କନକ ବ୍ୟୁରୋ: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଗତକାଲି ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ଆଜି ଦିନିକିଆ ଝାରସୁଗୁଡ଼ା ଗସ୍ତରେ ପିସିସି ସଭାପତି ଶରତ ପଟ୍ଟନାୟକ । ଏହି ଅବସରରେ ଜିଲ୍ଲା କଂଗ୍ରେସର ଅନେକ କର୍ମକର୍ତ୍ତାଙ୍କୁ ଭେଟି ଆଗାମୀ ଉପନିର୍ବାଚନ ପାଇଁ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ କରିଛନ୍ତି । କଂଗ୍ରେସ ପକ୍ଷରୁ ଅନେକ ଆଶାୟୀ ପ୍ରାର୍ଥୀ ରହିଛନ୍ତି । ଉପ ନିର୍ବାଚନରେ ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦଳ ମୁଖ୍ୟ ପ୍ରସଙ୍ଗ କରିବ ବୋଲି କହିଛି କଂଗ୍ରେସ । ଏହି ଅବସରରେ ୨୦୧୯ ସାଧାରଣ ନିର୍ବାଚନରେ ଛିଡ଼ା ହୋଇଥିବା ପ୍ରାର୍ଥୀ ମହେନ୍ଦ୍ର ନାଏକ, ପୂର୍ବତନ ବିଧାୟକ ବିରେନ ପାଣ୍ଡେଙ୍କ ପୁଅ ତରୁଣ ପାଣ୍ଡେ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ଅମିତା ବିଶ୍ୱାଳଙ୍କୁ ଭେଟି ଆଲୋଚନା କରିଛନ୍ତି ପିସିସି ସଭାପତି । ସେପଟେ ଝାରସୁଗୁଡ଼ାରେ କିଏ ହେବ ବିଜେପି ପ୍ରାର୍ଥୀ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଅନେକ କଳ୍ପନା ଜଳ୍ପନା ଭିତରେ ସାଂସଦ ଜୁଏଲ ଓରାମ୍ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ପ୍ରାର୍ଥୀ ଚୟନ ତାଲିକାରେ ରହିଛି ୮ ଆଶାୟୀ ପ୍ରାର୍ଥୀଙ୍କ ନାଁ ।