ଅଗଷ୍ଟ ୭ ଯାଏଁ ପ୍ରବଳ ବର୍ଷିବ ! ୨ରୁ ବଢିବ ବର୍ଷାର ପରିମାଣ

2,601
କନକ ବ୍ୟୁରୋ : ଉତ୍ତରପୂର୍ବ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ। ୪ ତାରିଖ ବେଳକୁ ଅଧିକ ଘନୀଭୂତ ହେବ। ଫଳରେ ଅଗଷ୍ଟ ୭ ଯାଏ ସାରା ଓଡ଼ିଶାରେ ବର୍ଷା ଲାଗିରହିବ। କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପଶ୍ଚିମ ଓଡ଼ିଶା ଅପେକ୍ଷା ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ପାଣିପାଗ କେନ୍ଦ୍ର ଆହୁରି ସ୍ପଷ୍ଟ କରିଛି ଯେ, ଘୂର୍ଣ୍ଣିବଳୟ ଯୋଗୁଁ ଗୁରୁବାର ଦକ୍ଷିଣ, ଉତ୍ତର ଉପକୂଳ ଓ ଉତ୍ତର କେନ୍ଦ୍ରୀୟ ଓଡ଼ିଶାରେ ସ୍ବଳ୍ପ ବର୍ଷା ହେବ। ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ତେବେ ୨ ତାରିଖଠାରୁ ବର୍ଷାର ପରିମାଣ ବଢ଼ିବ। କୋରାପୁଟ, କଳାହାଣ୍ଡି, ବରଗଡ଼, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା ଓ ଅନୁଗୁଳ ଜିଲ୍ଲାରେ ପ୍ରବଳ ବର୍ଷା ଲାଗିରହିବ।
ଅଗଷ୍ଟ ୩ରେ ଦକ୍ଷିଣ ଓ ଉପକୂଳ ଓଡ଼ିଶା, ୪ ତାରିଖରେ ଉପକୂଳ, ଦକ୍ଷିଣ ଓ ଉତ୍ତର ଓଡ଼ିଶାର ୧୮ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଲଘୁଚାପ ପ୍ରଭାବରେ ୩ ଓ ୪ ତାରିଖରେ ଉପକୂଳ ଓଡ଼ିଶା ଓ ଉତ୍ତର ବଙ୍ଗୋପସାଗର ସମୁଦ୍ର ଅଶାନ୍ତ ରହିବ। ତେଣୁ ଏହି ଦୁଇ ଦିନ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଉଛି ଯେ ଅଗଷ୍ଟ ୭ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ବର୍ତମାନ ସୃଷ୍ଟି ହୋଇଥିବା ଟ୍ରଫ୍ ଓ ତା’ ଭିତରେ ଥିବା ଲୋ-ପ୍ରେସର୍ କେନ୍ଦ୍ରୀୟ ଭାରତ ଯଥା ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶରେ ରହିଛି। ଗୁରୁବାର ମଧ୍ୟ ସେଠାରେ ରହିବ। ଅଗଷ୍ଟ ୨ ବେଳକୁ ଏହା ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଯାହାକି ୩ କିମ୍ବା ୪ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ବାଂଲାଦେଶ ଉପରେ ଏକ ଲଘୁଚାପ ସୃଷ୍ଟି ହେବ। ୫ ତାରିଖରେ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି।
ତା’ପରେ ଉତ୍ତରପଶ୍ଚିମ ଦିଗରେ ଗତି କରିବ। ଅନୁମାନ କରାଯାଉଛି ଯେ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ସ୍ବଳ୍ପ ବର୍ଷା ହେବ। ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ୩ ତାରିଖଠାରୁ ବର୍ଷାର ପ୍ରକୋପ ବଢ଼ିବ। ଭୁବନେଶ୍ବର ସମେତ ଉପକୂଳବର୍ତୀ ଓ ସଂଲଗ୍ନ ଅଞ୍ଚଳରେ ୩, ୪ ଓ ୭ ତାରିଖରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ପଶ୍ଚିମ ଓଡ଼ିଶାରେ ୨, ୪ ଓ ୭ ତାରିଖ ଦିନ ପ୍ରବଳ ବର୍ଷା ହୋଇପାରେ।