ଫୋନ୍‌ କରି ଡାକିଲେ, ଗାଁ ମୁଣ୍ତରେ ଗୁଳି କରିଦେଲେ :ଗିରଫ ଦାବିରେ ଗାଁ ଲୋକଙ୍କ ଧାରଣା

480

କନକ ବ୍ୟୁରୋ : ସକାଳେ ଝିପି ଝିପି ବର୍ଷା ହେଉଥିଲା। ଘରେ ଥିଲେ ଲାଲା ପ୍ରଧାନ। ତାଙ୍କୁ ଫୋନ୍‌ କରି ଡାକିଲେ। ଗାଁ’ ଦାଣ୍ତରେ ପହଞ୍ଚିବାର ୧୦ ରୁ ୧୫ ମିନିଟ୍‌ ମଧ୍ୟରେ ଦୁଇ ହତ୍ୟାକାରୀ ମୋଟର ସାଇକଲରେ ସେଠାରେ ପହଞ୍ଚିଲେ ଏବଂ ଆଖିବୁଜା ୬ ରାଉଣ୍ତ ଗୁଳି ଚଳାଇ ଆଖି ପିଛୁଳାକେ ପଳାଇଗଲେ। ଖୋର୍ଦ୍ଧା ସହରଠାରୁ ପ୍ରାୟ ୧୬ କିଲୋମିଟର ଦୂର ଦଧିମାଛଗାଡ଼ିଆ ଖେଳପଡ଼ିଆଠାରେ ଏଭଳି ନାଟକୀୟ ଢଙ୍ଗରେ ଦଧିମାଛଗାଡ଼ିଆ ଶବରସାହିର ଜଣେ ଯୁବକ ଲାଲା(୩୫)ଙ୍କୁ ହତ୍ୟା କରାଯାଇଛି। ଏହାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବାବେଳେ ହତ୍ୟା ପଛର କାରଣ ଜଣାପଡ଼ିନାହିଁ। ତେବେ ପୁଲିସ ଜଣକୁ ଅଟକ ରଖି ପଚରାଉଚରା ଚଳାଇଥିବା ଜଣାଯାଇଛି।

ହତ୍ୟାର ଶିକାର ହୋଇଥିବା ଲାଲାଙ୍କ ପୁତୁରା ଶ୍ରୀନିବାସଙ୍କ କହିବା ଅନୁସାରେ, ସକାଳ ପ୍ରାୟ ସାଢେ଼ ୭ଟା ବେଳେ ସେ ଓ ତାଙ୍କ ଆଉ ଜଣେ ଭାଇ ପ୍ରତାପ ଶୌଚ ହେବାକୁ ଗାଁ’ ମୁଣ୍ତ ପୋଖରୀକୁ ଯାଉଥିଲେ। ଏହି ସମୟରେ ଗାଁ ମୁଣ୍ତ ଖେଳପଡ଼ିଆ ଛକରେ ନିକଟସ୍ଥ ଜେନା ସାହିର ସଂଜୟ ଓ ଅନ୍ୟଜଣେ ଯୁବକ ତାଙ୍କ ଦାଦା ଲାଲା ସହ ଉଚ୍ଚ ସ୍ବରରେ କଥାବାର୍ତ୍ତା କରୁଥିଲେ, ବୋଧହୁଏ ଝଗଡ଼ା ଚାଲିଥିଲା। କିଛି ଦୂରରେ ସେହି ଗାଁର ପ୍ରେମା (ପେମା) ଓ ଅନ୍ୟ ୧୦/୧୨ଜଣ ବସିଥିଲେ। ଏହା ପରେ ସଂଜୟ କାହା ସହିତ ଫୋନ୍‌ରେ କଥା ହୋଇଥିଲା। ସେ ଓ ତାଙ୍କ ଭାଇ କ’ଣ ଘଟିଛି ବୋଲି ତାଙ୍କ ଦାଦାଙ୍କ ନିକଟକୁ ଗଲା ବେଳକୁ ପୋଖରୀ ହୁଡ଼ା ଦେଇ ରାଜା ଓ ଅନ୍ୟ ଜଣେ ଯୁବକ ଗୋଟିଏ ମୋଟର ସାଇକଲରେ ତୀବ୍ର ଗତିରେ ସେଠାରେ ପହଞ୍ଚି ତାଙ୍କ ଦାଦାଙ୍କୁ ଲକ୍ଷ୍ୟ କରି ୬ ରାଉଣ୍ତ ଗୁଳି ଚଳାଇଥିଲେ। ଦାଦା ସେଠାରେ ଟଳି ପଡ଼ିବା ପରେ ସମସ୍ତ ଯୁବକ ସେଠାରୁ ଚାଲିଯାଇଥିଲେ।

ସୂଚନା ପାଇବା ପରେ ଟାଉନ୍‌ ଥାନା ଅଧିକାରୀ ଉମାଶଙ୍କର ସିଂହ ଓ ଅନ୍ୟ ପୁଲିସ ଅଧିକାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ଯେଉଁ ସ୍ଥାନରେ ଲାଲାଙ୍କ ମୃତଦେହ ପଡ଼ିଥିଲା ସେଠାରୁ ୫ଟି ଖୋକା ଉଦ୍ଧାର କରାଯାଇଛି। ଘଟଣା ପରେ ଶବକୁ ନେବା ପାଇଁ ଆମ୍ବୁଲାନ୍ସ ଆସି ପହଞ୍ଚିଥିଲା। କିନ୍ତୁ ଗାଁ ଲୋକମାନେ ଦୋଷୀକୁ ତୁରନ୍ତ ଗିରଫ କରିବା ଓ ସରପଞ୍ଚ ଘଟଣା ସ୍ଥଳରେ ଉପସ୍ଥିତ ରହିବା ଦାବିରେ ଆମ୍ବୁଲାନ୍ସ ଆଗରେ ଧାରଣାରେ ବସିଥିଲେ। ପ୍ରାୟ ୨ ଘଣ୍ଟା ବୁଝାସୁଝା କରିବା ପରେ ମଧ୍ୟ ସେମାନେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ଶେଷରେ ସାଢ଼େ ୧୧ଟାରେ ଏସ୍‌ପି ଅଜୟ ପ୍ରତାପ ସ୍ୱାଇଁ, ଏସ୍‌ଡିଓ ଓ ୩୦ ପୁଲିସ୍‌ କର୍ମଚାରୀଙ୍କୁ ନେଇ ସେଠାରେ ପହଞ୍ଚିଥିଲେ। ସେଠାରେ ଉପସ୍ଥିତି ଥିବା ଶବର ସାହିର ୱାର୍ଡ ସଦସ୍ୟ ଟୁକୁ ନାୟକଙ୍କୁ ନେଇ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଓ ନିୟମାନୁସାରେ ଅନ୍ୟ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ଲୋକମାନେ ମରଶରୀର ଓ ଆମ୍ବୁଲାନ୍ସକୁ ଛାଡ଼ିଥିଲେ।

ଅନୁସନ୍ଧାନରୁ ଜଣାଯାଇଛି ଯେ ନିଶା କାରବାର, କ୍ରସର୍‌ ଓ ଟ୍ରକ ଚଳାଚଳାକୁ ନେଇ ଶବର ସାହି ଓ ଜେନା ସାହିର କିଛି ଯୁବକଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ୨୦୧୫ରେ ଶବର ସାହିର ଅଗ୍ନିକାଣ୍ତ ଘଟଣାକୁ କେନ୍ଦ୍ର କରି ବିବାଦ ଉଗ୍ରରୂପ ନେଇଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ସମୟ ସମୟରେ ବିବାଦ ହେଉଥିଲେ ରକ୍ତାକ୍ତ ସଂଘର୍ଷ କେବେ ଘଟି ନ ଥିଲା। ମୃତ ଲାଲା ମଦ ଓ ବ୍ରାଉନସୁଗାର ବ୍ୟବସାୟ କରୁଥିଲେ ବୋଲି ସ୍ଥାନୀୟ କିଛି ଲୋକ ସୂଚନା ଦେଇଛନ୍ତି। ତେବେ ଏ ନେଇ ପୁଲିସକୁ ଠୋସ ପ୍ରମାଣ ମିଳିପାରି ନାହିଁ। ୩/୪ ମାସ ପୂର୍ବେ ଲାଲା କ୍ରସର ୟୁନିଟ୍‌ରୁ ଗୋଡ଼ି ଆଦି ପରିବହନ ପାଇଁ ଏକ ଟିପର୍‌ କିଣିଥିଲେ। ଏହା ପରେ ତାଙ୍କର ବ୍ୟବସାୟ ମଧ୍ୟ ବଢ଼ିଥିଲା। ଯେଉଁମାନେ ହତ୍ୟା ଅଭିଯୁକ୍ତ ସେମାନଙ୍କ ସହ ଲାଲାର ଘନିଷ୍ଠ ସମ୍ପର୍କ ରହିଥିଲା। ଉଭୟ ଉଭୟଙ୍କ ଘରକୁ ଯିବାଆସିବା କରୁଥିଲେ। ତେବେ ଗତ ୩ ଦିନ ଧରି ରାଜା ଓ ଲାଲା ମଧ୍ୟରେ କୌଣସି କାରଣକୁ ନେଇ ବିବାଦ ଚାଲିଥିଲା। ଗତକାଲି ମଧ୍ୟ ଏ ନେଇ ଝଗଡ଼ା ହୋଇ ଠେଲାପେଲା ହୋଇଥିବା କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଏହି ଘଟଣାକୁ ନେଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣା ସମ୍ପର୍କରେ ଏସ୍‌ପି ଶ୍ରୀ ସ୍ୱାଇଁ କହିଛନ୍ତି ସଦର ଥାନାରେ ମୃତ ଲାଲାଙ୍କ ପୁତୁରାଙ୍କ ଲିଖିତ ଅଭିଯୋଗ ପଞ୍ଜୀକୃତ ହୋଇଛି। ଘଟଣା ସ୍ଥଳରେ ‌ଫୋରେନ୍ସିକ୍ ବିଶେଷଜ୍ଞ ଯାଞ୍ଚ କରି ଫେରିଛନ୍ତି। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଲାଲାଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ଏମ୍‌ସ ପଠାଯାଇଛି।