ସମୁଦ୍ରର ଆଁ ଭିତରେ ପୋଡମେଟା ଗାଁ। ଉଚ୍ଚ ଜୁଆର ଆସିଲା ଘର ଧୋଇ ନେଲା।

189

କନକ ବ୍ୟୁରୋ: ଭୁଶୁଡି ପଡିଛି ଘର, କାନ୍ଥକୁ ଅଧା ଦୂରକୁ ଟାଣି ନେଇଛି ସମୁଦ୍ର ଜୁଆର । ଘର ଢାଂଚା ଠିଆ ହୋଇଥିବା ବେଳେ ଛାତ ଓ କାନ୍ଥ ବେଳାଭମିରେ ମୁଁହମାଡି ପଡିଛି । ଗଞ୍ଜାମ ଜିଲ୍ଲା ପୋଡାମପେଟା ଗାଁରେ ଦେଖିବାକୁ ମିଳିଛି ସମୁଦ୍ର ଏହି କରାଳ ରୂପ ।
ଗଞ୍ଜାମ ଜିଲ୍ଲାର ପୋଡାମପେଟା ଗାଁକୁ ମାଡି ଆସୁଛି ସମୁଦ୍ର । ସମୁଦ୍ରର ଉଚ୍ଚ ଲହଡି ଗାଁ ଭିତରକୁ ପଶି ଆସି ଧୋଇ ନେଇଯାଇଛି ଘର । ପୋଡପେଟାର ୬ଟି ଘର ସମୁଦ୍ର ଲହଡିରେ ଭାଙ୍ଗିଯାଇଛି । ବେଳାଭମୀ କୂଳ ଖାଇ ଜନବସତି ଆଡକୁ ମାଡି ଆସୁଛି । ଆଉ ଉଚ୍ଚ ଜୁଆରରେ ଘରକୁ ସମୁଦ୍ର ଭିତରକୁ ଭସେଇ ନେଉଛି । ସମୁଦ୍ରର ଏଭଳି ରୂପ ଦେଖି ଆତଙ୍କିତ ହୋଇପଡିଛନ୍ତି ପୋଡମପେଟା ବାସିନ୍ଦା ।

ଧିରେ ଧିରେ ପୁରା ଗାଁକୁ ଗ୍ରାସ କରିବାକୁ ବସିଛି ସମୁଦ୍ର । ପୋଡମପେଟାରେ ସ୍ଥିତି ଏମିତି ହେଇଛି ଯେ ଆଉ ମାତ୍ର ଗୋଟିଏ ସାହି କୁଳ ଲଙ୍ଘିବାକୁ ବାକି ରହିଛି । ଏପରି ସ୍ଥିତି ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇଯାଇଛନ୍ତି । ଲହଡି ଦେଖି ଗାଁ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବା ସୂଚନା ରହିଛି । ସମୁଦ୍ର ଲହଡି ଯଦି କୁଳ ଲଙ୍ଘେ ତାହେଲେ ପୋଡମପେଟା ସହ କଣ୍ଟିଆଗଡ ଏବଂ ଏହାର ଆଖପାଖ ଗାଁ ସମୁଦ୍ର ଭିତରେ ଲୀନ ହୋଇଯିବା ଆଶଙ୍କା ପ୍ରକାଶ ପାଇଛି ।

ପୋଡମପେଟାରେ ସମୁଦ୍ରର ଉଗ୍ର ରୂପ ଦେଖିଲେ ଲାଗୁଛି, ଲୋକଙ୍କ ଠାରୁ ଘର ଓ ଜମି ଛଡେଇ ନେବାକୁ ସତେ ଯେମିତି ପଣ କରିଛି ସମୁଦ୍ର । ଏବେ ୬ଟି ଘର ଭସେଇ ନେଇ ଗାଁର ଆହୁରି ନିକଟକୁ ଚାଲି ସମୁଦ୍ର ଚାଲି ଆସିଛି । ବେଳାଭୂମି କୂଳ ଖାଇ ଘର ଠିଆ ହୋଇଥିବା ମାଟିକୁ ଭସେଇ ନେଉଛି । ତୁରନ୍ତ ପ୍ରଶାସନ ପକ୍ଷରୁ ପଦକ୍ଷେପ ନନେଲେ ପୋଡମାପେଟା ଗାଁ ସମୁଦ୍ର ଗର୍ଭରେ ଲୀନ ହୋଇଯିବ ଏଥିରେ ସନ୍ଦେହ ନାହିଁ ।