ହିଂସାକାଣ୍ଡ ପରେ ଦିଲ୍ଲୀ ସୀମା ଖାଲି କରିବାକୁ ଚାଷୀଙ୍କ ଉପରେ ବଢ଼ୁଛି ଚାପ : ଟିକିରି, ସିଂଘୁ ଓ ଗାଜିପୁର ବର୍ଡରରେ ପୁଲିସ ଛାଉଣୀ; ରାକେଶ ଟିକାୟତଙ୍କ ଡାକରାରେ ପୁଣି ମେଳି ହେଲେଣି ଚାଷୀ

ଆଜି ଦିନ ୧୧ଟାରେ ମୁଜାଫରନଗରରେ ଚାଷୀଙ୍କ ମହାପଂଚାୟତ

138

କନକ ବୁରୋ : ଦିଲ୍ଲୀରେ ପୁଣି ଜୋର ଧରିଲା ଚାଷୀଙ୍କ ଆନ୍ଦୋଳନ । ଟ୍ରାକ୍ଟର ପରେଡ ସମୟରେ ହିଂସାକାଣ୍ଡକୁ ଘଟଣାକୁ ନେଇ ଦିଲ୍ଲୀ ପୁଲିସର କାର୍ଯ୍ୟାନୁଷ୍ଠାନ ଭିତରେ ଚାଷୀ ଆନ୍ଦୋଳନ ଟିକେ ଧୀମା ପଡିଯାଇଥିଲା । ତେବେ ଆଜି ଏହା ପୁଣି ଥରେ ଦାନା ବାନ୍ଧିବା ଆଶା କରାଯାଉଛି । ଏହାରି ଭିତରେ ଗାଜିପୁର ଠାରେ ଚାଷୀ ନେତା ରାକେଶ ଟିକାୟତଙ୍କ ଲୁହ ବୁହା ଆଖିରେ ଆନ୍ଦୋଳନ ଜାରି ରହିବାର ଅପିଲ୍ ପରେ , ପୁଣି ଏକାଠି ହେବାରେ ଲାଗିଛନ୍ତି ଚାଷୀ । ଆଜି ଚାଷୀ ସଂଗଠନ ଦିନ ୧୧ଟାରେ ମୁଜାଫରନଗର ଠାରେ କରିବ ମହାପଂଚାୟତ । ଏଥିରେ ବହୁ ସଂଖ୍ୟାରେ ଚାଷୀ ଯୋଗଦେବାକୁ ଅପିଲ କରିଛନ୍ତି ଚାଷୀ ନେତା । ସେପଟେ ଚାଷୀ ନେତା ଘୋଷଣା କରିଛନ୍ତି ଗିରଫଦାରୀ ହୋଇଯିବ ପଛେ, ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନରୁ ହଟିବେନି ।

ସେପଟେ ଚାଷୀ ଆନ୍ଦୋଳନ ସ୍ଥଳରୁ ବିଜୁଳି, ପାଣି ସେବା ବିଛିନ୍ନ କରିବା ସହ କିଛି ସ୍ଥାନରେ ରାସ୍ତାକୁ ଖୋଳି ଦେଇଛି ଦିଲ୍ଲୀ ପୋଲିସ । ଫଳରେ କିଛି ରୁଟରେ ଯିବା ଆସିବା କରିବା ପୁରା ଠପ୍ ହୋଇଯାଇଛି । ଏହା ସହିତ ଗତକାଲି ଠାରୁ ସିଂଘୁ, ଟିକିରୀ, ଗାଜିପୁର ପରି ସୀମାରେ ସୁରକ୍ଷାବଳ ଅଧିକ ମାତ୍ରାରେ ଉପସ୍ଥିତ ରହିଛନ୍ତି । ଜାନୁୟାରୀ ୨୬ରେ ଲାଲକିଲ୍ଲାରେ କୃଷକଙ୍କ ହିଂସାତ୍ମକ ପ୍ରଦର୍ଶନ ଘଟଣାରେ ୩୩ଟି ଏଫଆଇଆର ରୁଜୁ ହୋଇଛି । ୯ ଟି ମାମଲା କ୍ରାଇମବ୍ରାଂଚକୁ ସ୍ଥାନାନ୍ତର କରାଯାଇଛି । ଚାଷୀ ନେତା ରାକେଶ ଟିକାୟତଙ୍କ ସମେତ ୪୪ ଜଣ ଚାଷୀ ନେତାଙ୍କ ନାଁରେ ଲୁକଆଉଟ ନୋଟିସ ଜାରି କରାଯାଇଛି । ସଂସଦ ଭବନକୁ ଯୋଗ କରୁଥିବା ସମସ୍ତ ରାସ୍ତାରେ ପୋଲିସ ଅଧିକ ସଂଖ୍ୟାରେ ମୁତୟନ କରାଯାଇଛି ।

ସେପଟେ ଚାଷୀ ଆନ୍ଦୋଳନକୁ ଲାଗିଛି ଝଟକା । ଆଉ ଦୁଇଟି କୃଷକ ସଂଗଠନ ଭାରତ କୃଷକ ୟୁନିଅନ୍ ଏକ୍ତା ଓ ଭାରତ କୃଷକ ୟୁନିଅନ୍ ଲୋକଶକ୍ତି ସଂଗଠନର ୪ ଜଣ ପ୍ରତିନିଧି କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ସହ ଆଲୋଚନା କରିଛନ୍ତି । କୃଷକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଦେଢ ବର୍ଷ ଯାଏଁ ତିନି କୃଷି ଆଇନକୁ ସ୍ଥଗିତ ରଖି ଏକ କମିଟି ଜରିଆରେ ଆଲୋଚନା କରିବାକୁ କେନ୍ଦ୍ରକୁ ଦାବି କରିଛନ୍ତି ଏହି ଦୁଇ ସଂଗଠନ । ସେମାନେ କହିଛନ୍ତି, ବର୍ତମାନ କୃଷକ ଆନ୍ଦୋଳନ ଦିଗହରା ହୋଇଛି । ଦେଶ ଓ ଦେଶବାସୀଙ୍କ ଅପମାନୀ କରି ଏକ ସାଂପ୍ରଦାୟିକ ପତାକା ଲାଲ କିଲ୍ଲାରେ ଉଡାଯାଇଥିଲା । ଏହା ସମସ୍ତଙ୍କୁ ବ୍ୟଥିତ କରିଛି । ଏଭଳି ସ୍ଥିତିରେ କୃଷକଙ୍କ ସ୍ୱାର୍ଥ ରକ୍ଷା ହେବା ସମ୍ଭାବନା କମ୍ ଥିବାରୁ ମନ୍ତ୍ରୀଙ୍କ ସହ ଆଲୋଚନା କରି ଦାବି ପତ୍ର ଦେଇଛି ସଂଗଠନ । ୨୭ ତାରିଖ ଦିନ ଭାରତୀୟ କିଷାନ ୟୁନିୟନ୍ ଓ ରାଷ୍ଟ୍ରିୟ କିଷାନ ମଜଦୁର ସଂଗଠନ ଆନ୍ଦୋଳନରୁ ଓହରିଥିଲେ ।