ସୂତାଖିଅରେ ଅଧ୍ୟକ୍ଷ ପଦ ! ରାଜ୍ୟ ସରକାରଙ୍କ ସଂଶୋଧିତ ଜିଲ୍ଲା ପରିଷଦ ଆଇନ୍ ରଦ୍ଦ

33

କନକ ବ୍ୟୁରୋ : ରଦ୍ଦ ହେଲା ନବୀନ ସରକାରଙ୍କ ନିଷ୍ପତି । ଜିଲ୍ଲା ପରିଷଦ ନିର୍ବାଚନରେ ଦଳୀୟ ଏଜେଂଟକୁ ଦେଖାଇ ଭୋଟ୍ ଦେବା ପାଇଁ ବିଜେଡି ସରକାରଙ୍କ ସଂଶୋଧିତ ଆଇନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଆଦର୍ଶ ଆଚରଣବିଧି ଲାଗୁ ଥିବା ସମୟରେ ସରକାରଙ୍କ ଏଭଳି ନିଷ୍ପତିକୁ ବିରୋଧ କରିଥିଲା ବିଜେପି । ରାଜ୍ୟ ନିର୍ବାଚନ କମିଶନ ମଧ୍ୟ ଏହି ସଂଶୋଧନ ଆଇନକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏସବୁ ଭିତରେ ଆଜି ମାମଲାର ବିଚାର କରି ହାଇକୋର୍ଟ ରାଜ୍ୟ ସରକାରଙ୍କ ସଂଶୋଧିତ ଜିଲ୍ଲା ପରିଷଦ ଆଇନକୁ ଖାରଜ କରିଦେଇଛନ୍ତି ।

ହାଇକୋର୍ଟ କହିଛନ୍ତି, ନିର୍ବାଚନ ପ୍ରକ୍ରିୟା ବେଳେ ସରକାରଙ୍କ ସଂଶୋଧନ ଆଇନ୍ ଅବୈଧ । ଆଦର୍ଶ ଆଚରଣ ବିଧି ଲାଗୁ ଥିବା ବେଳେ ସରକାର ନିର୍ବାଚନ ପ୍ରକ୍ରିୟାରେ ସଂଶୋଧନ ଆଣିପାରିବେ ନାହିଁ । ହାଇକୋର୍ଟଙ୍କ ଏହି ନିଷ୍ପତି ପରେ ୨୮ ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନର ବୈଧତା ଉପରେ ଉଠିଛି ପ୍ରଶ୍ନ ।

ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ପୂର୍ବରୁ ହଠାତ୍ ରାଜ୍ୟ ସରକାର ଜିଲ୍ଲା ପରିଷଦ ଆଇନରେ ଏକ ସଂଶୋଧନ ଆଣିଥିଲେ । ସଂଶୋଧନ ଅନୁସାରେ ଜିଲ୍ଲା ପରିଷଦର ସଭ୍ୟ ମାନେ କାହାକୁ ଭୋଟ୍ ଦେଉଛନ୍ତି ତାକୁ ଦଳୀୟ ଏଜେଂଟଙ୍କୁ ଦେଖାଇବା ବାଧ୍ୟତାମୂଳକ । ତେବେ ସରକାରଙ୍କ ଏହି ଅଧ୍ୟାଦେଶ ପରେ ହାଇକୋର୍ଟରେ ଏହାକୁ ଚ୍ୟାଲେଂଜ କରିଥିଲା ବିଜେପି । ସେମାନଙ୍କର ଯୁକ୍ତି ଥିଲା, ବିଜେଡିକୁ ସୁହାଇଲା ଭଳି ଏକ ନିଷ୍ପତି ରାଜ୍ୟ ସରକାର ନେଇଛନ୍ତି । ରାଜ୍ୟ ନିର୍ବାଚନ କମିଶନ ମଧ୍ୟ ଏହି ଅଧ୍ୟାଦେଶକୁ ନେଇ ପ୍ରଶ୍ନ ଉଠାଇଥିଲେ ।

ହାଇକୋର୍ଟଙ୍କ ରାୟ ପରେ ବିଜେଡିକୁ ଲାଗିଛି ଝଟକା । ଦଳ କହିଛି, ସରକାର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ତର୍ଜମା କରିବେ । ଆବଶ୍ୟକ ପଡିଲେ ପୁଣି ହାଇକୋର୍ଟ ଯିବେ, ନଚେତ୍ ସୁପ୍ରିମକୋର୍ଟ ବି ଯାଇପାରନ୍ତି ।

ଗୁରୁବାର ହାଇକୋର୍ଟଙ୍କ ଆଉ ଏକ ରାୟ ଅନୁସାରେ ନୂଆପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ପାଇଁ ବାଟ ଖୋଲିଛି । ତେବେ ମାଲକାନଗିରି ଅଧ୍ୟକ୍ଷ ନିର୍ବାଚନ ମାମଲା ଏବେ ବି କୋର୍ଟଙ୍କ ବିଚାରଧୀନ ରହିଛି ।

ଏବେ ସବୁଠାରୁ ବଡ ପ୍ରଶ୍ନ ହେଉଛି ୨୮ ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ବୈଧ ରହିବ କି ? କାରଣ ନିର୍ବାଚନ ଯେଉଁ ପ୍ରକ୍ରିୟାକୁ ହାଇକୋର୍ଟ ଅସିଦ୍ଧ ଘୋଷଣା କରିଛନ୍ତି, ସେହି ପ୍ରକ୍ରିୟାରେ ନିର୍ବାଚିତ ଅଧ୍ୟକ୍ଷ ବୈଧ ହେବେ କେମିତି?