାର ଆକଳନ କରି କେତେ ଗେଟ୍ ଖୋଲାଯିବ ତାହା ୨୪ ତାରିଖ ଦିନ ହିଁ ଧାର୍ଯ୍ୟ କରାଯିବ ।

ସେପଟେ ଉତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୪୮ ଘଂଟା ମଧ୍ୟରେ ଅବପାତରେ ପରିଣତ ହେବ । ଏହା ଏବେ ୱେଲମାର୍କର ରୂପ ନେଇଛି । ଏହାର ପ୍ରଭାବରେ ରାଜ୍ୟରେ ଆରମ୍ଭ ହୋଇଯାଇଛି ଲଗାଣ ବର୍ଷା । ବିଶେଷ କରି ଗଂଜାମ, ଗଜପତି, ରାୟଗଡା ଓ କନ୍ଧମାଳ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ଋଷିକୂଲ୍ୟା, ବଂଶଧାରା ଓ ମହାନଦୀ, ବୈତରଣୀ, ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବଢିପାରେ । ସେହିପରି ଦୁଇ ଦିନ ଧରି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସବୁ ଜିଲ୍ଲାକୁ ସତର୍କ କରିଛନ୍ତି ଏସଆରସି । ଅଫିସରମାନକୁ ଜିଲ୍ଲା ମୁଖ୍ୟାଳୟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ଜରୁରୀକାଳୀନ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।ଲଗାଣ ବର୍ଷା ଓ ହୀରାକୁଦର ଜଳସ୍ତର ବୃଦ୍ଧି ହେଉଥିବାରୁ ବନ୍ୟାର ଆଶଙ୍କା ବଢିଯାଇଛି ।