ରାଜ୍ୟରେ ଆଉ ୨ ଦିନ ଧରି ଲାଗିରହିବ ବର୍ଷା ! ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ, ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ମନା ।

31

କନକ ବ୍ୟୁରୋ : ଓଡିଶାରେ ପୁଣି ବର୍ଷାର ଭୟ । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଧିରେ ଧିରେ ଲଘୁଚାପର ରୂପ ନେଉଛି । ଆସନ୍ତା ୨୪ ଘଂଟାରେ ଏହା ୱେଲ ମାର୍କଡ ଲୋପ୍ରେସରରେ ପରିଣତ ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟର ୧୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ମାଲକାନଗିରି, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଞ୍ଜାମ, ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ପୁରୀ, ବଲାଙ୍ଗୀର, ନୂଆପଡ଼ା, ସମ୍ବଲପୁର, ନବରଂଗପୁର. ବାଲେଶ୍ୱର, କେନ୍ଦୁଝର ଓ ମୟୁରଭଂଜ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ । ରାଜ୍ୟରେ ୨ ଦିନ ଯାଏଁ ବର୍ଷା ଲାଗି ରହିବ । ଏନେଇ ଜିଲ୍ଲାପାଳଙ୍କୁ ଆଲର୍ଟ କରାଯାଇଛି । ମତ୍ସ୍ୟଜୀବୀଙ୍କୁ ସମୂଦ୍ର ଭିତରକୁ ଯିବାକୁ ମନା କରାଯାଇଛି । କ୍ଷୟକ୍ଷତିର ରିପୋର୍ଟ ଆସିନି ବୋଲି ଏସଆରସି କହିଛନ୍ତି ।