ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ହାଇକୋର୍ଟ ବାର୍ ଆସୋସିଏସନ୍: ଆଜି ରାଜ୍ୟ ଆଇନଜୀବୀ ପରିଷଦ ଘେରାଉ କରିବାକୁ ଯୋଜନା

21

କନକ ବ୍ୟୁରୋ: ଆନ୍ଦୋଳନରୁ ଓହରିବା ପାଇଁ ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ଘୋଷଣା ପରେ ଗତକାଲି କେତେକ ଆଇନଜୀବୀ ହାଇକୋର୍ଟ ବାର୍ ଆସୋସିଏସନ ପରିସରରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଭିନ୍ନ ସ୍କେଗାନ ଦେବା ସହିତ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ପରେ ହାଇକୋର୍ଟ ବାର୍ ଆସୋସିଏସନ୍ ସଂପାଦକ ସତ୍ୟବ୍ରତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆକ୍ସନ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଛି। ଉପୁଜିଥିବା ପରିସ୍ଥିତ ସଂପର୍କରେ ଆଲୋଚନା କରାଯିବା ସହ ରବିବାର ଦିନ ରାଜ୍ୟ ଆଇନଜୀବୀ ପରିଷଦ ଘେରାଉ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ରବିବାର ଦିନ ସବୁ ଆଇନଜୀବୀଙ୍କୁ ହାଇକୋର୍ଟ ବାର୍ ପରିସରରେ ଏକତ୍ରିିତ ହେବାକୁ କୁହାଯାଇଛି। ଏହା ପରେ ଆଇନଜୀବୀ ପରିଷଦ ଘେରାଉ କରାଯିବ ବୋଲି କ୍ରିିମିନାଲ କୋର୍ଟସ୍ ବାର୍ ଆସୋସିଏସନ୍ ସଭାପତି ଅକ୍ଷୟ କୁମାର ପତି ସୂଚନା ଦେଇଛନ୍ତି। ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ବୈଠକରେ ରାଜ୍ୟ ଆଇନଜୀବୀ ପରିଷଦର କେତେକ ସଦସ୍ୟ ଉପସ୍ଥିତ ଥାଇ ଆନ୍ଦୋଳନକୁ ବିରୋଧ କରୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ଉପସଭାପତି ସ୍ବଇଚ୍ଛାରେ ଦସ୍ତଖତ କରିଥିଲେ: ସଂପାଦକ

ହାଇକୋର୍ଟ ବାର୍ ଆ‌େସାସିଏସନ୍ ସଂପାଦକ ସତ୍ୟବ୍ରତ ମହାନ୍ତି ପ୍ରତିକ୍ରିୟାରେ କହିଛନ୍ତି ଯେ ଔପଚାରିକ ଭାବେ ସେ ଉପସଭାପତିଙ୍କ ଇସ୍ତଫା ପ୍ରସଂଗରେ କିଛି ଜାଣି ନାହାନ୍ତି। ଗଣମାଧ୍ୟମରୁ ଏ ସଂପର୍କରେ ସୂଚନା ପାଇଛନ୍ତି। ୨୬ ତାରିଖ ଦିନ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ଉପସଭାପତି ବଂଶୀଧର ଶତପଥୀ ଅଧ୍ୟକ୍ଷତା କରିଥିଲେ। ତାଙ୍କ ଜାଣତରେ ରିଜୋଲ୍ୟୁସନ୍ କରାଯାଇଛି। ନିଜ ଇଚ୍ଛାରେ ସେ ରିଜୋଲ୍ୟୁସନରେ ଦସ୍ତଖତ କରିଛନ୍ତି। ରିଜୋଲ୍ୟୁସନରରେ ଉପସଭାପତି ଓ ସଂପାଦକଙ୍କ ଯୁଗ୍ମ ଦସ୍ତଖତ ରହିଛି। ଆସନ୍ତା ୩୦ ତାରିଖ ଯାଏ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ। ତା’ ପରେ ଆଲୋଚନା କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରାଯିବ। ଯଦି ଗଣମାଧ୍ୟମରେ ପ୍ରକାଶିତ ଖବର ସତ ହୋଇଥିବ ତେବେ ଏହା ଦୁର୍ଭାଗ୍ୟଜନକ।