ସାହାଯ୍ୟ ଆସିଲା ଶ୍ରୀକ୍ଷେତ୍ରରୁ… ସିଦ୍ଧାନ୍ତଙ୍କ କଷ୍ଟ ଦେଖି କାଳିଆ ଧାମରୁ କୁମୁସି ଗାଁରେ ପହଞ୍ଚିଲେ ସେଚ୍ଛାସେବୀ ସଙ୍ଗଠନ । ଏବେ ପ୍ଲାଷ୍ଟିକ ଗୋଡରେ ବାଟ ଚାଲିବେ, ପରିବାରର ଭାର ବୋହିବେ…

507

କନକ ବ୍ୟୁରୋ: ଆଉ ଲୋଡା ପଡିବନି ଅନ୍ୟର ସାହାରା । ନେବାକୁ ପଡିବନି ବାଡିର ଭରସା । ଆଶାବାଡି ବିନା ବି ଏକାଏକା ଚାଲି ପାରିବ, ଗାଁ ଦାଣ୍ଡରେ ଭଲକି ଦୌଡି ପାରିବ ସିଦ୍ଧାନ୍ତ । ଚୁଲିରୁ ଉଠୁଥିବା ଏ ଧୂଆଁ ପରି ସିଦ୍ଧାନ୍ତଙ୍କ ଜୀବନ ଆଉ ଧୂଆଁ ଧୂଆଁ ହୋଇଯିବନି କି ସେ ଦେଖିଥିବା ସବୁ ସ୍ୱପ୍ନ, ସ୍ୱପ୍ନରେ ରହିଯିବନି । ସେ ଉଠିବ, ଚାଲିବ, ଆଉ ଦେଖିିଥିବା ଗୋଟି ଗୋଟି ସ୍ୱପ୍ନକୁ ସତ କରିବ । କାରଣ ତାର ଏ ଗୋଟିଏ ଗୋଡ ପାଖରେ ଯୋଡି ହୋଇଯିବ ଆଉ ଗୋଟିଏ ଗୋଡ ।

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ କୁମୁସି ଗାଁର ପ୍ରକାଶ ନାୟକଙ୍କ ଏକମାତ୍ର ପୁଅ ସିଦ୍ଧାନ୍ତ ଦୁଇ ବର୍ଷ ତଳେ ଗୋଟିଏ ଗୋଡ ହରାଇଥିଲେ । କ୍ୟାନସର ପରେ ପରିସ୍ଥିତି ଜଟିଳ ହେବାରୁ ଅଧିକ ଚିକିତ୍ସା କରି ନପାରି ବାଧ୍ୟ ହୋଇ ଗୋଟିଏ ଗୋଡ କାଟିବାକୁ ପଡିଥିଲା । ଆଉ ତାପରେ ପାଠ ପଢା ବନ୍ଦ କରି ବିଛଣାରେ ଶୋଇରହି ଗୋଟିଏ ଗୋଡରେ ଦୀର୍ଘ ୨ ବର୍ଷ ହେବ ସଂଘର୍ଷ କରୁଥିଲେ ସିଦ୍ଧାନ୍ତ ।

ତେବେ ସିନ୍ଧାନ୍ତଙ୍କ ସଂଘର୍ଷର କାହାଣୀ କନକ ନ୍ୟୁଜ ପ୍ରସାରଣ ପରେ ତାଙ୍କୁ ସାହାଯ୍ୟ କରିବାକୁ ପୁରୀରୁ ଧାଇଁ ଆସିଛନ୍ତି ପତିତ ପାବନ ସେବା ସଂଘର ସଦସ୍ୟ । କାଳିଆ ଧାମରୁ କୁମୁସି ଗାଁରେ ପହଞ୍ଚି କଷ୍ଟ ପାଉଥିବା ସିଦ୍ଧାନ୍ତକୁ ସହାୟତାର ହାତ ବଢାଇଛନ୍ତି ସେମାନେ । ସିଦ୍ଧାନ୍ତଙ୍କୁ ଭୋଗ ଦେଇ, ତାଙ୍କ ବେକରେ ଠାକୁରଙ୍କ ଧଣ୍ଡା ପକାଇ, ପ୍ଲାଷ୍ଟିକ ଗୋଡ ଲଗାଇବାକୁ ପୁରୀ ନେଇ ଯାଇଛନ୍ତି ।

ପଲିଥିନ ଟାଣି ଚାଳ ଘରେ ରହୁଥିବା ସିଦ୍ଧାନ୍ତଙ୍କ ପରିବାର ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପ୍ଲାଷ୍ଟିକ ଗୋଡଟିଏ ଯୋଗାଡ କରିବା ଅସମ୍ଭବ ଥିବାରୁ ପତିତ ପାବନ ସଂଘର ସାହାଯ୍ୟ ପରେ ପୂରା ପରିବାର ଖୁସି ଅଛନ୍ତି ।

ସେପଟେ ପ୍ଲାଷ୍ଟିକ ଗୋଡ ଲଗାଇବା କଥା ଶୁଣି ସିଦ୍ଧାନ୍ତଙ୍କ ମନରେ ଆଶା ସଂଚାର ହୋଇଛି । ପ୍ଲାଷ୍ଟିକ ଗୋଡ ଲାଗିସାରିବା ପରେ ସେ ପରିବାର ପାଇଁ ବୋଝ ନୁହେଁ ବରଂ ଘରର ସମ୍ପୂର୍ଣ୍ଣ ଭାର ନିଜ କାନ୍ଧରେ ବୋହିବା ସହ ତିନି ତିନିଟି ଭଉଣୀ ବିବାହ ମଧ୍ୟ କରିବେ । ତେବେ ସିଦ୍ଧାନ୍ତ ନୂଆ ଗୋଡ ସହ ନୂଆ ଜୀବନ ଜିଇଁବାକୁ ଜଗନ୍ନାଥ ଧାମରୁ ଜୁ ନେଇ ଫେରନ୍ତୁ ଏହା ସମସ୍ତଙ୍କ ଇଚ୍ଛା…