କନକ ବ୍ୟୁରୋ: ସେ କଥାରେ କଥାରେ ଲେଖିଦିଅନ୍ତି ଗୀତ । ଆଉ ସେ ଗୀତକୁ ଗାଇଲେ ତାହା ଯେପରି ହୋଇଉଠେ ଜୀବନ୍ତ । ସଙ୍ଗୀତର କାଳଜୟୀ ସ୍ରଷ୍ଟା ଅକ୍ଷୟ ମହାନ୍ତି । ସାରା ଓଡିଶାବାସୀଙ୍କ ପାଇଁ ସେ ପ୍ରିୟ ଖୋକାଭାଇ ପୁଣି ଆର୍ଯ୍ୟଦାସ । ସମସ୍ତଙ୍କ ହୃଦୟରେ ଚିର ସବୁଜ ଖୋକାଭାଇଙ୍କ ଗୀତ । କାରଣ ତାଙ୍କ ଗୀତର ଫଗୁଣ କେବେ ଯାଏନା, ତାଙ୍କ କୃଷ୍ଣଚୂଡାର ରଙ୍ଗ କେବେ ଫିକା ପଡେନା । ଓଡିଆ ସିନେମା ଓ ସଙ୍ଗୀତ ଜଗତକୁ ନିଜ ଗୀତରେ ସେ କରିଦେଇଯାଇଛନ୍ତି କାଳଜୟୀ ।
୧୯୩୬ ମସିହା ଆଜିର ଦିନରେ କଟକରେ ସେ ଜନ୍ମଗ୍ରହଣ କରିଥିଲେ ଅକ୍ଷୟ ମହାନ୍ତି। ଆଜି ତାଙ୍କର ୮୬ ତମ ଜନ୍ମ ଜୟନ୍ତୀ । ଓଡ଼ିଆ ଆଧୁନିକ ତଥା ସୁଗମ ସଙ୍ଗୀତର ସେ ସ୍ରଷ୍ଟା କହିଲେ ଭୁଲ ହେବନି । ଗୀତ ଗାଇବା , ଗୀତ ଲେଖିବା ଏବଂ ଏହାକୁ ସ୍ୱର ଛନ୍ଦରେ ସଜାଇବାରେ ତାଙ୍କର କଳ୍ପନା ଥିଲା ସବୁଠୁ ନିଆରା । ଆଧୁନିକ ଗୀତଠାରୁ ଆରମ୍ଭ କରି ଲୋକଗୀତ ଓ ଭଜନ ସବୁଥିରେ ଅକ୍ଷୟ ମହାନ୍ତି ଛାଡିଯାଇଛନ୍ତି ନିଜର ସ୍ୱତନ୍ତ୍ର ପରିଚୟ । ଯାହା ଆମେ କଥାରେ କହୁଥିଲୁ ତାକୁ ସେ ଗୀତରେ ସଜାଇଦେଉଥିଲେ । କେବଳ ଗୀତରେ ନୁହେଁ ସାହିତ୍ୟରେ ମଧ୍ୟ ଥିଲା ତାଙ୍କ ଦଖଲ । ବାହାବାହାରେ ଆମେରିକା, ମୃତ୍ୟୁର ଅପେକ୍ଷାରେ.., ମଲା ପ୍ରଜାପତି ,ମଧୁଶାଳା, ଆର୍ଯ୍ୟଦାସର ଆତ୍ମଲିପି
ଓଡ଼ିଆ ସଙ୍ଗୀତ ଜଗତର କିମ୍ବଦନ୍ତୀ ପୁରୁଷ ଅକ୍ଷୟ ମହାନ୍ତିଙ୍କର ଆଜି ତାଙ୍କର ଜୟନ୍ତୀ । ୧୨୯ଟି ଚଳଚ୍ଚିତ୍ରରେ ସେ ଛାଡିଯାଇଛନ୍ତି ତାଙ୍କ କଣ୍ଠର ସ୍ୱାକ୍ଷର ଏହାସହ ୯୨ଟି ଚଳଚ୍ଚିତ୍ର ପାଇଁ ଗୀତ ଲେଖିବା ସହ ୭୫ଟି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଅକ୍ଷୟ ମହାନ୍ତି ଜଣେ ଅନୁଷ୍ଠାନ ଥିଲେ। ଓଡ଼ିଶାର ଅନେକ ଲୋକକଥା ଓ ଗୀତକୁ ନେଇ ସେ ସଙ୍ଗୀତ ସଂଯୋଜନା କରିଛନ୍ତି। ଯା’ରେ ଭାସି ଭାସି ଯା’ ସତରେ ଗୀତ ନୁହେଁ ଏକ ଅଭୁଲା ଇତିହାସ। ତା’ଛଡ଼ା ଅକ୍ଷୟ ମହାନ୍ତିଙ୍କ ଲୋକପ୍ରିୟ ଗୀତ ମଧ୍ୟରେ ରହିଛି ‘ଚନ୍ଦ୍ର ମଲ୍ଲୀ ହସେ, ଚିତ୍ର ଲେଖା ଉଠେ’, ‘କଳଙ୍କିତ ଏଇ ନାୟକ ଆଖିରୁ, ଲୁହ ବି ପଡ଼ିଲେ ଝରି’, ‘ଏ’ ଏ’ ଆଲୋ ଆଲୋ ମଣି’, ‘ପୁଣ୍ୟର ନଦୀ ତିରେ ପାପର ତରୁ ଡାଳେ’, ‘ମତେ ସାଇଲା ସାଇଲା ତୋ ନାକର ଗୁଣା’, ‘ଉଡ଼ି ଉଡ଼ି ଉଡ଼ି ଯାରେ ଗୁଡ଼ି’, ଯାଯାବର ମନମୋର’, ‘ସ୍ମୃତି ତୁମେ ପାଉଁଶ ତଳର ନିଆଁ’, ‘ନଦୀର ନାମ ଅଳସ କନ୍ୟା’, ‘ବୟସର କୃଷ୍ଣଚୂଡ଼ା ରଙ୍ଗ ତୁମ ମନ୍ଦ ନୁହେଁ’ ଏବଂ ଆହୁରି କେତେ। ‘ପେଟେଣ୍ଟମେଡିସିନ’ର ନାଟ୍ୟ ରୂପାନ୍ତର ତାଙ୍କର ଅନବଦ୍ୟ କୃତି ।
ସେ ଥିଲେ ଖାଣ୍ଟି ଓଡିଆ, ତାଙ୍କ ଗୀତ ବି ପୁରାପୁରି ଓଡିଆ । ବୟସ ଥିଲା ତାଙ୍କ ପାଇଁ ଏକ ସଂଖ୍ୟା ମାତ୍ର । ସେ ସବୁବେଳେ ଥିଲେ ଜଣେ ଚିର ପ୍ରେମିକ । ୨୦୦୨ ନଭେମ୍ବର ୧୭ତାରିଖ ପବିତ୍ର କାର୍ତ୍ତିକ ବଡଓଷାରେ ରେ ଓଡ଼ିଆ ସଙ୍ଗୀତ ଜଗତର ଏହି କିମ୍ବଦନ୍ତୀ ପୁରୁଷ ଆଖି ବୁଜିଥିଲେ। ହେଲେ ଓଡିଆଙ୍କ ପାଇଁ ଛାଡିଗଲେ ତାଙ୍କର ଅକ୍ଷୟ କୃତି, ଅକ୍ଷୟ ସଙ୍ଗୀତ ଓ ଅକ୍ଷୟ କଣ୍ଠ ଓ ଅକ୍ଷୟ ସାହିତ୍ୟ । ସତରେ ଅକ୍ଷୟ ତୁମେ ଅକ୍ଷୟ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/12-7.jpg)