୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା! ୟେଲୋ ୱାର୍ଣ୍ଣିଂ ଜାରି କରିବା ସହ, ସତର୍କ ରହିବାକୁ କହିଛି ପାଣିପାଗ ବିଭାଗ

1,751

ଆସନ୍ତା ୨ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ରାଜ୍ୟର ୧୨ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ମାଲକାନଗିରି, କୋରାପୁଟ, ଢେଙ୍କାନାଳ, କଟକ, ନୟ‌ାଗଡ଼, ଖୋର୍ଧା, ପୁରୀ, ଗଞ୍ଜାମ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ଯାଜପୁର ଆଦି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯିବା ସହ ସତର୍କ ରହିବା ପାଇଁ କୁହାଯାଇଛି।

କେନ୍ଦ୍ରର ସୂଚନା ମୁତାବକ ସମୁଦ୍ର ପତ୍ତନରେ ଥିବା ନିମ୍ନଚାପ ରେଖା ଆଜି ମଧ୍ୟ ଉତ୍ତର ପଞ୍ଜାବରୁ ହରିୟାଣା, ପଶ୍ଚିମ ଉତ୍ତରପ୍ରଦେଶ, ଉତ୍ତର ଝାଡ଼ଖଣ୍ଡ ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟାକା ମଧ୍ୟ ଦେଇ ଉତ୍ତର ପୂର୍ବ ବଙ୍ଗୋପସାଗର ଯାଏ ଲମ୍ବିଛି। ତା’ ଛଡ଼ା ଝାଡ଼ଖଣ୍ଡ ଓ ତା’ର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୫.୮ କିମି ବ୍ୟାପିଛି ଏବଂ ଏହା ଦକ୍ଷିଣ ପଶ୍ଚିମ ଦିଗକୁ ଢଳି ରହିଛି। ଏହି ଘୂର୍ଣ୍ଣିବଳୟଠାରୁ ଦକ୍ଷିଣ ଓଡ଼ିଶା ମଧ୍ୟ ଦେଇ ଗୋଟିଏ ନିମ୍ନଚାପ ରେଖା ସମୁଦ୍ର ପତ୍ତନଠାରୁ ୦.୯ କିମି ଉଚ୍ଚତା ମଧ୍ୟରେ ଉତ୍ତର ଆନ୍ଧ୍ର ଉପକୂଳ ଯାଏ ଲମ୍ବିଛି। ଏହା ପ୍ରଭାବରେ ରାଜ୍ୟରେ ଆସନ୍ତା ୪୮ ଘଣ୍ଟା ବର୍ଷା ହେବ। ଆଜି ଉପରୋକ୍ତ ୧୨ଟି ଜିଲ୍ଲାର କିଛି କିଛି ଅଞ୍ଚଳରେ ପ୍ରବଳ ବର୍ଷା ସହ କେତେକ ସ୍ଥାନରେ ହାଲ୍‌କାରୁ ମଧ୍ୟମଧରଣର ବର୍ଷା ହୋଇପାରେ। ଏଥିସହ ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବି ବର୍ଷା ସମ୍ଭାବନା ରହିଛି। ସେହିପରି ୨୭ ତାରିଖ ଦିନ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଆଦି ଜିଲ୍ଲାର କିଛି କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବା ସହ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଦେବଗଡ଼ ଆଦି ଜିଲ୍ଲାରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି।