କନକ ବ୍ୟୁରୋ: ଆସନ୍ତା ୨୭ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ପାଣିପାଗ ବିଭାଗର ଏମିତି ଆକଳନ ପରେ ସତର୍କ କରିଛନ୍ତି ଏସଆରସି । ଆସନ୍ତା ୫ ଦିନ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ସାମନାକୁ ଆସିଛି, ଲଗାଣ ବର୍ଷା କେମିତି ବିପଦ ଡାକି ଆଣିଛି ।

Advertisment
  • ଲଗାଣ ବର୍ଷା ଡାକି ଆଣିଲା ବିପଦ
  • କେଉଁଠି ଗଛ ଭାଙ୍ଗିଲା, କେଉଁଠି ଘର ଭୁଶୁଡିଲା

ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲା ମାଥିଲି ସାପ୍ତାହିକ ହାଟ ମଝିରେ ଥିବା ଶୁଖିଲା ଗଛ ଭାଙ୍ଗିପଡିଛି । କିଣା ବିକାରେ ସମସ୍ତେ ବ୍ୟସ୍ତ ଥିବା ବେଳେ ଭାଙ୍ଗିଥିଲା ଗଛ । ସୌଭାଗ୍ୟକୁ ଲୋକ ଗହଳି ଉପରେ ଗଛ ପଡିନଥିବାରୁ ଗ୍ରାହକ ଓ ବ୍ୟବସାୟୀ ଅଳ୍ପକେ ବର୍ତି ଯାଇଛନ୍ତି । ଗଛ ଚାପାରେ ୨ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତି କରାଯାଇଛି ।

ଏପଟେ ମାଲକାନଗିରି ରିକ୍ଲାମେଶନ କଲୋନୀରେ ଦୁଇଟି ବର ଗଛ ପଡି ଘର ଦ୍ୱାର ଭାଙ୍ଗି ଯାଇଛି । ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗଛ କାଟି ସଫା କରୁଛନ୍ତି । ସେହିପରି ନକମାଗୁଡି ପଞ୍ଚାୟତର ଦାମୋଦରବେଡା ପ୍ରାଥମିକ ବିଦ୍ୟାଳୟର କାନ୍ଥ ଭୁଶୁଡିବା ସହ ରୋଷେଇ ଘର ଭାଙ୍ଗି ଯାଇଛି । ବାୟାପାଡା ଘାଟିରେ ମାଟି ଅତଡା ଧସି ରାସ୍ତା ଅବରୋଧ ହୋଇଛି ।

  • ଆସନ୍ତା ୫ ଦିନ ବର୍ଷାରୁ ନିସ୍ତାର ନାହିଁ
  • ଜିଲ୍ଲାପାଳଙ୍କୁ ସତର୍କ କଲେ ଏସଆରସି

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆସନ୍ତା ୨୭ ତାରିଖ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ । ଆସନ୍ତା ୨୨ ଓ ୨୩ ତାରିଖରେ ୭ ଜିଲ୍ଲାକୁ ଚେତାବନୀ ଦିଆଯାଇଛି । ୨୩ ଓ ୨୪ ତାରିଖରେ ୧୨ ଜିଲ୍ଲାକୁ ଓ ୨୪, ୨୫ ତାରିଖରେ ୧୧ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ପଶ୍ଚିମ ଓଡିଶାରେ ଦିନେ, ଦୁଇ ଦିନ ବର୍ଷା ଲାଗିରହିବ । ତା’ପରେ ଉପକୂଳ ଓଡ଼ିଶାରେ ବର୍ଷିବ । ତେଣୁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରିଛନ୍ତି ଏସଆରସି ।
ସମ୍ବେଦନଶୀଳ ଅଞ୍ଚଳ ଉପରେ ନଜର ରଖିବାକୁ ଜଳସମ୍ପଦ ବିଭାଗର ଗ୍ରାଉଣ୍ଡରେ ଥିବା ସବୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟ ବିଭାଗକୁ ମଧ୍ୟ ପ୍ରସ୍ତୁତ ରହିବାକୁ କୁହାଯାଇଛି ।

ଲଘୁଚାପ ଯୋଗୁଁ ୨୭ ତାରିଖ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ଏହି ସମୟରେ ତଳୁଆ ଅଞ୍ଚଳରେ ପାଣି ଜମିବା, ଯାତାୟତ ବାଧାପ୍ରାପ୍ତ ହେବା ସହ ଟ୍ରାଫିକ ସମସ୍ୟା ଦେଖାଦେଇପାରେ । ମାଟି କାନ୍ଥ ପଡିବା ସମ୍ଭାବନା ଥିବାରୁ ଅସୁରକ୍ଷିତ କଚ୍ଚା ଘରେ ଆଶ୍ରୟ ନ ନେବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ପାହାଡିଆ ଅଞ୍ଚଳରେ ଭୂସ୍ଖଳନର ସମ୍ଭାବନା ବି ରହିଛି ।