ବର୍ଷାରେ ବୁଡିଲା ଆନ୍ଧ୍ରପ୍ରଦେଶ: କଡପା ଜିଲ୍ଲାରୁ ଆସିଲା ଭୟଙ୍କର ଦୃଶ୍ୟ, ବନ୍ୟା ପାଣିରେ ଭାସିଗଲା ୨ ମହଲା କୋଠା

209

କନକ ବ୍ୟୁରୋ: ଦକ୍ଷିଣ ଭାରତରେ ବନ୍ୟା ବିତ୍ପାତ । ଲଗାଣ ବର୍ଷାରେ ଆନ୍ଦ୍ରପ୍ରଦେଶର ହାଲ ବେହାଲ ହୋଇୁପଡିଛି । କଡପା ଜିଲ୍ଲାରେ ଏକ କୋଠା ଘର ଭୁଷୁଡି ନଦୀରେ ପଡିଯାଇଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ସୁରକ୍ଷା କୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ୧୯ ଜିଲ୍ଲାରେ ସ୍କୁଲ କଲେଜ ଛୁଟି ଘୋଷଣା କରିଛନ୍ତି । ସେପଟେ ବନ୍ୟା ପ୍ରଭାବିତ ଅଂଚଳ ଯାଇ ଉଦ୍ଧାର କାର୍ଯର ସମିକ୍ଷା କଲେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ।

ଆନ୍ଧ୍ର ପ୍ରଦେଶରେ ଜାରି ରହିଛି ବର୍ଷା ବିତ୍ପାତ । ରାଜ୍ୟର ୪ଟି ଜିଲ୍ଲାରୁ ଆସିଛି ଭୟଙ୍କର ଦୃଶ୍ୟ । ଲଗାଣ ବର୍ଷା ଫଳରେ କଡପ୍ପା ଜିଲ୍ଲାରେ ଏକ କୋଠା ଭୁଷିଡି ପଡିଛି । ଗୁନଜନ ନଦୀକୁ ଲାଗି ରହିଥିବା କୋଠା ଟି ନଦୀର ବନ୍ୟା ଜଳରେ ଭାସି ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଘଟଣାରେ କେହି ମୃତାହତ ହୋଇ ନଥିବା ଜଣାପଡିଛି । ଜିଲ୍ଲାର ଅନେକ ସ୍ଥାନ ଜଳମଗ୍ନ ହୋଇ ରହିଥିବା ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ଯୋଗୁଁ ରାସ୍ତା ଘାଟ, ଘର ଦ୍ୱାର ସବୁ ପାଣିରେ ଅଧା ବୁଡି ରହିଥିବା ଦେଖିବାକୁ ମିଳିଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧା ଦେଇ ଗତି କରୁଛନ୍ତି ।

ଲଗାଣ ବର୍ଷା ଫଳରେ ରାଜ୍ୟବାସିଙ୍କୁ ପୁଣି ଘାରିଛି ବନ୍ୟା ଚିନ୍ତା । ରାଜ୍ୟର୪ଟି ଜିଲ୍ଲା ବନ୍ୟା ପାଣିରେ ବୁଡି ରହିଥିବା ଦେଖିବାକୁ ମିଳିଛି । ଆଗକୁ ରାଜ୍ୟରେ ଆହୁରି ବର୍ଷାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସରକାରଙ୍କ ତରଫରୁ ଉଦ୍ଧାର କାର୍ଯ୍ୟ ଜାରି ରହିବା ସହ ଲୋକଙ୍କୁ ରିଲିଫ ସାମଗ୍ରୀ ମଧ୍ୟ ଯୋଗାଇ ଦିଆଯାଉଛି । ବନ୍ୟା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ଜରୁରୀ ବୈଠକ କରିଛନ୍ତି ।

ତାମିଲନାଡୁରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଛି । ରାଜଧାନୀ ଚେନ୍ନାଇ ସମେତ ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା ଚିନ୍ତାର କାରଣ ପାଲଟିଛି । ପ୍ରବଳ ବର୍ଷା ଜାରି ରହିବାରୁ ପୁଣି ପାଣି ଘେରରେ ଚେନ୍ନାଇ । ରାଜଧାନୀ ଚେନ୍ନାଇର ଅନେକ ସ୍ଥାନ ଜଳମଗ୍ନ ଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ବନ୍ୟା ପ୍ରଭାବିତ ଅଂଚଳ କୁ ଯାଇ ସ୍ଥିତି ପରଖିବା ସହ ଉଦ୍ଧାର କାର୍ଯ୍ୟ ର ସମିକ୍ଷା କରିଛନ୍ତି । ସେହପରି ସୁରକ୍ଷା କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୯ ଜିଲ୍ଲା ରେ ଥିବା ସ୍କୁଲ କଲେଜର ଛୁଟି ଘୋଷଣା କରିଛନ୍ତି । ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ନେଇ ସତର୍କ ସୂଚନା ଜାରି କରିଛି ଆଂଚଳିକ ପାଣିିପାଗ ବିଭାଗ ।

ଆଗକୁ ବଙ୍ଗୋପ ସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଆନ୍ଦ୍ର ପ୍ରଦେଶରେ ବର୍ଷା ପ୍ରଳୟ ଜାରି ରହିବ । ଯାହା ଲୋକଙ୍କ ସମସ୍ୟା ଆହୁରି ବଢାଇ ଦେବ ବୋଲି ଆଶଙ୍କା କରାଯାଉଛି ।