ସାହାଯ୍ୟ ପାଇଁ କରୋନା ପୀଡିତଙ୍କ ଆକୁଳ ନିବେଦନ । ଚିକିତ୍ସା ପାଇଁ ଦରକାର ୫୦ ଲକ୍ଷ ଟଙ୍କା, ଏୟାର ଆମ୍ବୁଲାନ୍ସ ସହ ଖର୍ଚ୍ଚ ହେବ ୧ କୋଟି । କ୍ରାଉଡ୍ ଫଣ୍ଡିଂ ପାଇଁ ପରିବାରର ଉଦ୍ୟମ ।

396

କନକ ବ୍ୟୁରୋ : କରୋନାରେ ପୀଡିତ ଜଣେ ୨୮ ବର୍ଷର ଯୁବକଙ୍କ ପରିବାରବର୍ଗ ସାହାଯ୍ୟ ପାଇଁ ଆକୁଳ ନିବେଦନ କରିଛନ୍ତି । ହସପିଟାଲ କହିଛି ଇସିଏମଓ ଦ୍ୱାରା ଚିକିତ୍ସା ଦରକାର । ଏଥିପାଇଁ କୋଲାକାତା ଯିବାକୁ ପଡିବ । କିନ୍ତୁ ଏହି ଚିକିତ୍ସା ପାଇଁ ଅତି କମରେ ୫୦ ଲକ୍ଷ ଟଙ୍କା ଦରକାର । ଏୟାର ଆମ୍ବୁଲାନ୍ସ ଏବଂ ଅନ୍ୟାନ୍ୟ ହସ୍ପିଟାଲ ଖର୍ଚ୍ଚ ସହ କୋଟିଏ ଟଙ୍କା ଦରକାର । ଆଉ ଏହାରି ଭିତରେ ଏହି ପରିବାର କ୍ରାଉଡଫଣ୍ଡିଂ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।

ଅଭିଷେକ ମହାପାତ୍ର । ଭଦ୍ରକ ଜିଲ୍ଲାର ଏହି ୨୮ ବର୍ଷର ଯୁବକ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି । ଡାକ୍ତର କହୁଛନ୍ତି ତାଙ୍କୁ ଇସିଏମଓ ଚିକିତ୍ସା ଦରକାର । ଇସିଏମଓ ହେଉଛି ମେସିନ ଦ୍ୱାରା ଅକ୍ସିଜେନ ପ୍ରସ୍ତୁତ କରି ଶରୀରର ଆବଶ୍ୟକତା ପୁରା କରିବା । କଲିକତାରେ ଏହି ଚିକିତ୍ସା ହୋଇପାରିବ । କିନ୍ତୁ ଏଥିପାଇଁ ୫୦ ଲକ୍ଷ ଟଙ୍କା ଦରକାର । ଏୟାର ଆମ୍ବୁଲାନ୍ସରେ ନେବାକୁ ପଡିବ, ତେଣୁ ଖର୍ଚ୍ଚ ପାଖାପାଖି କୋଟିଏ ଟଙ୍କା ଆସିଯିବ ।

ଗତ ମାସ ମେ ୫ ତାରିଖରେ ତାଙ୍କର ବାହାଘର ହୋଇଥିଲା । ଇଂଜିନିୟରିଂ ସାରି ବାହାରେ ଚାକିରି କରୁଥିଲେ । ଜୀବନର ନୂଆ ଇନିଂସ୍ ଆରମ୍ଭ କରୁ କରୁ ହଠାତ୍ ଏହି ବିପଦ ମାଡି ଆସିଲା । ଇତି ମଧ୍ୟରେ ପରିବାର ଲୋକେ କ୍ରାଉଡ ଫଣ୍ଡିଂ ପାଇଁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । କାରଣ ଏକ ସାଧାରଣ ପରିବାର ଏତେ ଟଙ୍କା କେଉଁଠୁ ଆଣିବ ? କ୍ରାଉଡ୍ ଫଣ୍ଡିଂ ଅର୍ଥାତ୍ ଲୋକଙ୍କ ଠାରୁ ଟଙ୍କା ସାହାଯ୍ୟ ଆକାରରେ ନେବା । ଏହି ପ୍ରକ୍ରିୟାରେ ଏଯାଏଁ ଅଢେଇ ଲକ୍ଷ ଟଙ୍କା ପାଇଛନ୍ତି ।