ସାରା ରାଜ୍ୟରେ ଅସମ୍ଭାଳ ତାତି : ଡହଡହ ଖରାରେ ସିଝୁଛି ବାଲେଶ୍ୱର ଓ ଭବାନୀପାଟଣା

40

କନକ ବ୍ୟୁରୋ : ବଢ଼ୁଛି ତାପମାତ୍ରା ସବୁଦିନ ୪୦ ଡେଉଁଛି ପାରଦ । ତାତି ସାଙ୍ଗକୁ ଝାଂଜିରେ ଜୀବଜନ୍ତୁ ଠାରୁ ଆରମ୍ଭ କରି ମଣିଷ ସମସ୍ତେ ସନ୍ତୁଳି ହେଉଛନ୍ତି । ମୁଣ୍ଡଫଟା ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଘରୁ ବାହାରିବା ପାଇଁ ଭୟ ଲାଗୁଥିଲେ ସୁଦ୍ଧା, ପେଟ ପାଟଣା ପାଇଁ ଲୋକେ ବାଧ୍ୟ ହୋଇ ବାହାରକୁ ବାହାରୁଥିବା କହିଛନ୍ତି । ପ୍ରବଳ ଖରା ଯୋଗୁଁ ଜଳସ୍ତର କମିଯିବାରୁ ଲୋକ ପାଣି ପାଇଁ ବହୁ ଅସୁବିଧା ଭୋଗୁଛନ୍ତି ।

ଏଭଳି ପରିସ୍ଥିତିରେ ସହରରେ ହାତ ଗଣତିରେ କେତୋଟି ଜଳଛତ୍ର ଦେଖିବାକୁ ମିଳୁଛି । କେଉଁଠି ପାଣି ଅଛି ତ ଆଉ କେଉଁଠି ଦିନ ୧୨ଟା ପୂର୍ବରୁ ପାଣି ସରିଯାଉଥିବା ଅଭିଯୋଗ ହୋଇଛି । ଫଳରେ ଅସହ୍ୟ ଖରାରେ ଆଉଟପାଉଟ ହେଉଥିବା ପଥଚାରି ଶୋଷ ମେଂଟାଇବା ପାଇଁ ରାସ୍ତାକଡ଼ରେ ଥିବା ପଇଡ଼, ଲିସ, ସରବତ, ଆଖୁରସ ଦୋକାନ ଗୁଡ଼ିକରେ ବେଶ ଭିଡ଼ ଜମାଉଛନ୍ତି । ସେପଟେ ରାସ୍ତା କାମ ଯୋଗୁଁ ରାସ୍ତାକଡରେ ଥିବା ବଡବଡ ଗଛଗୁଡିକୁ କାଟି ଦିଆଯାଇଛି । ଫଳରେ ବାଟୋଇଟିଏ ଥକା ମେଂଟାଇବା ପାଇଁ ଛାଇ ଟିକିଏ ନାହିଁ ।

ବାଲେଶ୍ୱର ସହରର ଦୃଶ୍ୟ ଦେଖିବା ପରେ ଆସନ୍ତୁ ନଜର ପକାଇବା କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ଉପରେ । ଏଠି ମଧ୍ୟ ପ୍ରବଳ ରୌଦ୍ରତାପ ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ । ଅସମ୍ଭାଳ ଖରା ସାଙ୍ଗକୁ ତତଲା ପବନ ଲୋକଙ୍କୁ ଅତୀଷ୍ଠ କରିଛି । ସକାଳ ୧୦ଟା ପରେ ଜନଶୂନ ହୋଇଯାଉଛି ସହର । କର୍ମମୟ ଜୀବନ ଭିତରେ ଅଫିସ ହେଉ ବା ଅତି ଜରୁରୀ କାମ ପଡିଲେ ଲୋକେ ବାହାରକୁ ଆସୁଛନ୍ତି । ତାହା ପୁଣି ହାତରେ ଛତା, ପାଣି ବୋତଲ, କଲା ଚଷମା, ଗାମୁଛା ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ହେଲେ ଭବାନୀପାଟଣା ସହରରେ ଗୋଟିଏ ବି ଜଳଛତ୍ର ଖୋଲି ନାହିଁ ଫଳରେ ଲୋକ ପାଇଁ ପାଇଁ ଡହଳ ବିକଳ ହେଉଛନ୍ତି ।

ଖରା ସାଙ୍ଗକୁ ଝାଞ୍ଜି ଲୋକଙ୍କୁ ଅତିଷ୍ଠ କରିଥିବା ବେଳେ ଅଘୋଷିତ ବିଦ୍ୟୁତ କାଟ ଜୀବନକୁ ଦୁର୍ବିସହ କରିଦେଇଛି ।