ତାତିରୁ ମିଳୁନି ନିସ୍ତାର । ୫ ଦିନ ଯାଏଁ ଲାଗି ରହିବ ଗ୍ରୀଷ୍ମପ୍ରବାହ, ଆହୁରି ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଚଢିବ ପାରଦ ।

100

କନକ ବ୍ୟୁରୋ : ତାତିରୁ ଶୀଘ୍ର ମିଳିବ ନାହିଁ ନିସ୍ତାର । ଭୀଷଣ ତାତି ସାଙ୍ଗକୁ ଅସହ୍ୟ ଗୁଳଗୁଳିରେ ସନ୍ତୁଳି ହେଉଛି ସାରା ଦେଶ । ହେଲେ ପାଣିପାଗ ବିଭାଗର ସୂଚନା ଆସନ୍ତା ୪ରୁ ୫ ଦିନ ଏଭଳି ସ୍ଥିତି ଜାରି ରହିବ । ଆହୁରି ପାରଦ ବଢିବା ନେଇ ମଧ୍ୟ ସୂଚନା ମିଳିଛି । ମୌସୁମୀ ଆସିବାରେ ବିଳମ୍ବ ହେଉଥିବାରୁ ତାତିରୁ ଶୀଘ୍ର ତ୍ରାହି ମିଳିବାର ସମ୍ଭାବନା ନାହିଁ ।

ତାତିରୁ ମିଳୁନି ନିସ୍ତାର । ଆସନ୍ତା ୫ଦିନ ଲାଗି ରହିବ ଗ୍ରୀଷ୍ମପ୍ରବାହ । ଭାରତର ଆଭ୍ୟନ୍ତର ଅଂଚଳରେ ଜାରି ରହିଛି ତାତିର ପ୍ରକୋପ । ଉତର-ପଶ୍ଚିମ, ପଶ୍ଚିମ ଓ ମଧ୍ୟ ଭାରତରେ ପାରଦ ଉପର ମୁହାଁ ରହିଛି । ଆସନ୍ତା ୪ରୁ ୫ ଦିନ ଧରି ଏଭଳି ଅବସ୍ଥା ଜାରି ରହିବ ବୋଲି ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ବିଶେଷ ଭାବରେ ମଧ୍ୟ ପ୍ରଦେଶ, ରାଜସ୍ଥାନ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ, ଦିଲ୍ଲୀ, ଉତ୍ତରପ୍ରଦେଶ, ସୌରାଷ୍ଟ୍ର, ମହାରାଷ୍ଟ୍ର, ଛତିଶଗଡ ଓ ତେଲେଙ୍ଗାନାରେ ପ୍ରବଳ ଗରମ ଅନୁଭୂତ ହେବ ବୋଲି କହିଛି ଆଇଏମଡି । ଏସବୁ ଅଂଚଳରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବାର ସମ୍ଭାବନା ରହିଛି ।

ପ୍ରବଳ ଗ୍ରୀଷ୍ମ ପ୍ରବାହରେ ସାଧାରଣ ଜୀବନଯାତ୍ରା ମଧ୍ୟ ଅସ୍ତବ୍ୟସ୍ତ ହୋଇପଡିଛି । ସୂର୍ଯ୍ୟ ସାମାନ୍ୟ ଉପରକୁ ଉଠିଲା ବେଳକୁ ଲୋକଙ୍କୁ ଘରୁ ବାହାରିବା କଷ୍ଟକର ହୋଇପଡୁଛି । ରାସ୍ତାରେ ଯାଉଥିବା ଲୋକଙ୍କ ଅବସ୍ଥା ଦେଖିଲେ ଏହା ସହଜରେ ଅନୁମେୟ । କେତେକ ସ୍ଥାନରେ ତାପମାତ୍ରା ୪୮ଡିଗ୍ରୀ ମଧ୍ୟ ଟପିଥିବା ଜଣାପଡିଛି ।

ଏପଟେ ବର୍ତମାନ ସୁଦ୍ଧା ଭାରତର ମୁଖ୍ୟ ଭୂଖଣ୍ଡକୁ ଛୁଇଁ ନାହିଁ ମୌସୁମୀ । ପାଣିପାଗ ବିଭାଗ ଅନୁସାରେ ଏବେ ବି ବହୁ ଦୂରରେ ତାହାର ଗତିପଥ । ଏଯାଏଁ ପ୍ରାକ୍ ମୌସୁମୀ ବର୍ଷା ପ୍ରାୟ ୨୫ରୁ ୩୦ ପ୍ରତିଶତ କମ ଥିବା ଜଣାପଡିଛି । ବିଳମ୍ବ ମୌସୁମୀ ସହ ତାତିର ପ୍ରଭାବ ଲୋକଙ୍କୁ ହନ୍ତସନ୍ତ କରୁଛି ।