ଅଧୁରା ରହିଲା ଡାକ୍ତରୀ ସ୍ୱପ୍ନ ! ଏମସିଆଇ ଓ ହାଇଟେକର ଆଇନ ଯୁଦ୍ଧରେ ବଳିପଡିଲେ ୧୦୦ ଛାତ୍ରଛାତ୍ରୀ

60

କନକ ବ୍ୟୁରୋ : ଅଧାରେ ରହିଲା ଡାକ୍ତର ହେବାର ସ୍ୱପ୍ନ । ହାଇଟେକ୍ ମେଡିକାଲ୍ କଲେଜର ଲକ୍ଷ ଲକ୍ଷ ଟଙ୍କା ଦେଇ ବର୍ଷେ କାଳ ଡାକ୍ତରୀ ପଢିବା ପରେ ଏବେ ସେମାନଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇଯାଇଛି । କାରଣ ତ୍ରୁଟିପୂର୍ଣ୍ଣ ଆଡମିଶନ କାରଣରୁ ଉଚ୍ଚତମ ନ୍ୟାୟାଳୟ ସେମାନଙ୍କ ରେଜିଷ୍ଟ୍ରେନକୁ ବାତିଲ କରିଦେଇଛନ୍ତି । ଆଉ ରାଜ୍ୟପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଏହି ଡାକ୍ତରୀ ଛାତ୍ରଛାତ୍ରୀ ।

ଏହି ପ୍ରତାରଣାର ଶିକାର ହୋଇଛନ୍ତି ୨୦୧୫-୧୬ ବର୍ଷରେ ରାଉରକେଲା ହାଇଟେକ୍ ମେଡିକାଲ୍ କଲେଜରେ ନାମ ଲେଖାଇଥିବା ୧୦୦ ଛାତ୍ରଛାତ୍ରୀ ଓ ତାଙ୍କ ଅଭିଭାବକ । କଲେଜ୍ ମ୍ୟାନେଜମେଂଟ୍ ଓ ମେଡିକାଲ କାଉନସିଲ୍ ଅଫ ଇଣ୍ଡିଆ ମଧ୍ୟରେ ଚାଲିଥିବା ଆଇନର ଲଢେଇରେ ବଳି ପଡିଛି ଏମାନଙ୍କ ଭବିଷ୍ୟତ ।

ଡାକ୍ତର ହୋଇ ରୋଗୀ ସେବା କରିବାକୁ ସ୍ୱପ୍ନ ଦେଖିଥିବା ମେଧାବୀ ଛାତ୍ରଛାତ୍ରୀ ଏବେ ରାଜରାସ୍ତାରେ । ଏକ ବର୍ଷ ଧରି ମେଡିକାଲ ପଢିବା ପରେ ତାଙ୍କ ରେଜିଷ୍ଟ୍ରେସନକୁ ଅବୈଧ ଘୋଷଣା କରାଯାଇଛି । କଲେଜର ଆବଶ୍ୟକ ଭିତିଭୂମି ନଥିବା ଦର୍ଶାଇ ସେମାନଙ୍କ ଆଡମିଶନକୁ ଅନିୟମିତ ବୋଲି ଉଲ୍ଲେଖ କରିଛି ଏମସିଆଇ । ଏ ନେଇ ସୁପ୍ରିମକୋର୍ଟ ମଧ୍ୟ ଆଦେଶ ଦେଇଛନ୍ତି । ସବୁଆଡୁ ନିରାଶ ହେବାପରେ ଏବେ ରାଜ୍ୟପାଳଙ୍କ ଦ୍ୱାରସ୍ଥ ହେବା ସହ ରାଜଧାନୀ ରାସ୍ତାରେ ଆମରଣ ଅନଶନରେ ବସିଛନ୍ତି ।

ଅପରପକ୍ଷରେ ଛାତ୍ରଛାତ୍ରୀଙ୍କ ପାଇଁ ସୁପ୍ରିମକୋର୍ଟର ଲଢେଇ ଲଢିବାକୁ ପ୍ରତିଶୃତି ଦେଇଚନ୍ତି କଲେଜ କର୍ତୃପକ୍ଷ । ସୁପ୍ରିମକୋର୍ଟଙ୍କ ଆଦେଶକୁ ପୁଣି ଥରେ ଚ୍ୟାଲେଂଜ କରିବାକୁ ଚିନ୍ତା କରାଯାଉଛି ବୋଲି ହାଇଟେକ ଗ୍ରୁପର ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ କହିଛନ୍ତି ।

ଭିତିଭୂମିର ଅଭାବ ଦେଖାଇ ଏମସିଆଇ ହାଇଟେକ ମେଡିକାଲ କଲେଜକୁ ୨୦୧୫-୧୬ ଶିକ୍ଷାବର୍ଷରେ ନାମଲେଖା ପାଇଁ ବାରଣ କରିବାପରେ କଲେଜ କର୍ତୃପକ୍ଷ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କଲେଜ ମ୍ୟାନେଜମେଂଟ୍ ପରୀକ୍ଷା କରି ଆଡମିଶନ କରିପାରିବେ ବୋଲି ହାଇକୋର୍ଟ ଅନ୍ତରୀଣ ଆଦେଶ ମଧ୍ୟ ଜାରି କରିଥିଲେ । କିନ୍ତୁ ଏମସିଆଇ ସୁପ୍ରିମକୋର୍ଟରେ ଏହି ଆଦେଶକୁ ରଦ୍ଧ କରିବାପରେ ଏବେ ଏହି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରକୁ ଚାଲିଯାଇଛି ।