ସୂର୍ଯ୍ୟଙ୍କ ବ୍ୟାଟିଂର ଫ୍ୟାନ ହେଲେ ଏହି ପୂର୍ବତନ ପାକିସ୍ତାନୀ କ୍ରିକେଟର: କହିଲେ, ଅନ୍ୟ ଗ୍ରହରୁ ଆସିଛନ୍ତି ସୂର୍ଯ୍ୟ

1,838

କନକ ବ୍ୟୁରୋ: ଟି-୨୦ ବିଶ୍ୱକପରେ ଧମାଲ ମଚାଉଛନ୍ତି ଭାରତୀୟ କ୍ରିକେଟର ସୂର୍ଯ୍ୟକୁମାର ଯାଦବ । ସେ ମିଡିଲ ଅର୍ଡରରେ ଏବେ ଟିମ ଇଣ୍ଡିଆର ମେରୁଦଣ୍ଡ ପାଲଟିଛନ୍ତି । ସେ କେବଳ ଦ୍ରୁତ ରନ କରୁନାହାନ୍ତି ବରଂ ଆକର୍ଷଣୀୟ ସଟ୍ ଖେଳି ସମସ୍ତଙ୍କୁ ନିଜ ଦିୱାନା କରୁଛନ୍ତି । କେବଳ ଭାରତୀୟ ନୁହେଁ ପାକିସ୍ତାନୀଙ୍କ ଉପରେ ମଧ୍ୟ ସୂର୍ଯ୍ୟ ନିଜ ଯାଦୁ ଚଲାଇଛନ୍ତି । ସୂର୍ଯ୍ୟଙ୍କ ସଟର ଫ୍ୟାନ ହୋଇଛନ୍ତି ପୂର୍ବତନ ପାକିସ୍ତାନୀ କ୍ରିକେଟର ୱାସିମ ଆକ୍ରାମ ।

ସୂର୍ଯ୍ୟଙ୍କ ପ୍ରଶଂସା କରି ଆକ୍ରାମ କହିଛନ୍ତି, ସୂର୍ଯ୍ୟ ଯେମିତି ଖେଳୁଛନ୍ତି ଲାଗୁଛି ସେ କୌଣସି ଅନ୍ୟ ଗ୍ରହରୁ ଆସିଛନ୍ତି । ସେ ଅନ୍ୟମାନଙ୍କଠାରୁ ପୂରା ଅଲଗା ଖେଳାଳି । ସେ କେବଳ ଜିମ୍ବାୱେ ନୁହେଁ ବରଂ ବିଶ୍ୱର ବଡ ବଡ ଟିମ ବିପକ୍ଷରେ ଆକ୍ରାଣାତ୍ମକ ଭାବେ ବ୍ୟାଟିଂ କରିଥାନ୍ତି । ସେହିପରି ୱାକାର ୟୁନିସ କହିଛନ୍ତି, ସୂର୍ଯ୍ୟଙ୍କ ବିପକ୍ଷରେ କୌଣସି ପ୍ଲାନ କରିବା ସମ୍ଭବ ନୁହେଁ । ବୋଲର କରିବ ତ କଣ କରିପାରିବ ।

ଟିମ ଇଣ୍ଡିଆର ସୁପର ୧୨ର ଶେଷ ମ୍ୟାଚ ଜିମ୍ବାୱେ ବିରୋଧରେ ଥିଲା । ଏହି ମ୍ୟାଚରେ ସୂର୍ଯ୍ୟ ଏକ ଧୂଆଁଧାର ଇଂନିସ ଖେଳିଥିଲେ । ଏଥିରେ ସେ ଏକ ଫୁଲ ଟସ ବଲକୁ ଫାଇନ ଲେଗ ଉପରେ ଛକା ମାରିଥିଲେ । ଏହି ଆକର୍ଷଣୀୟ ସଟକୁ ନେଇ ଏବେ ସେ ଚର୍ଚ୍ଚାରେ ରହିଛନ୍ତି । ଦେଶ ବିଦେଶ ଚାରିଆଡେ ତାଙ୍କ ସଟର ପ୍ରଶଂସା ହେଉଛି । କେବଳ ଜିମ୍ବାୱେ ନୁହେଁ ନେଦରଲାଣ୍ଡ, ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ବିପକ୍ଷରେ ବି ସୂର୍ଯ୍ୟ ଚମତ୍କାର ଇଂନିସ ଖେଳିଥିଲେ । ଏହି ସଟ ପାଇଁ ତାଙ୍କୁ ଫ୍ୟାନମାନେ ମିଷ୍ଟର ୩୬୦ ବୋଲି କହୁଛନ୍ତି । ହେଲେ ସୂର୍ଯ୍ୟ ଏହାର ଜବାବ ରଖିଛନ୍ତି ଆଫ କହିଛନ୍ତି ଦୁନିଆରେ କେବଳ ଜଣେ ମିଷ୍ଟର ୩୬୦, ଆଉ ସେ ହେଉଛନ୍ତି ଡିଭିଲିୟର୍ସ ।

ଏହାସହ ୨୦୨୨ରେ ସୂର୍ଯ୍ୟ କୁମାର ଟି-୨୦ରେ ସବୁଠାରୁ ଅଧିକ ରନ କରିଥିବା ବ୍ୟାଟ୍ସମ୍ୟାନ ହୋଇଛନ୍ତି । ସେ ଚଳିତ ବର୍ଷ ଟି-୨୦ରେ ୧ ହଜାର ରନ ପୂରା କରିଛନ୍ତି । ଗୋଟିଏ ବର୍ଷରେ ୧ ହଜାର ରନ ପୂରା କରିଥିବା ସେ ପ୍ରଥମ ଭାରତୀୟ ମଧ୍ୟ ହୋଇଛନ୍ତି । ଗୋଟିଏ ପରେ ଗୋଟିଏ ଧୂଆଁଧାର ଇଂନିସ ଯୋଗୁଁ ସେ ଆଇସିସି ଟି-୨୦ ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନରେ ରହିଛନ୍ତି । କେବଳ ସେତିକିରେ ତାଙ୍କ ବ୍ୟାଟ ରୋକିନି ସେ ଚଳିତ ଟି-୨୦ ବିଶ୍ୱକପରେ ବିରାଟ କୋହଲିଙ୍କ ପରେ ଦ୍ୱିତୀୟ ସର୍ବାଧିକ ରନ କରିଛନ୍ତି ।

ସୂର୍ଯ୍ୟ କୁମାର ଯାଦବ ଏବେ ଭାରତୀୟ ଟିମ ପାଇଁ ସଙ୍କଟ ମୋଚକ ସାଜିଛନ୍ତି । ଯେତେବେଳେ ଟିମର ବିପର୍ଯ୍ୟୟ ଘଟିଥାଏ, ସେତେବେଳେ ମୈଦାନକୁ ଓହ୍ଲାଇଥାନ୍ତି ସୂର୍ଯ୍ୟ । ଆଉ ଧୂଆଁଧାର ବ୍ୟାଟିଂ କରି ଦଳକୁ ବିଜୟ ଦେଇଥାନ୍ତି । ଆଉ ଜିମ୍ବାୱେ ବିପକ୍ଷରେ ଆକର୍ଷଣୀୟ ସଟ ପାଇଁ ପାକିସ୍ତାନରେ ବି ସୂର୍ଯ ପ୍ରଶଂସିତ ହୋଇଛନ୍ତି ।