ମାଡି ଆସୁଛି ବର୍ଷା! ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ପ୍ରବଳ ବର୍ଷିବ, ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

29

କନକ ବ୍ୟୁରୋ : ରାଜ୍ୟରେ ଆରମ୍ଭ ହୋଇଯାଇଛି ଲଘୁଚାପ ବର୍ଷା । ତୁହାକୁ ତୁହା ବର୍ଷା ଲାଗି ରହିଛି । ଆସନ୍ତା ୨୪ ଘଂଟା ମଧ୍ୟରେ ଆହୁରି ବର୍ଷିବ । ୧୬ରୁ ଅଧିକ ଜିଲ୍ଲାରେ ପ୍ରବଳ ବର୍ଷା ହେବ । କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଲଗାଣ ବର୍ଷାର ସ୍ଥିତି ମୁକାବିଲା ପାଇଁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆରମ୍ଭ ହୋଇଯାଇଛି ବର୍ଷା । ଆସନ୍ତା ୨୪ ଘଂଟା ମଧ୍ୟରେ ସାରା ରାଜ୍ୟରେ ବର୍ଷା ହେବ । ବିଶେଷ କରି କୋରାପୁଟ, ରାୟଗଡା, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଂଜାମ, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ, ଜଗତସିଂହପୁର, କେନ୍ଦ୍ରାପଡା, ସୋନପୁର, ସମ୍ବଲପୁରରେ ପ୍ରବଳ ବର୍ଷା ହେବ । କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ । ପୁରୀ, ଗଂଜାମ, ନୟାଗଡ, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ଢେଙ୍କାନାଳ, କନ୍ଧମାଳ, ବୌଦ୍ଧ, ଯାଜପୁର, ଭଦ୍ରକ, କଟକ, ସମ୍ବଲପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଏପରିକି ଦୁଇ ଦିନ ଧରି ଏସବୁ ଜିଲ୍ଲାରେ ବର୍ଷା ଲାଗି ରହିବ ।

୧୩ ଓ ୧୪ ତାରିଖରେ ପ୍ରବଳ ବର୍ଷା ହେବ । କିଛି ଜିଲ୍ଲାରେ ଲଘୁଚାପର ପ୍ରଭାବ ୧୫ ତାରିଖ ଯାଏଁ ରହିବ । ବର୍ଷା ସହ ବଜ୍ରପାତର ଆଶଙ୍କା ଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକରେ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଡଙ୍ଗା ଓ ରିଲିଫ୍ ସାମଗ୍ରୀ ମହଜୁଦ୍ ରଖିବା ସହ ଜରୁରୀକାଳୀନ ସେବା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଚଳିତ ମାସରେ ବଙ୍ଗୋପସାଗରରେ ଦ୍ୱିତୀୟ ଥର ପାଇଁ ଲଘୁଚାପ ସୃଷ୍ଟି ହୋଇଛି । ଯାହାର ପ୍ରଭାବରେ ରାଜ୍ୟରେ ବର୍ଷା ହୋଇଛି ।