ସନ୍ଦେହ ଦୂର କଲେ ସିପି ! ଜବାବ ମାଗିଥିଲେ ଜନତା, ପୋଲିସ ଗାଡ଼ିର ପୂରା ତଥ୍ୟ ଦେଲେ ପୋଲିସ କମିଶନର ।

1,820

କନକ ବ୍ୟୁରୋ: ନୂଆ ଟ୍ରାଫିକ୍ ନିୟମ ପରେ ଟ୍ୱିନସିଟିରେ ଚାଲୁଥିବା ପୋଲିସ୍ ଗାଡ଼ିର କାଗଜପତ୍ର ଠିକ୍ ଅଛି ତ ? ଜନତାଙ୍କ ମଧ୍ୟରେ ଏଭଳି ପ୍ରଶ୍ନ ବାରମ୍ବାର ଉଠୁଥିବାବେଳେ ଏହାର ସ୍ପଷ୍ଟୀକରଣ ରଖିଛନ୍ତି ଟ୍ୱିନସିଟି କମିଶନର ସୁଧାଂଶ ଷଡ଼ଙ୍ଗୀ । ତେବେ କମିଶନରଙ୍କ ସୂଚନା ମୁତାବକ ଭୁବନେଶ୍ୱର-କଟକ ପୋଲିସ ୱେସାଇଟ www.bhubaneswarcuttackpolice.gov.inରେ ପୋଲିସ ଗାଡ଼ିର ସମସ୍ତ ତଥ୍ୟ ସାଧାରଣ ଜନତା ପାଇପାରିବେ ।

ସେହିଭଳି www.vahan.nic.in ୱେସାଇଟରେ ମଧ୍ୟ ରାଜ୍ୟରେ ଚାଲୁଥିବା ସମସ୍ତ ପୋଲିସ ଗାଡ଼ିର ଟିକନିଖ ତଥ୍ୟ ଜାଣିପାରିବେ ସଧାରଣ ଜନତା । ଏପରିକି ଏ ସମସ୍ତ ଗାଡ଼ି ଏସପି ପିଏମଟିଙ୍କ ଜରିଆରେ କିଣାଯାଇଛି । ଏଥିରେ କୌଣସି ଗୋଟିଏ ଗାଡ଼ି ବେଆଇନ ଭାବେ ଚଳାଉନି ପୋଲିସ ବୋଲି କହିଛନ୍ତି ପୋଲିସ କମିଶନର । ତେବେ ରାଜ୍ୟରେ ନୂଆ ଟ୍ରାଫିକ୍ ନିୟମ ଲାଗୁ ପରେ କଡ଼ାକଡ଼ା ଯାଞ୍ଚ ଏବଂ ମୋଟା ଅଙ୍କର ଫାଇନ୍ ବ୍ୟବସ୍ଥାକୁ ଗ୍ରହଣ ନକରିପାରି ଗତକାଲି ରାଜମହଲ ଛକରେ ପୋଲିସ ଗାଡ଼ିକୁ ଅଟକାଇ କାଗଜପତ୍ର ଦେଖାଇବାକୁ କହିଥିଲେ ସାଧାରଣ ଲୋକେ । ଆଉ ଯାହାଫଳରେ ରଣକ୍ଷେତ୍ର ପାଲଟିଥିଲା ରାଜମହଲ ରାଜରାସ୍ତା ।

ସେପଟେ ସୋସିଆଲ ମିଡ଼ିଆ ହେଉ କିମ୍ବା ଗଣମାଧ୍ୟମ, ସବୁଠି ଲୋକମାନେ ଏଭଳି କଡ଼ାକଡ଼ି ଟ୍ରାଫିକ୍ ନିୟମ ଏବଂ ଫାଇନ୍ ଆଦାୟକୁ ବିରୋଧ କରୁଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଗତକାଲି ଘଟଣା ପରଠାରୁ ପୋଲିସ ମାତ୍ର ୫ଟି ଟ୍ରାଫିକ୍ ନିୟମକୁ ଗୁରୁତ୍ୱ ଦେଇ ଚେକିଂ କରୁଥିବା କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ।