ବୟସର ଅପରାହ୍ନରେ ବୃଦ୍ଧ ଦମ୍ପତିଙ୍କ ସଂଘର୍ଷ : ଭତ୍ତା ମିଳୁନି କି ରାସନ ନାହିଁ, ସାହାଯ୍ୟ ଅପେକ୍ଷାରେ ବିଜୟ ଓ ରାଇମୁନି

293

କନକ ବ୍ୟୁରୋ : ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଗରିବଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ହେଲେ ଯୋଗ୍ୟ ହିିତାଧିକାରୀଙ୍କ ପାଇଁ ଏସବୁ ଯୋଜନା ସାତସପନ । କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ, ଖୋଦ୍ ରାଜଧାନୀ ଭୁବନେଶ୍ୱର ବିଏମସି ୧୦ନଂ ୱାର୍ଡ ଅନ୍ତର୍ଗତ ଝରଣା ସାହିରେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି । ପରିଣତ ବୟସରେ ଏକା ହୋଇଯାଇଛନ୍ତି ବିଜୟ ବାନ୍ଦ୍ରା ଓ ପତ୍ନୀ ରାଇମୁନି ବାନ୍ଦ୍ରା । ନିଜର ବୋଲି କେହି ନାହିଁ । ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ । ଖାଇବା ଗଣ୍ଟାକ ପାଇଁ ଅନେକ କଷ୍ଟ କରିବାକୁ ପଡ଼ୁଛି ।

ଦୀର୍ଘ ୩୦ବର୍ଷ ହେଲା ସ୍ଥାୟୀ ଭାବେ ରହି ଆସୁଥିବା ବିଜୟ ବାନ୍ଦ୍ରା ଓ ପତ୍ନୀ ରାଇମୁନି ବାନ୍ଦ୍ରା ଏବେ ପରିଣତ ବୟସରେ ଉପନୀତ । ବିଜୟ ଟ୍ରଲି ଖଣ୍ଡେ ଚଳାଇ ପରିବାର ପୋଷୁଥିଲା । ବୟସାଧିକ୍ୟ ହେତୁ ଟ୍ରଲି ଚଳାଇ ନ ପାରି ଘରେ ବସୁଛନ୍ତି ବିଜୟ । ଏମାନଙ୍କର ଭରସା ଥିଲା ଖଣ୍ଡେ ମାଟି କାନ୍ଥ ନଡା ଛପର ଘର । ଯେଉଁଥିରେ ଉଭୟ ବୃଦ୍ଧ ଦମ୍ପତି ମୁଣ୍ଡ ଗୁଞ୍ଜିଥିଲେ । ହେଲେ ଦୁଃଖର ବିଷୟ ୬ମାସ ପୂର୍ବେ ବାତ୍ୟା ଫନି ଏମାନଙ୍କ ମାଟି କାନ୍ଥ ନଡା ଛପର କୁଡ଼ିକାକୁ ବି ଛଡାଇ ନେଲା । ରହିବାକୁ ଘର ନଥିଲେ ବି ଖଣ୍ଡେ ଜରିପାଲ ବାନ୍ଧି ମୁକୁଳା ଜାଗାରେ ବୃଦ୍ଧ ଦମ୍ପତି ଜୀବନ ବିତାଉଛନ୍ତି ।

ବଞ୍ଚିବା ପାଇଁ ପତ୍ନୀ ରାଇମୁନି ଜଣଙ୍କ ଘରେ କାମ କରି ଯେତିକି ଆଣୁଛନ୍ତି ସେଥିରେ ଦୁଇଜଣ ଚଳିବା କଷ୍ଟକର । ତେଣୁ ବିଜୟ ଜଣେ ଲୋକର ଛେଳି ଚରାଇ ଆସୁଥିବା ବେଳେ ସେହି ବ୍ୟକ୍ତି ଜଣଙ୍କ ତାଙ୍କୁ ଦିନରେ ଥରେ ଖାଇବାକୁ ଦେଉଛି । ବିଜୟ ଓ ତାଙ୍କ ପତ୍ନୀଙ୍କ କହିବା ଅନୁସାରେ ରାସନ କାର୍ଡ ଅଛି କିନ୍ତୁ ଆଧାର କାର୍ଡ ନଥିବାରୁ ସେମାନଙ୍କୁ ରାସନ ମିଳୁନାହିଁ । ସେହିପରି ବିଜୟ ଏବଂ ରାଇମୁନି ବାର୍ଦ୍ଧକ୍ୟ ଭତ୍ତା ପାଇବାକୁ ଯୋଗ୍ୟ ହୋଇଥିଲେ ତାଙ୍କର ଭତ୍ତା ହୋଇ ପାରିନାହିଁ । ଏପରି ସମୟରେ ବୃଦ୍ଧ ଦମ୍ପତିଙ୍କ ସାହାଯ୍ୟ ନିଜର ବୋଲି କେହି ନଥିବାରୁ ଅତ୍ୟନ୍ତ ଦୁଃଖରେ ବଞ୍ଚଥିବା ଲୁହଭରା ଆଖିରେ କହିଛନ୍ତି । ପ୍ରଶାସନ ଓ ସରକାର ବୃଦ୍ଧ ଦମ୍ପତିଙ୍କ ପାଇଁ ଘର ସହିତ ଭତ୍ତା ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।