ସ୍ଥଳଭାଗ ଛୁଇଁଲା ଗଭୀର ଅବପାତ, ପ୍ରଭାବରେ ବାଲେଶ୍ୱର, ମୟୂରଭଞ୍ଜରେ ପ୍ରବଳ ବର୍ଷା: ଏସଆରସି

293

କନକ ବ୍ୟୁରୋ: ବାନ୍ୟା ନେଇ ଏସଆରସିଙ୍କ ପ୍ରେସମିଟ୍ । ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ସ୍ଥଳଭାଗ ଅତିକ୍ରମ କରିଛି । ୭ଟାରୁ ୮ଟା ଭିତରେ ଏହା ପଶ୍ଚିମବଙ୍ଗ ଦୀଘା ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି । ଏହାର ପ୍ରଭାବରେ ଉତ୍ତର ବାଲେଶ୍ୱରରେ ବର୍ଷା ଲାଗିରହିଛି । ମୟୂରଭଞ୍ଜ ଓ ଭଦ୍ରକରେ ମଧ୍ୟ ବର୍ଷା ଜାରିରହିଛି । ଆସନ୍ତାକାଲି ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝରରେ ବର୍ଷା ହେବ । ଏଥିପାଇଁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାଲେଶ୍ୱରରେ ୨ଟି ଏନଡିଆରଏଫ ଓ ୨ଟି ଓଡ୍ରାଫ ଟିମ୍ ପଠାଯାଇଛି ।

ବର୍ତ୍ତମାନ ଉତ୍ତର ବାଲେଶ୍ୱରରେ ୨୫ରୁ ୩୦ କିମି ବେଗରେ ପବନ ବହିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ୨୫ ମିମି ବର୍ଷା ରେକର୍ଡ ହୋଇସାରିଛି । ଆଗାମୀ ୬ରୁ ୮ ଘଣ୍ଟା ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଦିଆଯାଇଛି । ତଳିଆ ଅଞ୍ଚଳରୁ ପ୍ରାୟ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ବୋଲି ଏସଆରସି ସୂଚନା ଦେଇଛନ୍ତି । ମୁଣ୍ଡଳୀରେ ଜଳସ୍ତର ଧିରେ ଧିରେ କମିବାରେ ଲାଗିଛି । ତେବେ ମହାନଦୀରେ ଜଳସ୍ତର ବୃଦ୍ଧି ହେବାର ଆଶଙ୍କା ନାହିଁ । ବର୍ତ୍ତମାନ ସୁଦ୍ଧା ଆଉ କୌଣସି ନୂଆ ଘାଇ ସୃଷ୍ଟି ହୋଇନି ବୋଲି ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।