ଜୀବନକୁ ବଳି ପଡିଛି ଯନ୍ତ୍ରଣା…୨୦ ବର୍ଷର ହେବ ଯନ୍ତ୍ରଣାରେ ଛଟପଟ ଚମ୍ପୁଆର ଦୁବରାଜ ମୁଣ୍ଡା…ଅସ୍ୱଭାବିକ ଭାବେ ଗୋଡରେ ବଢୁଛି ମାଂସ

ଗୋଟିଏ ଗୋଡର ଓଜନ ୬୦ କିଲୋ

177

କନକ ବ୍ୟୁରୋ: ଦୀର୍ଘ ୨୦ ବର୍ଷର ପାହାଡ ପରି ଯନ୍ତ୍ରଣା । ଯେଉଁଥିରେ ବିତିଗଲା ଯୌବନ । ସଂସାର ଓ ପରିବାର ସ୍ୱପ୍ନ ଉଭେଇଗଲା । ଅର୍ଥାଭାବ ଦେଇଛି ଦାରୁଣ ଦୁଃଖ । ପୁରୁଣା ରୋଗ ବଢି ଏବେ ଅସହ୍ୟ ରୂପ ଧାରଣ କଲାଣି । ରୋଗରେ ପଡି ଜୀବନର ପ୍ରମୁଖ ଭାଗ ନଷ୍ଟ ହେବା ପରେ ବାକି ଜୀବନ କିପରି ସୁଧୁରିବ ସେ ନେଇ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ଚମ୍ପୁଆର ଦୁବରାଜ ମୁଣ୍ଡା ।

ଯନ୍ତ୍ରଣା ଯନ୍ତ୍ରଣାରେ ବିତି ଗଲା ଯୌବନ । ବର୍ଷେ କି ଦୁଇ ବର୍ଷେ ନୁହେଁ, ୨୦ ବର୍ଷ ହେଲା ଗୋଡ ପାଲଟିଛି ବୋଝ । ଦିନ ଗଡୁଛି, ବୟସ ବଢୁଛି, ତା’ ସାଙ୍ଗରେ ତାଳ ଦେଇ ବଢୁଛି ଯନ୍ତ୍ରଣା । କେନ୍ଦୁଝର ଚମ୍ପୁଆ ଏନଏସି ୧୩ ନମ୍ବର ୱାର୍ଡ ଦୁବରାଜ ମୁଣ୍ଡାଙ୍କ ଗୋଡର ଅବସ୍ଥା ଏମିତି ଯେ, ତାକୁ ଦେଖାଇବା ସମ୍ଭବ ନୁହେଁ । ଗତ ୨୦ ବର୍ଷ ତଳେ ଗୋଟିଏ ଗୋଡର ପାଦରେ ମାଂସ ବଢିଥିଲା । ଆଉ ଏବେ ସେହି ଯନ୍ତ୍ରଣା ପାଦରୁ ଯାଇ ଜଂଘରେ ପହଂଚିଛି ଆଉ ସେହି ଗୋଡର ଓଜନ ଏବେ ୬୦ କିଲୋ ଯାହାକୁ ବୋହି ବୋହି ଅଣନିଶ୍ୱାସୀ ହେଲେଣି ଦୁବରାଜ ।

ଅଭାବୀ ପରିବାରରେ ଜନ୍ମ ଗ୍ରହଣ କରିଥିବା ଦୁବରାଜ ଯୁକ୍ତ-୨ ପଢିଛନ୍ତି, ହେଲେ ୨୦ ବର୍ଷ ବୟସରୁ ରୋଗାକ୍ରାନ୍ତ ହେବାରୁ ସେ ଆଜି ସାନଭାଇ ସନାତନ ମୁଣ୍ଡାର ବୋଝ ପାଲଟିଛନ୍ତି । ସାନ ଭାଇ ମୁଲ ଲାଗି ବୁଢିମାଆ, ସ୍ତ୍ରୀ ପିଲାଙ୍କ ମୁହଁରେ ଆହାର ଦେଉଥିବା ବେଳେ ଦୁବରାଜ ନିଜ ଚିକିତ୍ସା କଥା ଚିନ୍ତା କରିବେ ବା କେମିତି । ରୋଗ ଆରମ୍ଭରୁ ଚମ୍ପୁଆ ଡାକ୍ତରଖାନାରେ ଯାହା ଚିକିତ୍ସା କରିଥିଲେ, ବାସ ତା ପରେ ଆର୍ଥିକ ବୋଝ ତାଙ୍କୁ ରୋଗ ସହ ଯୁଝିବାକୁ ବାଧ୍ୟ କରିଛି । ଜଣେ ଯୁବାବସ୍ଥାରୁ ଯନ୍ତ୍ରଣା ଜର୍ଜିରିତ ଜୀବନ ବିତାଉଥିବା ଏ ଅସହାୟ ସାହାରା ଖୋଜୁଛନ୍ତି ।

ଦୀର୍ଘ ୨୦ ବର୍ଷ ରୋଗରେ ପଡି ନିଜର ଜୀବନ ଜୀବିକା ଭୂଲି ଯାଇଥିବା ଦୁବରାଜଙ୍କ ଚିକିତ୍ସାକୁ ପ୍ରାଥମିକତା ଦେଇ ତାଙ୍କର ଥଇଥାନ କରିବା ଦିଗରେ ପ୍ରଶାସନ ଆଗକୁ ଆସିବା ଜରୁରୀ ବୋଲି ସ୍ଥାନୀୟ ଲୋକ କୁହନ୍ତି ।