ଝାଡଖଣ୍ଡରେ ହେବ ସୋରେନ୍ ସରକାର । ଆସନ୍ତା ୨୭ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ୍, ପ୍ରତିଶ୍ରୁତି ପୂରଣ କରିବା ହେବ ବଡ ଆହ୍ୱାନ ।

221

କନକ ବ୍ୟୁରୋ : ଆସନ୍ତା ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ୍ । ଏହି ଅବସରରେ ଜେଏଏମର ୬, କଂଗ୍ରେସର ୫ ଓ ଆରଜେଡିରୁ ଜଣେ ମନ୍ତ୍ରୀ ଶପଥ ନେବାର କାର୍ଯ୍ୟକ୍ରମ ରହିଛି । । ଅର୍ଥାତ ହେମନ୍ତ ସୋରେନଙ୍କ ସହ ୧୨ଜଣ ମନ୍ତ୍ରୀ ଶପଥ ନେବେ । ଏହା ସହ କଂଗ୍ରେସକୁ ବାଚସ୍ପତି ପଦ ମିଳିବାର ସମ୍ଭାବନା ରହିଛି । ସୂଚନା ଅନୁସାରେ ରାଂଚିର ମାରୱାଡି ମଇଦାନରେ ଆୟୋଜିତ ହେବ ଶପଥ ଗ୍ରହଣ ସମାରୋହ । ତେବେ ସୋରେନଙ୍କ ପାଇଁ ଏହି ପଦ ବେଶ୍ ଆହ୍ୱାନ ପୂର୍ଣ୍ଣ ହେବ ।

ଝାଡଖଣ୍ଡରେ ହେବ ସୋରେନ୍ ସରକାର । ପ୍ରତିଶ୍ରୁତି ପୂରଣ କରିବା ବଡ ଆହ୍ୱାନ । ଝାଡଖଣ୍ଡରେ ବିଜେପିର ପରାଜୟ ଓ ଜେଏମଏମ ନେତୃତ୍ୱାଧିନ ମେଂଟକୁ ବହୁମତ ମିଳିବା ପରେ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ତେବେ ମୁଖ୍ୟମନ୍ତ୍ରୀ ହେବା ପରେ ହେମନ୍ତ ସୋରେନଙ୍କ ପାଇଁ ଚ୍ୟାଲେଞ୍ଜ କମ୍ ହେବ ନାହିଁ । ଜନତାଙ୍କ ବିଶ୍ୱାସ ଭାଜନ ହେବା ପାଇଁ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବାକୁ ପଡିବ । ବହୁମତ ମିଳିବା ପରେ ଏଥର ଝାଡଖଣ୍ଡରେ ନୂଆ ଅଧ୍ୟାୟ ଲେଖା ହେବ ବୋଲି କହିଛନ୍ତି ହେମନ୍ତ ।

ଏବେ ଆସନ୍ତୁ ଦେଖିବା ହେମନ୍ତଙ୍କ ପାଇଁ କଣ ରହିବ ପ୍ରମୁଖ ଚ୍ୟାଲେଞ୍ଜ ।

– ବେକାରୀ ସମସ୍ୟା । ରାଜ୍ୟର ଯୁବକମାନଙ୍କୁ ରୋଜଗାର ଦେବା ହେମନ୍ତଙ୍କ ପାଇଁ ସବୁଠାରୁ ବଡ ଆହ୍ୱାନ ହେବ । ୬ ମାସ ଭିତରେ ଖାଲି ଥିବା ସମସ୍ତ ସରକାରୀ ପଦ ପୂରଣ କରିବା ଓ ରୋଜଗାର ନଦେବା ପର୍ଯ୍ୟନ୍ତ ବେକାରୀଙ୍କୁ ଭତ୍ତା ହେବ ବଡ ଚ୍ୟାଲେଞ୍ଜ ।

– ଋଣ ଭାରରେ ବୁଡିଛି ଝାଡଖଣ୍ଡ । ପ୍ରାୟ ୮୫ ହଜାର ୨୩୪ କୋଟି ଟଙ୍କା ଋଣ ଭାରରେ ବୁଡିଛି ଝାଡଖଣ୍ଡ । ଏହି ଋଣ ଭାରକୁ କମ୍ କରିବା ହେମନ୍ତଙ୍କ ପାଇଁ ଅଗ୍ନିପରୀକ୍ଷା ହେବ । ସେହିପରି ନିର୍ବାଚନ ସମୟରେ ରାଜ୍ୟର କୃଷକଙ୍କୁ ଋଣ ବୋଝରୁ ମୁକ୍ତ କରିବା ପାଇଁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ଆଉ ଏକ ବଡ ଚ୍ୟାଲେଞ୍ଜ ହେବ ।

– ଗରିବ ରାଜ୍ୟ ଟ୍ୟାଗ୍ ହଟାଇବା । ୨୦୦୦ ମସିହାରେ ବିହାରଠାରୁ ଅଲଗା ରାଜ୍ୟ ହେବା ପରେ ଝାଡଖଣ୍ଡ ଗରିବ ରାଜ୍ୟ ଭାବେ ଅପବାଦ ମୁଣ୍ଡେଇ ଚାଲିଛି । ରାଜ୍ୟର ପ୍ରାୟ ୩୬ ପ୍ରତିଶତରୁ ଅଧିକ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଜୀବନଯାପନ କରୁଛନ୍ତି । ଏଥିରୁ ମୁକାଳିବା ହେମନ୍ତଙ୍କ ପାରିବା ପଣିଆ ଦର୍ଶାଇବ ।

– ଖାଦ୍ୟାନ୍ନରେ ଆତ୍ମନିର୍ଭରଶୀଳ ହେବ । ଖାଦ୍ୟ ଅଭାବରୁ ମୃତ୍ୟୁ ହେଉଥିବା ଖବରକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହୁଥିବା ଝାଡଖଣ୍ଡକୁ ଏଥିରୁ ମୁକ୍ତି ଦେବାକୁ ପଡିବ । ଆବଶ୍ୟକ ହେଉଥିବା ଖାଦ୍ୟାନ୍ନକୁ ଝାଡଖଣ୍ଡରେ ଉତ୍ପାଦନ କରିବାକୁ ପଡିବ । ଝାଡଖଣ୍ଡରେ ୫୦ ହଜାର ମେଟ୍ରିକ ଟନ୍ ଖାଦ୍ୟାନ୍ନ ଆବଶ୍ୟକ ହେଉଥିବାବେଳେ ଉତ୍ପାଦନ ହେଉଛି ମାତ୍ର ୪୦ ହଜାର ମେଟ୍ରିକ ଟନ୍ ।

-ନକ୍ସଲ ଓ ସୁରକ୍ଷା । ଝାଡଖଣ୍ଡର ୧୩ଟି ଜିଲ୍ଲାରେ ଏବେବି ନକ୍ସଲ ସେମାନଙ୍କ ଉପସ୍ଥିତି ଜାହିର କରୁଛନ୍ତି । ତେଣୁ ଝାଡଖଣ୍ଡକୁ ନକ୍ସଲ ମୁକ୍ତ କରିବା ବଡ ଆହ୍ୱାନ ହେବ । ସେହିପରି ଲିଂଚିଙ୍ଗ ଭଳି ଘଟଣା ଯେଭଳି ନଘଟେ ତାଉପରେ ନଜର ଦେବାକୁ ପଡିବ ।