ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣରଙ୍କ ବୟାନକୁ ନେଇ ଚର୍ଚ୍ଚା । କହିଲେ, ବେକାରୀ ସମସ୍ୟା ଅଧିକ ରହିଲେ, ଧର୍ମ ନାଁରେ ରାଜନୀତି ଅଧିକ ଚାଲେ ।

335

କନକ ବ୍ୟୁରୋ: ପ୍ରଫେଟ ମହମ୍ମଦ ଓ ଜ୍ଞାନବାପୀ ଭଳି ପ୍ରସଙ୍ଗକୁ ନେଇ ଦେଶରେ ଅଧିକ ଚର୍ଚ୍ଚା ଆଲୋଚନା ଚାଲିଛି । ଏହାରି ଭିତରେ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କହିଛନ୍ତି ଦେଶରେ ବେକାରୀ ହାର ଅଧିକ ରହିଛି । ଏହାଦ୍ୱାରା ଧର୍ମ ରାଜନୀତିରୁ ଫାଇଦା ଉଠାଇବାକୁ ଥିବା ନେତାଙ୍କୁ ଅଧିକ ଫାଇଦା ମିିଳିବାର ସମ୍ଭାବନା ରହିଛି । ବେକାରୀ ସମସ୍ୟାକୁ ଏଡାଇବା ପାଇଁ ଏଭଳି ଉଦ୍ୟମ କରାଯାଉଥିବା କହିଛନ୍ତି ରଘୁରାମ ରାଜନ ।

ବେକାରୀ ସମସ୍ୟା ଅଧିକ ରହିଲେ, ଧର୍ମ ନାଁରେ ରାଜନୀତି ଅଧିକ ଚାଲେ । ଲୋକଙ୍କ ପାଖରେ କାମ ନଥିଲେ, ମନ୍ଦିର-ମସଜିଦ୍ ବେଶୀ ଚର୍ଚ୍ଚାର ପ୍ରସଙ୍ଗ ପାଲଟେ । ବର୍ତ୍ତମାନ ଏଭଳି ପ୍ରସଙ୍ଗକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଥିଲା ବେଳେ ଏଭଳି ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ରଘୁରାମ ରାଜନ ।

ଜ୍ଞାନବାପୀ, ପ୍ରଫେଟ୍ ମହମ୍ମଦ ଭଳି ପ୍ରସଙ୍ଗକୁ ନେଇ ସାରା ଦେଶରେ ଚର୍ଚ୍ଚା ଓ ପ୍ରତିବାଦ ଚାଲିଥିବା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କହିଛନ୍ତି, ଭାରତରେ ବେକାରୀ ହାର ଅଧିକ ରହିଛି । ଏହାଦ୍ୱାରା ଧର୍ମ ରାଜନୀତିରୁ ଫାଇଦା ଉଠାଇବାକୁ ଥିବା ନେତାଙ୍କୁ ଅଧିକ ଫାଇଦା ମିିଳିବାର ସମ୍ଭାବନା ରହିଛି । ବେରୋଜଗାରୀ ଅଧିକ ରହିଲେ, ଏହା ଅଧିକ ଅସମାନତା ସୃଷ୍ଟି କରେ ଏବଂ ସେମାନେ ଧର୍ମୀୟ ପ୍ରସଙ୍ଗରେ ନିଜକୁ ସାମିଲ କରିବା ପାଇଁ ସୁଯୋଗ ପାଆନ୍ତି । ଏହାଦ୍ୱାରା ଧର୍ମକୁ ନେଇ ଘୃଣା ସୃଷ୍ଟି କରୁଥିବା ନେତାଙ୍କୁ ଆହୁରି ଲାଭ ମିଳେ । ଜ୍ଞାନ ବାପୀରେ ମନ୍ଦିର ଭଙ୍ଗାଯାଇ ମସଜିଦ୍ କରାଯାଇଥିଲା ନା କେଉଁ ସମ୍ପ୍ରଦାୟ ପ୍ରତି ଇତିହାସରେ ଅନ୍ୟାୟ ହେଉଛି, ଏସବୁକୁ ନେଇ ବେରୋଜଗାର ଲୋକେ ମାତିଯାଆନ୍ତି ।

ସିଏନବିସିକୁ ଏକ ସାକ୍ଷାତକାର ଦେଇ ରାଜନ କହିଛନ୍ତି, ବର୍ତ୍ତମାନ ବେରୋଜଗାର ଆମର ସବୁଠାରୁ ବଡ଼ ସମସ୍ୟା । ତା’ଉପରେ ରାଜନୈତିକ ଦଳଗୁଡ଼ିକ ଫୋକସ୍ କରିବା ଉଚିତ୍ । କରୋନା ସମୟରେ ଦେଶର ଅର୍ଥନୀତି ଯେଉଁ ମାତ୍ରାରେ ଖରାପ ଥିଲା, ଏବେ କିନ୍ତୁ ସେତେଟା ଖରାପ ସ୍ଥିତିରେ ନାହିଁ । ମହିଳାଙ୍କ ଶ୍ରମ ଭାଗିଦାରୀ ମାମଲାରେ ଭାରତ, ସାଉଦି ଆରବ ଠାରୁ ବହୁତ ପଛରେ ରହିଛି । ତେଣୁ ଏସବୁ ପ୍ରସଙ୍ଗକୁ  ସମାଧାନ କରିବାର ଆବଶ୍ୟକତା ରହିଛି । ଆମେରିକା ଓ ଭାରତ ସମେତ ପୂରା ବିଶ୍ୱ ମହଙ୍ଗା ସମସ୍ୟାକୁ ନେଇ ଚିନ୍ତାରେ ଅଛନ୍ତି । ଆଗକୁ ମଧ୍ୟ ମହଙ୍ଗା ଆହୁରି ବୃଦ୍ଧି ପାଇବ ।

ବୁଧବାର ଭାରତୀୟ ରିଜର୍ଭ ବ୍ୟାଙ୍କ ରୋପୋ ରେଟ୍ ବୃଦ୍ଧି କରିଥିଲା । ୫୦ ବେସିସ୍ ପଏଂଟ ଅର୍ଥାତ୍ ଶୂନ ଦଶମିକ ୫୦ ପ୍ରତିଶତ ରେପୋ ରେଟ୍ ବୃଦ୍ଧି କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଫଳରେ ରେପୋ ରେଟ୍ ୪.୪୦ ପ୍ରତିଶତରୁ ବଢି ୪.୯୦ ପ୍ରତିଶତ ହୋଇଛି ।