ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା: ଆହୁରି ୨୪ ଘଂଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ଚେତାବନୀ । ୫ଜିଲ୍ଲାରେ ପ୍ରବଳ ବର୍ଷା ଚେତାବନୀ । ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ମନା

51

କନକ ବ୍ୟୁରୋ : ଉତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ବି ସ୍ଥିର ରହିଛି । ଏହାର ପ୍ରଭାବରେ କଟକ, ଭୁବନେଶ୍ୱର. ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଉପକୂଳ ଓ ଉତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ପୁରୀରେ ସର୍ବାଧିକ ୨୩୬ ମିିଲିମିଟର, ଭୂବନେଶ୍ୱରରେ ୧୬୩ ମିଲିମିଟର ବର୍ଷା ହୋଇଛି । ଲଘୁଚାପ ପ୍ରଭାବରେ ଆହୁରି ୨୪ ଘଂଟା ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏହା ସହ କିଛି ସ୍ଥାନରେ ଝଡତୋଫାନ ନେଇ ବି ଆଶଙ୍କା ରହିଛି ।

ଆଜି ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୁରଭଞ୍ଜ, କଟକ, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି । ଝଡ଼ ତୋଫାନ ଯୋଗୁଁ ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ, ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ଲାଗି ବାରଣ କରାଯାଇଛି । ଆସନ୍ତାକାଲି ଠାରୁ ବର୍ଷା କମିପାରେ ବୋଲି ଆକଳନ କରାଯାଇଛି । ତେବେ ୧୦ ତାରିଖ ବେଳକୁ ଉତର ଓଡ଼ିଶା ଓ ପଶ୍ଚିମବଂଗ ଉପରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ସେପଟେ ଓଡ଼ିଶା ସମେତ ୫ଟି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଉତରାଖଣ୍ଡର ସ୍ଥିତି ଅତି ସଂଗୀନ ହେବ ବୋଲି ଆଇଏମଡି ସତର୍କ କରାଇଦେଇଛି । ଓଡ଼ିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ, ହିମାଚଳ ପ୍ରଦେଶ ଆଦି ରାଜ୍ୟର ବିଭିନ୍ନ ସ୍ଥାନରେ ଅତି ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । ସେହିପରି ୨୦ଟି ରାଜ୍ୟରେ ବର୍ଷା ଜାରି ରହିବ ।

ଅନ୍ୟପକ୍ଷରେ ଲଘୁଚାପର ପ୍ରଭାବରେ ଦକ୍ଷିଣ ଓଡ଼ିଶାକୁ ଛାଡ଼ି ରାଜ୍ୟର ସମସ୍ତ ଅଞ୍ଚଳରେ ବର୍ଷା ହୋଇଛି। ଉପକୂଳ ଓ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୋମବାର ସନ୍ଧ୍ୟା ୫ଟା ସୁଦ୍ଧା ବାରିପଦାରେ ସର୍ବାଧିକ ୯୭ ମିମି ବର୍ଷା ହୋଇଥିବା ବେଳେ ଚାନ୍ଦବାଲିରେ ୪୫.୬ ମିମି, କଟକରେ ୨୭, ପାରାଦୀପରେ ୩୫.୭, ଭୁବନେଶ୍ୱରରେ ୧୬.୨, କେନ୍ଦୁଝରରେ ୫୪ ମିମି ବର୍ଷା ରେକର୍ଡ କରାଯାଇଛି। ଜାତୀୟ ରାଜପଥ ଏବଂ ରାଜଧାନୀର ପ୍ରମୁଖ ରାସ୍ତାରେ ପାଣିର ସୁଅ ଛୁଟୁଥିବାରୁ ଗାଡ଼ି ଚଳାଚଳ ଏକରକମ ବନ୍ଦ ହୋଇଯାଇଛି। ଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ରାଜଧାନୀବାସୀଙ୍କ ମଧ୍ୟରେ ପୁଣି ବର୍ଷା ଭୟ ଘାରିଛି।

ଗତ ଥର ଭଳି ଯଦିଓ ଆଜି ସେହି ପରିମାଣରେ ବର୍ଷା ହୋଇନି କିନ୍ତୁ ଗଳି କନ୍ଦିରେ ଅଣ୍ଟେ ଉଚ୍ଚରେ ପାଣି ଚାଲୁଛି। ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ବମିଖାଲ, ଗୌରୀ ଗାର୍ଡେନ୍, ଜଗମୋହନ ନଗର, ଶାନ୍ତିନଗର, ନନ୍ଦନ ବିହାର, ଭିଏସ୍ଏସ୍ ନଗର, ବରମୁଣ୍ଡା, ବାଲିପାଟ ବସ୍ତି, ଏଲ୍ଆଇସି କଲୋନି, ଧିରିକୁଟି ବସ୍ତି, ପଦ୍ମାବତୀ ବିହାର, ଆଦିତ୍ୟ ଏନକ୍ଲେଭ୍, ଶ୍ରୀରାମ ନଗର, ସମେଇଗାଡ଼ିଆ ପଟାଦେଇ ବସ୍ତି, ପାଇକ ନଗର ଏବଂ ରାଧାକ୍ରିଷ୍ଣ ଲେନ୍, ନୂଆପଲ୍ଲୀ, ନୂଆପଲ୍ଲୀ ଏକାମ୍ର ପାର୍କ ରାସ୍ତା, ଜାଗମରା, ଚିନ୍ତାମଣିଶ୍ୱର ଆଦି ଅଞ୍ଚଳରେ ବର୍ଷା ପାଣି ଅଣ୍ଟେ ଉଚ୍ଚରେ ଚାଲିବା ସହ ଲୋକଙ୍କ ଘରେ ପଶିଛି। ରାତି ଅଧରେ ଘରେ ପାଣି ପଶିଯିବାରୁ ଲୋକ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି।