କନକ ବ୍ୟୁରୋ: ଏଥରକ ଯେଉଁଭଳି ଭାବେ ପ୍ରଚଣ୍ଡ ତାତି ଓ ଲୁ ଜାରି ଚାଲିଛି ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । କିଛି ରାଜ୍ୟରେ ମୌସୁମୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି ତଥାପି ଅଧିକାଂଶ ରାଜ୍ୟରେ ଗରମରେ ଛଟପଟ ହେଉଛନ୍ତି ।

Advertisment

ଜୁନ ଆସିଲେ ମାନେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଏ । ଏଥରକ ମଧ୍ୟ ସେଭଳି କିଛି ଅପେକ୍ଷା ଥିଲା । ହେଲେ ଆଜି କାଲି ଭିତରେ ନା ମୌସୁମୀ ବର୍ଷା ହେଉଛି ନା ଆଗଭଳି କାଳବୈଶାଖୀରେ ଭିଜୁଛି ମାଟି । ତାତିରେ ଛଟପଟ ଅଧିକାଂଶ ରାଜ୍ୟ । ଖରାଗରମ ସିଝୁଛି ସକାଳରୁ ରାତି । ଗୁଳୁଗୁଳି,ଗରମରେ ଜୀବନ ଡାକୁଛି ତ୍ରାତି ତ୍ରାତି । ପାଣିପାଗ ବିଜ୍ଞାନୀଙ୍କ ମତରେ ଏଭଳି ବିିଚିତ୍ର ପାଣିପାଗର ମୁଖ୍ୟ କାରଣ ହେଉଛି ଜଳବାୟୁ ପରିବର୍ତ୍ତନ । ଜଳବାୟୁ ସ୍ତର ବଦଳିବା ସହ ହିଟ୍ୱେଭ ଓ ଲୁ’ ବଢ଼ୁଛି । ଏହାର ସିଧା ପ୍ରଭାବ ପ୍ରକୃତି ଉପରେ ପଡୁଥିବାରୁ ୱାର୍ମ ନାଇଟ ବା ତତଲା ରାତି ଅନୁଭୂତ ହେଉଛି । ଆଇଏମଡି କିଛି ସହର ପାଇଁ ରେଡ ଓ ଅରେଂଜ ଆଲର୍ଟ ଜାରି କରି ସତର୍କ କରାଇଛି ।

ବିହାର, ରାଜସ୍ଥାନ, ଉତରପ୍ରଦେଶର, ଦିଲ୍ଲୀରେ ୫୦ ଡିଗ୍ରୀ ଉପରକୁ ତାପମାତ୍ରା ରେକର୍ଡ କରାଯାଉଥିବାବେଳେ ପାହାଡିଆ ରାଜ୍ୟ ହିମାଚଳପ୍ରଦେଶ, ଉତରାଖଣ୍ଡ ଓ ଜମ୍ମୁକାଶ୍ମୀରରେ ଚକିତ କରିବା ଭଳି ତାପମାତ୍ରା ବଢ଼ିବାରେ ଲାଗିଛି ।

ପାହାଡ଼ିଆ ରାଜ୍ୟରେ ତାପମାତ୍ରା ବୃଦ୍ଧି
ରାଜ୍ୟ               ସର୍ବାଧିକ ତାପମାତ୍ରା
ଜମ୍ମୁକାଶ୍ମୀର            ୨୯ ଡିଗ୍ରୀ
ଉତ୍ତରାଖଣ୍ଡର          ୨୮ ଡିଗ୍ରୀ
ହିମାଚଳପ୍ରଦେଶ       ୩୨ ଡିଗ୍ରୀ

ହିଟୱେଭ ଓ ସନଷ୍ଟ୍ରୋକରେ ଦେଶରେ ଦୁଇଶହରୁ ଅଧିକ ସଂଖ୍ୟକ ମୃତ୍ୟୁ ହୋଇସାରିଛି ।ସେପଟେ ଡାକ୍ତରଖାନାରେ ବୟସ୍କ ଓ ଶିଶୁଙ୍କ ଭର୍ତି ମାମଲା ବଢ଼ିବାରେ ଲାଗିଛି ।ସେପଟେ ଯୁବବର୍ଗ ମଧ୍ୟରେ ଏଥିରୁ ବାଦ ପଡୁନାହାଁନ୍ତି । ସନଷ୍ଟ୍ରୋକ ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି ।

ଯେଉଁଭଳି ଭାବେ ଜଳବାୟୁ ପରିବର୍ତନ ହେବାରେ ଲାଗିଛି ଜୀବନ ସଙ୍କଟରେ ପଡିଛି । ସମୟଥାଉ ଥାଉ ପରିବେଶ ଓ ପ୍ରକୃତି ପ୍ରତି ଧ୍ୟାନ ନଦିଆଗଲେ ଆଗକୁ ଦୁନିଆର ସ୍ଥିତି ଯେ ଅସମ୍ଭାଳ ହେବ ସେକଥା ଏବେଠୁ ସହଜରେ ଅନୁମେୟ ହେଲାଣି ।