ହେଲନୀ ଗ୍ଲୋବାଲ ସିଟିଜେନ ସର୍ଭେରୁ ଆସିଲା ଚିନ୍ତାଜନକ ରିପୋର୍ଟ । ଡିସେମ୍ବର ସୁଦ୍ଧା ବିଦେଶୀ ନାଗରିକତ୍ୱ ଗ୍ରହଣ କରିବେ ୮ ହଜାର ଭାରତୀୟ

169

କନକ ବ୍ୟୁରୋ : ଚଳିତବର୍ଷ ଶେଷ ସୁଦ୍ଧା ଦେଶ ଛାଡିବେ ୮ହଜାର ଭାରତୀୟ । ଡିସେମ୍ବର ସୁଦ୍ଧା ୮ହଜାର ଧନୀ ଭାରତୀୟ ଦେଶ ଛାଡି ବିଦେଶର ନାଗରିକତା ଗ୍ରହଣ କରିପାରନ୍ତି । କଠୋର ଟ୍ୟାକ୍ସ ବ୍ୟବସ୍ଥା ଓ ପାସପୋର୍ଟ ନିୟମ ଯୋଗୁଁ ଧନୀମାନେ ଦେଶ ଛାଡିପାରନ୍ତି ବୋଲି ଏକ ସର୍ଭେରୁ ଜଣାପଡିଛି । ଏମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ବ୍ୟବସାୟୀ, ନୂଆ ଉଦ୍ୟୋଗୀ ଓ କର୍ପୋରେଟ ଅଧିକାରୀ । ବ୍ୟବସାୟକୁ ବିସ୍ତାର, ବିକଳ୍ପ ରୋଜଗାର ବ୍ୟବସ୍ଥା ଓ ଉନ୍ନତ ଜୀବନଯାପନ ପାଇଁ ଭାରତୀୟ ଧନୀମାନେ ଭାରତର ବିକଳ୍ପ ଖୋଜୁଛନ୍ତି ବୋଲି ହେଲନୀ ଗ୍ଲୋବାଲ ସିଟିଜେନ ସର୍ଭେରୁ ଜଣାପଡିଛି ।

ତେବେ ଦେଶ ଛାଡିବା ପରେ ଅଧିକାଂଶ ଭାରତୀୟ ୟୁନାଇଟେଡ ଆରବ ଏମିରେଟ୍ସ,ଅଷ୍ଟ୍ରେଲିଆ ଓ ସିଙ୍ଗାପୁରରେ ରହିବାକୁ ଯୋଜନା କରୁଛନ୍ତି । ୨୦୧୫ରୁ ୨୦୨୧ ମଧ୍ୟରେ ୯ଲକ୍ଷ ଭାରତୀୟ ଦେଶ ଛାଡିଛନ୍ତି । ପ୍ରତିବର୍ଷ ଏହି ସଂଖ୍ୟା ବଢୁଛି । କରୋନା ପରେ ଅନ୍ୟଦେଶ ତୁଳନାରେ ଭାରତର ଅର୍ଥ ବ୍ୟବସ୍ଥାରେ ଯଥେଷ୍ଟ ସୁଧାର ଆସିଛି ସତ କିନ୍ତୁ ବିଦେଶରେ ନିବେଶ କରିବାକୁ ଭାରତୀୟ ମାନେ ମନ ବଳାଇଛନ୍ତି । ତେବେ ବିଦେଶରେ ମିଲିୟନ ଡଲାର ନିବେଶ କରିବା ଦ୍ୱାରା ସେହି ଦେଶର ନାଗରିକତା ମିଳିଯାଉଥିବାରୁ ଧନୀମାନେ ବିଦେଶରେ ସ୍ଥାୟୀ ନାଗରିକ ହେବାକୁ ମନ ବଳାଉଥିବା ବିଶେଷଜ୍ଞ ମତ ଦେଇଛନ୍ତି ।