ରାଜସ୍ଥାନ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ନେଇ ଓଡିଶାରେ ଚର୍ଚ୍ଚା । ତାରା କହିଲେ ରାଜସ୍ଥାନ ମଡେଲ ଆପଣାନ୍ତୁ ସରକାର, ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ ଆମର ଆସ୍ୟୁରାନ୍ସ ତାଙ୍କର ଇନସ୍ୟୁରାନ୍ସ ।

163

କନକ ବ୍ୟୁରୋ : ସ୍ୱାସ୍ଥ୍ୟ ଯୋଜନାରେ ଓଡିଶା ମଡେଲ ଭଲ ନା ରାଜସ୍ଥାନ ମଡେଲ । ଓଡିିଆ ଖବରକାଗଜରେ ରାଜସ୍ଥାନ ସରକାରଙ୍କ ସ୍ୱାସ୍ଥ୍ୟ ବୀମାର ବିଜ୍ଞାପନ ବାହାରିବା ପରେ ଏଭଳି ଏକ ଚର୍ଚ୍ଚା ଆରମ୍ଭ ହୋଇଛି । ଏହାପରେ କଂଗ୍ରେସ ବିଧାୟକ ତାରା ବିହାନୀ ପତି ରାଜ୍ୟ ସରକାରଙ୍କୁ ଆହ୍ୱାନ କରିଛନ୍ତି ରାଜସ୍ଥାନର ଏହି ସ୍ୱାସ୍ଥ୍ୟ ବୀମା ମଡେଲକୁ ଆପଣେଇବା ପାଇଁ । କଂଗ୍ରେସ ବିଧାୟକ କହିଛନ୍ତି, ରାଜ୍ୟ ସରକାରଙ୍କ ବୀମା ଅନେକ ହସ୍ପିଟାଲରେ କାମ କରୁନି, ତେଣୁ ରାଜ୍ୟ ସରକାର ରାଜସ୍ଥାନ ମଡେଲକୁ ଆପଣାଇବା ଦରକାର ।

ଲୋକଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ କେନ୍ଦ୍ରର ମୋଦୀ ସରକାର ଆୟୁଷ୍ମାନ ଯୋଜନା ଲାଗୁ କରିଛନ୍ତି । ହେଲେ ଅନେକ ବିରୋଧୀ ରାଜ୍ୟ ଏହି ଯୋଜନାକୁ କାର୍ଯ୍ୟକାରୀ କରୁ ନାହାନ୍ତି । ଓଡିଶା, ଛତିଶଗଡ ଓ ରାଜସ୍ଥାନ ସରକାର ନିଜର ସ୍ୱତନ୍ତ୍ର ଯୋଜନା କରିଛନ୍ତି । ରାଜସ୍ଥାନ ସରକାର ରାଜ୍ୟବାସୀଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଚିରଞ୍ଜିବୀ ସ୍ୱାସ୍ଥ୍ୟ ବୀମା ଯୋଜନା । ଏବେ ଏହି ଯୋଜନାର ବିଜ୍ଞାପନ ଓଡିଶାର ପ୍ରମୁଖ ଗଣମାଧ୍ୟମରେ ପ୍ରକାଶ ପାଇଛି । ଏହି ଯୋଜନାରେ ରାଜସ୍ଥାନର ଯେ କୌଣସି ବ୍ୟକ୍ତି ସୁବିଧା ପାଇବେ । ଏହି ଯୋଜନାରେ ..
– ରାଜସ୍ଥାନର ପ୍ରତ୍ୟେକ ପରିବାର ୧୦ ଲକ୍ଷ ନିଃଶ୍ଳୁକ ସ୍ୱାସ୍ଥ୍ୟ ବୀମା ସୁବିଧା ପାଇବେ ।
– ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ପାଇବେ
– ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳିବ
– ଔଷଧ ପାଇବେ ଏବଂ ଟେଷ୍ଟ କରିପାରିବେ
– ଯେଉଁମାନେ ବିପିଏଲ ତାଲିକାରେ ଥିବେ, ଆର୍ଥିକ ପଛୁଆ ବର୍ଗ ଓ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ଏହି ଯୋଜନାର ଲାଭ ମାଗଣାରେ ପାଇବେ
– ଅନ୍ୟମାନେ ମାସିକ ୮୫୦ ଟଙ୍କା ଦେଇ ଏହି ଯୋଜନାର ଲାଭ ପାଇପାରିବେ

ରାଜସ୍ଥାନର ଗେହଲଟ ସରକାର ନୂଆ ସ୍ୱାସ୍ଥ୍ୟବୀମା ଯୋଜନା ଆରମ୍ଭ କରିବା ପରେ, ଏହି ମଡେଲକୁ ରାଜ୍ୟରେ ଆପଣେଇବା ପାଇଁ କଂଗ୍ରେସ ବିଧାୟକ ଓଡିଶା ସରକାରଙ୍କୁ ଆହ୍ୱାନ ଦେଇଛନ୍ତି । କହିଛନ୍ତି, ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରାଜ୍ୟର ଅନେକ ହସ୍ପିଟାଲରେ କାମ କରୁନି । ତେଣୁ ଓଡିଶା ସରକାର ରାଜସ୍ଥାନ ମଡେଲକୁ ଆପଣାନ୍ତୁ । ପ୍ରତିକ୍ରିୟାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି, ତାଙ୍କର ଇନସୁରାନ୍ସ ଆମର ଆସ୍ୟୁରାନ୍ସ । ତାଙ୍କ ସେବାକୁ ଅନୁଧ୍ୟାନ କରିବୁ ।
ଓଡିଶା ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଓଡିଶାର ବିପିଏଲ ତାଲିକାଭୁକ୍ତ ପ୍ରତି ପରିବାରକୁ ବାର୍ଷିକ ପିଛା ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳୁଛି । ମହିଳାମାନଙ୍କୁ ୧୦ ଲକ୍ଷ ଟଙ୍କାର ସହାୟତା ମିଳୁଛି । ସମସ୍ତ ସରକାରୀ ହସ୍ପିଟାଲ ସହ ପଞ୍ଜିକରଣଭୁକ୍ତ ଘରୋଇ ହସ୍ପିଟାଲରେ ଏହି ସୁବିଧା ମିଳୁଛି । ହେଲେ, ବିପିଏଲ ତାଲିକାଭୁକ୍ତ ନଥିବା ପରିବାର ପାଇଁ ଏହି ଯୋଜନାରେ କିଛି ବ୍ୟବସ୍ଥା ନାହିଁ ।