ଟିଟିଲାଗଡ଼ରେ ବଢ଼ିଚାଲିଛି ତାପମାତ୍ରା ! ରେକର୍ଡ଼ ଭାଙ୍ଗିଲା ତାତି, ଡହଳବିକଳ ହେଉଛନ୍ତି ଲୋକେ

36

କନକ ବ୍ୟୁରୋ : ଟିଟିଲାଗଡ଼ ତାପମାତ୍ରା ବଢ଼ି ଚାଲିଛି । ଗତକାଲି ଏହି ସହରର ତାପମାତ୍ରା ୪୨.୫ ଡିଗ୍ରି ଥିବା ବେଳେ ଆଜି ତାହା ଗୋଟିଏ ଡିଗ୍ରି ବୃଦ୍ଧି ପାଇ ୪୩.୫ ଡିଗ୍ରିରେ ପହଞ୍ଚିଛି । ଯାହାକି ଚଳିତବର୍ଷର ସର୍ବୋଚ୍ଚ ତାପମାତ୍ରା । ଏହାପୂର୍ବରୁ ଗତ ବୁଧବାର ଟିଟିଲାଗଡ଼ରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରି ରେକର୍ଡ ହୋଇଥିଲା । ଗୋଟିଏ ଦିନ ଭିତରେ ତାପମାତ୍ରା ଏଭଳି ବୃଦ୍ଧି ପାଇଥିବାରୁ ଲୋକେ ନାହିଁ ନ ଥିବା ଯନ୍ତ୍ରଣା ଭୋଗୁଛନ୍ତି । ତାତିରେ ଡହଳବିକଳ ହେଉଛନ୍ତି । ପୂର୍ବାହ୍ନ ହେବା କ୍ଷଣି ଟିଟିଲାଗଡ଼ ତତଲାଗଡ଼ରେ ପରିଣତ ହେଉଛି । ଘରୁ ପଦାକୁ ବାହାରିବା ଲୋକଙ୍କ ପକ୍ଷେ ମୁସ୍କିଲ ହୋଇପଡ଼ୁଛି ।

ଟିଟିଲାଗଡ଼ ବ୍ୟତୀତ ପଶ୍ଚିମ ଓଡ଼ିଶାର ଅଧିକାଂଶ ସହରର ତାପମାତ୍ରା ଏବେ ୪୧ ଡିଗ୍ରି ଟପି ଯାଇଛି । ଗତକାଲି ପରି ଆଜି ମଧ୍ୟ ବଲାଙ୍ଗୀରରେ ସମାନ ତାତି ଅନୁଭୂତ ହୋଇଛି । ଏଠାରେ ପାରଦ ୪୨.୬ ଡିଗ୍ରି ରେକର୍ଡ କରାଯାଇଛି । ଝାରସୁଗୁଡ଼ା ତାପମାତ୍ରା ବି ୪୨.୪ ଡିଗ୍ରି ପହଞ୍ଚିଥିବା ବେଳେ ସମ୍ବଲପୁର ଓ ସୋନପୁରରେ ୪୧.୮, ଅନୁଗୁଳରେ ୪୧.୭, ହୀରାକୁଦରେ ୪୧.୬, ଭବାନୀପାଟଣାରେ ୪୧, ମାଲକାନଗିରିରେ ୪୦.୪, ଫୁଲବାଣୀରେ ୪୦ ଡିଗ୍ରି ରେକର୍ଡ ହୋଇଛି । ଉପକୂଳ, ଦକ୍ଷିଣ ଓ ଉତ୍ତର ଓଡ଼ିଶାର ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି । ଅପରାହ୍ନରେ କେତେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଛି ।

heat wave

ଟିଟିଲାଗଡ଼ରେ ପୂର୍ବାହ୍ନରେ ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଅପରାହ୍ନରେ ଏଠାରେ ୧୨ ମି.ମି. ବର୍ଷା ହୋଇଛି । ଅନୁଗୁଳରେ ୧୧ ମି.ମି., ଦାରିଙ୍ଗବାଡ଼ିରେ ୪ ମି.ମି., ହୀରାକୁଦରେ ୩ ମି.ମି. ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରେକର୍ଡ କରାଯାଇଛି । ଭୁବନେଶ୍ୱର ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ପାଗ କୋହଲା ରହିବା ସହ ହାଲକା ବର୍ଷା ହୋଇଥିବା ଜଣାପଡ଼ିଛି । ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ତାତି ଜାରି ରହିବ। ଟିଟିଲାଗଡ଼ ତାପମାତ୍ରା ୪୪ ଡିଗ୍ରି ଛୁଇଁବାର ସମ୍ଭାବନା ରହିଛି । ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମ ୟୂରଭଞ୍ଜ, ଅନୁଗୁଳ, ଢ଼େଙ୍କାନାଳ, କୋରାପୁଟ, ଗଞ୍ଜାମ, କନ୍ଧମାଳରେ ଝଡ଼ବର୍ଷାର ଆଶଙ୍କା ରହିଛି । ଏହାପରେ କାଳବୈଶାଖୀର ପ୍ରଭାବ ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।