ଆହୁରି ୨ଦିନ ବର୍ଷା ! ଆଜି ୯ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା: ମତ୍ସ୍ୟଜୀବୀଙ୍କୁ ୧୬ ଯାଏ ସମୁଦ୍ର ମନା

ଉତ୍ତର-ଉପକୂଳ ଓଡିଶାରେ ୱେଲମାର୍କ ଲୋ-ପ୍ରେସର

748

କନକ ବ୍ୟୁରୋ: ଲଘୁଚାପ ପ୍ରଭାବରେ ଓଡିଶାରେ ଆହୁରି ୨ ଦିନ ବର୍ଷା ହେବ । ଆଜି ପାଇଁ ୯ଟି ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ, ୧୬ଟି ଜିଲ୍ଲା ପାଇଁ ୱେଲୋ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି । ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଂଚଳରେ ପାଣି ପଶିବା ସହ କଚ୍ଚା ଘର ପ୍ରଭାବିତ ହେବା ଆଶଙ୍କା ରହିଛି ।

 

କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌.ଆର୍‌ ବିଶ୍ବାସ କହିଛନ୍ତି, ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର  କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷିବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ ହେଲା, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗୀର, ଦେଓଗଡ଼, ଅନୁଗୁଳ, ବୌଦ୍ଧ, ନୂଆପଡ଼ା ଓ ସୋନପୁର। ଏନେଇ ସତର୍କ ରହିବାକୁ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, କଳାହାଣ୍ଡି ଓ ଢେଙ୍କାନାଳ ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ମଧ୍ୟ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଣୁ ଏସବୁ ଜିଲ୍ଲା ପାଇଁ କେନ୍ଦ୍ର ପକ୍ଷରୁ ‌‌ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

୧୬ ତାରିଖ ଦିନ ପାଇଁ ମଧ୍ୟ କେନ୍ଦ୍ର ପକ୍ଷରୁ ୮ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନାକୁ ନେଇ ‌ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ନୂଆପଡ଼ା, ନବରଙ୍ଗପୁର, ବୌଦ୍ଧ ଓ ବଲାଙ୍ଗୀର। ଉତ୍ତର ବଙ୍ଗୋପସାଗର ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ଓଡ଼ିଶା ଉପକୂଳରେ ୧୬ ତାରିଖ ପର୍ଯ୍ୟନ୍ତ ୪୫-୫୫ କିମି ବେଗରେ ପବନ ବହିବାର ଆଶଙ୍କା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।