ବର୍ଷା ଆଲର୍ଟ: ଆଜି ଓ କାଲି ରାଜ୍ୟର ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା; ପ୍ରବଳରୁ ଅତି ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ଆଶଙ୍କା

1,986

କନକ ବ୍ୟୁରୋ: ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଆସନ୍ତା ୨୪ଘଣ୍ଟାରେ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବ । ଏହାର ପ୍ରଭାବରେ ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ମୟୂରଭଞ୍ଜ, ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, କେନ୍ଦୁଝର, ବାରିପଦା, ବଲାଙ୍ଗୀର, ଦେବଗଡ ଓ ଉପକୂଳବର୍ତ୍ତି ଓଡିଶାରେ ଆଜିଠାରୁ ବର୍ଷା ଆରମ୍ଭ ହେବାର ଆକଳନ କରିଛନ୍ତି ଆଂଚଳିକ ପାଣିପାଗ କେନ୍ଦ୍ର ।

 

ସେହିପରି ଆସନ୍ତାକାଲିଠାରୁ କେନ୍ଦୁଝର, ବଲାଙ୍ଗୀର, ସୁନ୍ଦରଗଡ, ଝାରସୁଗୁଡା, ନବରଙ୍ଗପୁର, ବରଗଡ ନୂଆପଡାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।

ଅନ୍ୟପଟେ ଆଜି ବଜ୍ରପାତ ନେଇ ସତର୍କ ସୂଚନା ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦିନ ଗୋଟାଏ ୩୦ରୁ ୪ଟା ୩୦ ପର୍ଯ୍ୟନ୍ତ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ସତର୍କ ସୂଚନା ଜାରି କରାଯାଇଛି । କଟକ , ଭୁବନେଶ୍ୱର ସମେତ ସମ୍ବଲପୁର, ବରଗଡ, ଝାରସୁଗୁଡା, ସୋନପୁର, ଦେବଗଡ, ଢ଼େଙ୍କନାଳ ଅନୁଗୁଳ, ଜଗତସିଂହପୁର, ପୁରୀ,କେନ୍ଦ୍ରାପଡା, ଖୋର୍ଦ୍ଧା ଜିଲ୍ଳାରେ ସତର୍କ ରହିବାକୁ କୁହାଯାଇଛି ।